Take a fresh look at your lifestyle.

ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ରାକେଟ ଠାବ, ୪ ଗିରଫ

୩,୬୪୦ ଲିଟର ନକଲି ଲୁବ୍ରିକାଣ୍ଟ ସହ ଗାଡ଼ି, ଯନ୍ତ୍ରପାତି ଓ ନକଲି ହୋଲୋଗ୍ରାମ ଜବତ

0 3

ଢେଙ୍କାନାଳ , ୮ା୯ (ଜ୍ଞାନ ରଞ୍ଜନ ଶତପଥୀ ): କେନ୍ଦୁଝର ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳରେ ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାମ ବ୍ୟବହାର କରି ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ଓ ବିକ୍ରି କରୁଥିବା ଏକ ରାକେଟକୁ ବଡ଼ବିଲ ପୁଲିସ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ମୋଟ ୩,୬୪୦ ଲିଟର ନକଲି ଲୁବ୍ରିକାଣ୍ଟ, ଦୁଇଟି ଗାଡ଼ି, ଉତ୍ପାଦନ ଯନ୍ତ୍ରପାତି ଓ ନକଲି ହୋଲୋଗ୍ରାମ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ବଡ଼ବିଲ ଅଞ୍ଚଳରେ ଟାଟା ସମେତ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାମରେ ନକଲି ଡିଇଏଫ୍‌ ଓ ଲୁବ୍ରିକାଣ୍ଟ ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା। ଏହାପରେ ଗତ ସେପ୍ଟେମ୍ବର ୨ ତାରିଖରେ ବଡ଼ବିଲ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଭଦ୍ରାସାହି ଅଞ୍ଚଳର ଜୟଶ୍ରୀ ଶ୍ୟାମ ଲୁବ୍ରିକାଣ୍ଟସ୍‌ରୁ ୩୧ ବାଲ୍ଟି, କାସିଆ ନିକଟସ୍ଥ ଉଜାଲା ମୋଟର୍ସରୁ ୮୦ ବାଲ୍ଟି ଏବଂ ଭଦ୍ରାସାହିର ବସନ୍ତ କୁମାର ପୃଷ୍ଟିଙ୍କ ନିକଟରୁ ୨୧ ବାଲ୍ଟି ନକଲି ଲୁବ୍ରିକାଣ୍ଟ ଜବତ କରାଯାଇଥିଲା। ଏନେଇ ବଡ଼ବିଲ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା।

କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏହି ରାକେଟର ମୂଳ ଉତ୍ସ ଠାବ କରିବା ପାଇଁ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଥିଲା। ଗତ ସେପ୍ଟେମ୍ବର ୬ ତାରିଖରେ ପୁଲିସ ରାକେଟର ମାଷ୍ଟରମାଇଣ୍ଡ ଶ୍ରୀକାନ୍ତ କୁମାର ହୋତା ଓ ତାଙ୍କ ସହଯୋଗୀ ରେଖା ରାମଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଟାଟା ବ୍ରାଣ୍ଡ ନାମରେ ପ୍ୟାକିଂ ହୋଇଥିବା ୫୦ ବାଲ୍ଟି ନକଲି ଡିଇଏଫ୍‌ ଜବତ କରାଯାଇଥିଲା।

ପଚରାଉଚରା ସମୟରେ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଅଞ୍ଚଳରେ ଶ୍ରୀକାନ୍ତଙ୍କ ଜମିରେ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତି କାରଖାନା ଚାଲୁଥିବା ସୂଚନା ପୁଲିସକୁ ମିଳିଥିଲା। ପରେ ବଡ଼ବିଲ ପୁଲିସ ସେଠାରେ ଚଢ଼ଉ କରି କାରଖାନାର ଠିକଣା ଠାବ କରିଥିଲା। ରାଜସ୍ଥାନରୁ ଆସିଥିବା କର୍ମଚାରୀଙ୍କ ସହାୟତାରେ ସେଠାରେ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ କରାଯାଉଥିବାବେଳେ ନାମୀଦାମୀ କମ୍ପାନୀର ନକଲି ପ୍ୟାକେଜିଂ ଓ ହୋଲୋଗ୍ରାମ ବ୍ୟବହାର କରି ଏହାକୁ ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ ସମେତ ପଡ଼ୋଶୀ ରାଜ୍ୟକୁ ବିକ୍ରି ପାଇଁ ପଠାଯାଉଥିବା ତଦନ୍ତରୁ ଜଣାପଡ଼ିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ସଦାଶିବପୁରର ଶ୍ରୀକାନ୍ତ କୁମାର ହୋତା, ରାଜସ୍ଥାନ ବାଲୋତ୍ରା ଅଞ୍ଚଳର ଦୀପା ରାମ ଓ ରେଖା ରାମ ଏବଂ ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ମହେଶ କୁମାର। କାରଖାନା ଠାବ ପରେ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏନେଇ ବଡ଼ବିଲ ଏସ୍‌ଡିପିଓ ଦେବେନ୍ଦ୍ର ପିଙ୍ଗୁଆ ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.