Take a fresh look at your lifestyle.

କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଣ୍ଟା ମଧ୍ୟରେ କେସ ରେଜିଷ୍ଟ୍ରି କରିବାକୁ ନିର୍ଦେଶ

0 28

Get real time updates directly on you device, subscribe now.

ଢେଙ୍କାନାଳ : ଦୁଇ ବର୍ଷ ପରେ ଅଶ୍ୱିନୀ ପଟ୍ଟନାୟକ ଙ୍କୁ ନ୍ୟାୟ ମିଳିବାକୁ ଯାଉଛି ।  କଣ୍ଟାବଣିଆ ଥାନାର ଦ୍ୱାରସ୍ଥ ହୋଇ ଅଶ୍ୱିନୀ ନ୍ୟାୟ ଭିକ୍ଷା କରିଥିଲେ ହେଁ ତତକାଳୀନ ଆଇଆଇସି ନ୍ୟାୟ ଦେବା ପରିବର୍ତ୍ତେ ଓଲଟି ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଜେଲ ପଠାଇ ଦେଇଥିଲେ । ନିରୂପାୟ ଅଶ୍ୱିନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଅଶ୍ୱିନୀଙ୍କ ଦରଖାସ୍ତକୁ ବିଚାରକୁ ନେଇ ଢେଙ୍କାନାଳ ଏସଡିଜେଏମ ଚିଠି ନଂ ୨୦୩୨ ତା ୩ା୧ା୨୦୨୨ରେ କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଣ୍ଟା ମଧ୍ୟରେ କେସ ରେଜିଷ୍ଟ୍ରି କରିବାକୁ ନିର୍ଦେଶ ଦେବା ସହ ଆସନ୍ତା ତା ୪ା୨ା୨୦୨୨ରିଖ ସୁଦ୍ଧା ଅର୍ଥାତ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆଦେଶ କରିଛନ୍ତି ।

ଜଣାଯାଇଛି ଯେ, ଓଡାପଡା ବ୍ଲକ ଗୁଣ୍ଡିଚାପଡା ପଞ୍ଚାୟତ ଅନ୍ତର୍ଗତ ବେଶାଳିଆ ଗ୍ରାମର ଅଶ୍ୱିନୀ ପଟ୍ଟନାୟକ ଜିଏମଆର କମଳାଙ୍ଗରେ ଫାୟାର ସୁପରଭାଇଜର ଭାବେ ୭ ବର୍ଷ ତଳୁ ଚାକିରୀ କରୁଥିଲେ । ସେ ଗତ ୨୦୨୦ ମସିହା ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ଏକ ଦୋକାନରୁ ରାସନ ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ମାନିଆବେଡା ଗ୍ରାମର ବଟକୃଷ୍ଣ ରାଉତ ଙ୍କ ପୁଅ ସୁଜିତ ରାଉତ ହଠାତ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରି ତଳେ ପକାଇ ଦେଇଥିଲା । ଏପରିକି ଦୋକାନରେ ଥିବା ଏକ ଥଣ୍ଡା ବୋତଲ ଭାଙ୍ଗି ହତ୍ୟା ଉଦ୍ୟମ କରିଥିଲା ।

ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ସେ ବର୍ତ୍ତି ଯାଇଥିଲେ । ସୁଜିତ ଧମକ ଦେଇ ଅଶ୍ୱିନୀକୁ କହିଥିଲା ଯେ ତୁ ଯଦି ଜିଏମଆର ମ୍ୟାନେଜର ଦିଲ୍ଲୀପ ସେଠୀ ଓ ଏଏଫଓ ରାଜୀବ ଶାହାଙ୍କ ବିରୋଧରେ ପୁଣି ଯାଉ ତେବେ ଜୀବନରେ ମାରିଦେବି । ଏହି ଘଟଣା ପରେ ଅଶ୍ୱିନୀ କଣ୍ଟାବଣିଆ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ତେବେ ସେତେବେଳର ଥାନା ଆଇଆଇସି ଦିଲ୍ଲୀପ ସେଠୀଙ୍କ ସମ୍ପର୍କୀୟ ହୋଇଥିବାରୁ ଏତଲା ଗ୍ରହଣ କରିବା ଦୂରେଥାଉ ଓଲଟି ତାଙ୍କୁ ଗାଳିଗୁଲଜ କରି ଜେଲ ପଠାଇ ଦେବାର ଧମକ ଦେଇଥିଲେ । ଥାନାରୁ ନିରାଶ ହେବାରେ ଅଶ୍ୱିନୀ ଏ ସମ୍ପର୍କରେ ଜିଲା ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଏସପିଙ୍କୁ କାହିଁକି ଜଣାଇଲ ବୋଲି ତତକାଳୀନ ଆଇଆଇସି ମ୍ୟାନେଜର ଦିଲ୍ଲୀପ ସେଠୀଙ୍କ ମିଥ୍ୟା ଏତଲା କ୍ରମେ ଅଶ୍ୱିନୀଙ୍କ ବିରୋଧରେ ତା ୨୪ା୧ା୨୦୨୦ରିଖରେ ଏକ ମକଦ୍ଦମା ରୁଜୁ କରି ଜେଲ ପଠାଇ ଦେଇଥିଲେ । ଫଳରେ ଅଶ୍ୱିନୀ ୩୨ ଦିନ ଧରି ଜେଲ ହାଜତରେ ରହିଥିଲେ । ଜେଲରୁ ଆସିବା ପରେ ଅଶ୍ୱିନୀ ଢେଙ୍କାନାଳ ଏସଡିଜେଏମଙ୍କ କୋର୍ଟରେ ୨୯ ଫେବୃୟାର ୨୦୨୦ରେ ସୁଜିତ ରାଉତ, ଦିଲ୍ଲୀପ ସେଠୀ ଓ ରାଜୀବ ଶାହାଙ୍କ ବିରୋଧରେ ଏକ କମ୍ପ୍ଲେନ କେସ ଦାୟର କରିଥିଲେ । କୋର୍ଟରେ ଆଇସିସି ୨୯/୨୦୨୦ରେ ଉକ୍ତ ୩ ଜଣଙ୍କ ବିରୋଧରେ ମକଦ୍ଦମା ଦାୟର ହୋଇଥିଲା । ଏହି ମକଦ୍ଦମାର ବିଚାର କରି ଏସଡିଜେଏମ ତା ୩ା୧ା୨୦୨୨ରେ କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଂଟା ମଧ୍ୟରେ କେସ ରେଜିଷ୍ଟ୍ରୀ କରିବାକୁ ନିର୍ଦେଶ ଦେବା ସହ ଆସନ୍ତା ତା ୪ା୨ା୨୦୨୨ରିଖ ସୁଦ୍ଧା ଅର୍ଥାତ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆଦେଶ କରିଛନ୍ତି ।

ଅଶ୍ୱିନୀ ଜେଲ ଯିବାରୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚାକିରୀରୁ ବିଦା କରି ଦେଇଥିଲେ । କମ୍ପାନୀର ଏହି ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଶ୍ୱିନୀ ମାନସିକ ଭାରସାମ୍ୟ ହରାଇ ବସିବା ସହ ଆର୍ଥକ ଦୃଷ୍ଟିରୁ ଅନେକ କ୍ଷତି ସହିଥିଲେ । ଚାକିରୀ ଫେରି ପାଇବା ପାଇଁ ସେ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ଶ୍ରମ ଅଧିକାରୀଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ ।

ଜିଏମଆର କର୍ତ୍ତୃପକ୍ଷ ମ୍ୟାନେଜର ସେଠୀଙ୍କୁ ଘଣ୍ଟ ଘୋଡାଇଥିବା ବେଳେ ଜଣେ ନିରୀହ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିବା କେତେଦୂର ସମୀଚିନ ବୋଲି ଅଶ୍ୱିନୀ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଏସଡିଜେଏମଙ୍କ ନିଦେ୍ର୍ଦଶ କଣ୍ଟାବଣିଆ ଥାନାକୁ ମିଳିବା ପରେ ଅଶ୍ୱିନୀ ଉପଯୁକ୍ତ ନ୍ୟାୟ ପାଇବା ସହ ପୁଣି ତାଙ୍କ ଚାକିରୀ ଫେରି ପାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.