Take a fresh look at your lifestyle.

ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି

0 56

Get real time updates directly on you device, subscribe now.

ଢେଙ୍କାନାଳ : ସଂସ୍କୃତିସମ୍ପନ୍ନ ଗ୍ରାମ ଦୁର୍ଗାପ୍ରସାଦ ମୌଜାକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ପୁନର୍ବାର ଦାବି ଉଠିଛି | ଢେଙ୍କାନାଳ ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଏହି ମୌଜାରେ ବର୍ତ୍ତମାନ ୧୬ଶହ ଅଧିବାସୀ ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୫୦ଜଣ ଭୋଟର ରହିଛନ୍ତି | ହେଲେ ବର୍ତ୍ତମାନସୁଦ୍ଧା ଏହି ଗ୍ରାମଟି ପଡା ଗ୍ରାମରେ ରହିଛି |

 ଦୁର୍ଗାପ୍ରସାଦ ମୂଳ ରାଜସ୍ୱ ଗ୍ରାମ ବନ୍ଧନୂଆଗାଁ ଅଟେ | ଏହି ଗ୍ରାମରୁ ଦୁର୍ଗାପ୍ରସାଦର ଦୂରତ୍ୱ ୧ କିଲୋମିଟର | ସରକାରୀ ନିୟମ ଅନୁସାରେ ଯେଉଁ ପଡା ଗ୍ରାମ ମୂଳ ରାଜସ୍ୱ ଗ୍ରାମଠାରୁ ୫ଶହ ମିଟରରୁ ଅଧିକ ଦୂରତା ଏବଂ ୨୫୦ଜଣ ଜନସଂଖ୍ୟା ରହିଥିବେ ତେବେ ଉକ୍ତଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ |

ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଦୁର୍ଗାପ୍ରସାଦକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ତେଣୁ ଗ୍ରାମକୁ ରାଜସ୍ୱ ମାନ୍ୟତା ଦେବା ଲାଗି ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦୁର୍ଗାପ୍ରସାଦ ଗ୍ରାମ କମିଟି ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |

ସଦର ବ୍ଲକ ବେଲଟିକିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମରେ ୨ଟି ୱାର୍ଡ, ୨ଟି ସରକାରୀ ଅଙ୍ଗନୱାଡି ଓ ୪୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି | ସେହିପରି ସ୍ୱାଧୀନତା ପରେ ୧୯୫୪ ମସିହାରେ ଗ୍ରାମରେ ନୂତନ ଭାବେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା | ଏହାସହ ଦୁର୍ଗାପ୍ରସାଦର ପ୍ରସିଦ୍ଧ ପୁରାତନ ଦେବପୀଠ ଶ୍ରୀଶ୍ରୀ ରଘୁନାଥ ଜୀୟୁ ଜିଲ୍ଲା ଦେବୋତ୍ତର ବିଭାଗ ଅଧୀନରେ ରହିଛି | ଅନ୍ୟାନ୍ୟ ଦେବାଳୟ ମଧ୍ୟରେ ମା’ ମଙ୍ଗଳା, ମା’ ଦକ୍ଷିଣକାଳୀ, ମା’ କଳାପାଟ, ମା’ ଶାରଳା, ଶନିଶ୍ଚର ଓ ଦୁଇଟି ଭାଗବତ ଗୋସାଇଁ ଟୁଙ୍ଗି ରହିଛି |

ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଏଠାରେ ଆୟୋଜନ ହେଉଥିବା ଝାମୁଯାତ୍ରା ଯୋଗୁ ସାରା ଜିଲ୍ଲାରେ ଗ୍ରାମଟି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | କ୍ରିଡାକ୍ଷେତ୍ରରେ ମଧ୍ୟ ଦୁର୍ଗାପ୍ରସାଦ ଗ୍ରାମ ଅନେକ ସୁନାମ ଅର୍ଜନ କରିଛି | ଆଜିକୁ ୪୫ ଧରି ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି | ଦିନକୁଦିନ ଗ୍ରାମରେ ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖାଯାଇ ଗତ ୨୦୦୯ରେ ଦୁର୍ଗାପ୍ରସାଦ ମୌଜାକୁ ରାଜସ୍ୱ ଗ୍ରାମରେ ପରିଣତ କରିବାକୁ ପ୍ରଥମେ ଦାବି ଉଠିଥିଲା |

ହେଲେ ଏହାକୁ ରାଜନୈତିକ ରଙ୍ଗ ଦିଆଯିବାରୁ ଦୀର୍ଘଦିନ ଧରି ଏହାର ମାମଲା ତହସିଲ କୋୖର୍ଟରେ ବିଚାରଧୀନ ରହିଛି | ସେହିପରି ରାଜ୍ୟ ସରକାର ଗତବର୍ଷ ରାଜ୍ୟର ୪ହଜାର ପଡା ଗ୍ରାମକୁ ରାଜସ୍ୱ ମାନ୍ୟତା ଦେଲେ, ମାତ୍ର ସମସ୍ତ କାଗଜପତ୍ର ଦାଖଲ ହୋଇଥିବା ସତ୍ତ୍ୱେ ଦୁର୍ଗାପ୍ରସାଦକୁ ମାନ୍ୟତା ପ୍ରଦାନ କରାଗଲା ନାହିଁ | ଅତୀତରେ ଏଥିପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା |

ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି | ଯଦି ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଗ୍ରାମକୁ ରାଜସ୍ୱ ମାନ୍ୟତା ନ ଦେବେ ତେବେ ସମସ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଦୁର୍ଗାପ୍ରସାଦ ଗ୍ରାମ ପରିଚାଳନା କମିଟି ସଭାପତି ସୋମନାଥ ବେହେରା, ମାଧବାନନ୍ଦ କର, ଶ୍ୟାମସୁନ୍ଦର ବିଶ୍ୱାଳ, ଦିଲ୍ଲୀପ ବାରିକ, ମହେଶ୍ୱର ମହାରଣା, ବାବୁଲା ପ୍ରଧାନ, ପ୍ରିୟବ୍ରତ ମହାନ୍ତି, ସମୀର ବେହେରା, ଶ୍ରୀଧର ବିଶ୍ୱାଳ, ସର୍ବେଶ୍ୱର ଦେହୁରୀ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.