ଢେଙ୍କାନାଳ, ୨୬ା୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲିଆପାଟ ଗ୍ରାମର ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭାରତୀୟ ମହିଳା ‘ଏ’ ଦଳରେ ସ୍ଥାନ ପାଇଛନ୍ତି।
ଆସନ୍ତା ୨୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ‘ଏ’ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଭାଲିଆପାଟ ଗ୍ରାମର ବସନ୍ତ କୁମାର ପ୍ରଧାନଙ୍କ ପୁଅ ନିବାସ କୁମାର ପ୍ରଧାନଙ୍କ ବଡ଼ ଝିଅ ଦିବ୍ୟଦର୍ଶିନୀ ନିଜର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଂକଳ୍ପ ବଳରେ କ୍ରିକେଟ୍ କ୍ଷେତ୍ରରେ ଏହି ସଫଳତା ହାସଲ କରିଛନ୍ତି।
ତାଙ୍କର ଏହି ସଫଳତାରେ ଗଁଦିଆ ବ୍ଲକ ସମେତ ସମଗ୍ର ଢେଙ୍କାନାଳ ଜିଲ୍ଲା ଓ ଭାଲିଆପାଟ ଗ୍ରାମରେ ଆନନ୍ଦ ପ୍ରକାଶ ପାଇଛି। ଦିବ୍ୟଦର୍ଶିନୀଙ୍କ ସଫଳତା ପାଇଁ ଗ୍ରାମବାସୀ, କ୍ରୀଡ଼ାପ୍ରେମୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଛନ୍ତି।
