ଢେଙ୍କାନାଳ, ୨୫।୯ (ନି.ପ୍ର.): ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍.ଏମ୍. ରାଉତ ଓ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ। ଶ୍ରୀ ରାଉତ ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ସୂଚନା ଦେବା ସହ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକ୍ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ୮ଟି ବିଦ୍ୟାଳୟ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କାମାକ୍ଷାନଗର କାନପୁରାସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପ୍ରଥମ, ବାରଦା ମାତୃଭୂମିସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସେଣ୍ଟର ଅଫ୍ ଏଡୁକେସନ ଦ୍ୱିତୀୟ ଏବଂ ଦିପ୍ତୀଶ କୁମାର ଶତପଥୀ, ଡ. ଅନୁପମା ମିଶ୍ର ଓ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନରେ ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ, ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲା।
ସମାପନୀ ଉତ୍ସବରେ ବିଜେତା ଦଳଗୁଡ଼ିକୁ ପୁରସ୍କାର ଓ ପ୍ରମାଣପତ୍ର ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଦେଇଥିଲେ। ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
