Take a fresh look at your lifestyle.

ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ

0 37

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ ଭାରତରେ ଖଳନାୟକ ସଜାଇବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କେନ୍ଦ୍ରରେ କ୍ଷମତାରେ ଥିବା ଦଳ ଓ ତାହାପଛରେ ରହିଥିବା ସାମ୍ପ୍ରଦାୟିକ ଶକ୍ତି ଚଳାଇଛନ୍ତି ।

ପଚସ୍ତରୀ ବର୍ଷ ତଳେ ଯେଉଁମାନେ ଗାନ୍ଧୀଜୀଙ୍କର ରକ୍ତରେ ନିଜର ତୃଷା ମେଣ୍ଟାଇଥିଲେ, ସେମାନେ ଆଜି ଆମ ଦେଶବାସୀଙ୍କ ରକ୍ତ ପିଇବାକୁ ଆଗଭର ହୋଇଛନ୍ତି । ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ହରିଦ୍ଵାର ଓ ରାୟପୁର ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧର୍ମୀମାନେ ଧର୍ମ ନାଁରେ ଅଧର୍ମ ସଭା କରି ମୁସଲମାନଙ୍କ ଭଳି ସଂଖ୍ୟାଲଘୁଙ୍କ ବିରୋଧରେ ବିଷୋଦଗାର କରିବା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଚାଲିଛି ।

ଭାରତ ଭଳି ଏକ ମହାନ ଦେଶର ସଂସ୍କୃତି, ଭାଇଚାରା, ବିବିଧତା, ଏକତା ଓ ଅଖଣ୍ଡତା ପ୍ରତି ବିପଦ ଏହି ସାମ୍ପ୍ରଦାୟିକ ଦେଶ ବିଭାଜନକାରୀ ଶକ୍ତିଙ୍କୁ ଉଚିତ ଜବାବ ଦେବା ସହ ଦେଶର ଶାନ୍ତିକାମୀ ଜନଗଣଙ୍କୁ ଜାଗ୍ରତ କରାଇବା ଲକ୍ଷରେ ଗାନ୍ଧୀଜୀଙ୍କୁ ରାଷ୍ଟ୍ରପିତା ବୋଲି ଅଭିହିତ କରିଥିବା ନେତାଜୀ ସୁଭାଷଙ୍କ ଜନ୍ମ ଦିବସ ୨୩ ଜାନୁଆରୀ ଠାରୁ ଗାନ୍ଧୀଜୀଙ୍କ ବଳିଦାନ ଦିବସ ୩୦ ଜାନୁଆରୀ ପର୍ୟ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଓଡିଶା ବ୍ୟାପୀ ରାଷ୍ଟ୍ରୀୟ ଅଭିଯାନ “ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବୋଲି ଆୟୋଜିତ ହେଉଛି । ଏହା ବୁଝିବା ଜରୁରୀ ଯେ, ଯେଉଁ ଗାନ୍ଧୀଙ୍କୁ ସେମାନଙ୍କର ଗୁଳି ଖତମ କରିପାରିନାହିଁ, ଗାଳିରେ ସେ କେମିତି ଖତମ ହେବେ ? ବାସ୍ତବତା ହେଉଛି, ମହାତ୍ମାଙ୍କ ପ୍ରତି ସାମ୍ପ୍ରଦାୟିକ ଶକ୍ତିଙ୍କର ଏଭଳି ଅଶୋଭନୀୟ ଆଚରଣ ଯୋଗୁଁ ବିଶ୍ଵରେ ଭାରତର ଛବି ମଳିନ ହେଉଛି ।

ଏହିଭଳି ଏକ ସଂକଟମୟ ପରିସ୍ଥିତିରେ ଭାରତର ଜନଗଣଙ୍କୁ ଆଗକୁ ଆସି ଗଣତନ୍ତ୍ରକୁ ରକ୍ଷା କରିବାକୁ ପଡିବ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଭୁବନେଶ୍ଵରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ସତ୍ୟାଗ୍ରହ ସଭାରେ ଡଃ ବିଶ୍ଵଜିତ, ରାମ ଶଙ୍କର ରାମ, ରବି ଦାସ, ଜନାର୍ଦ୍ଦନ ପତି, ବିଜୟ ମହାନ୍ତି, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଜୟନ୍ତ କୁମାର ଦାସ, ଅଶୋକ କୁମାର ସାହୁ, ସୁରେଶ ପାଣିଗ୍ରାହୀ, ବିରେନ୍ଦ୍ର ପ୍ରତାପ ଦାସ, ଅମୀୟ ପାଣ୍ଡବ, ଦେବ ପ୍ରସାଦ ପରିଜା, କଲ୍ୟାଣ ଆନନ୍ଦ, ଅରୁଣ ଜେନା, ସତୀଶ ମିଶ୍ର, ବିନୋଦ ସାହୁ, ବିଶ୍ଵପ୍ରିୟ କାନୁନଗୋ, ବିଜୟ ପରିଡା, ମଧୁସୂଦନ ବିଶ୍ୱାଳ, ଡ଼ଲି ଅପା, ଅନୁରାଧା ସୁବୁଦ୍ଧି, କିଶୋର ନାୟକ, ଲଳିତ ମହାପାତ୍ର, ରକ୍ଷାକର ଅନୁପମ, ମୀର ଅହମ୍ମଦ ଅଲ୍ଲୀ, ଅଲିଭା ଦାଶ, ଅଂଶୁମାନ, ମାୟାଧର ନାୟକ, ପ୍ରିୟା ଗରାବଡୁ, ମିହିର ଜେନା, ମାନସ ପଟ୍ଟନାୟକ ପ୍ରମୁଖ ଜଣାଇଛନ୍ତି ।

- Advertisement -

Leave A Reply

Your email address will not be published.