Take a fresh look at your lifestyle.

ଆଇଆଇଏମ୍‍ସି ଢେଙ୍କାନାଳରେ ହିନ୍ଦୀ ସପ୍ତାହ ପାଳିତ

“ହିନ୍ଦୀ ଭାଷାର ସଠିକ୍‍ ପ୍ରୟୋଗ ଉପରେ ସମସ୍ତେ ଗୁରୁତ୍ୱ ଦିଅନ୍ତୁ”

0 1

Get real time updates directly on you device, subscribe now.

ଢେଙ୍କାନାଳ: ହିନ୍ଦୀ ଭାଷାର ସମୃଦ୍ଧ ପରମ୍ପରା ରହିଛି । ରାଷ୍ଟ୍ରୀୟ ଏକତା ଆଣିବାରେ ହିନ୍ଦୀର ଅବଦାନ ଅତୁଳନୀୟ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନଭାବନାକୁ ଯୋଡ଼ିବା ଦିଗରେ ହିନ୍ଦୀ ଭାଷା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ଫଳରେ ଆମେ ବିଦେଶୀ ଶାସନରୁ ମୁକ୍ତି ହୋଇଥିଲେ । ତେବେ ଆଜିର ଡିଜିଟାଲ୍‍ ଯୁଗରେ ହିନ୍ଦୀ ଭାଷାର ସଠିକ୍‍ ପ୍ରୟୋଗ ଉପରେ ସମସ୍ତେ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ରାଜସ୍ଥାନ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା କଥାକାର ଡ. ସଞ୍ଜୀବ ଭନୱତ୍‍ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ହୋଇଛି ହିନ୍ଦୀ ସପ୍ତାହ ସମାରୋହ । ଶୁକ୍ରବାର ଅପରାହ୍ଣରେ ସଂସ୍ଥାନର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ‘ସମକାଳୀନ ସମୟରେ ହିନ୍ଦୀ’ ଶୀର୍ଷକ ଉପରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ଡ. ଭନୱତ୍‍ । ସେ କହିଛନ୍ତି, ହିନ୍ଦୀ ଏକ ମିଠା ଭାଷା । ଏହା ବେଶ୍‍ ମଧୁର ଓ ମନୋରମ । ସାହିତ୍ୟ କ୍ଷେତ୍ରରେ ହିନ୍ଦୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଅନ୍ୟ କ୍ଷେତ୍ରରେ ମଧ୍ୟ ହିନ୍ଦୀର ସଫଳତା ଦେଖିବାକୁ ମିଳେ । ଏହି ସମୃଦ୍ଧ ଭାଷାର ସଫଳ ପ୍ରୟୋଗ ବିଜ୍ଞାନ, ଅର୍ଥନୀତି ଆଦି କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ । ତେବେ ଆଜିର ଯୁବପିଢ଼ିମାନେ ଏହି ଭାଷାର ମହତ୍ତ୍ୱକୁ ବୁଝିବା ସହ ଏହାର ସଠିକ୍‍ ବ୍ୟବହାର କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ହାଇବ୍ରିଡ୍‍ ମୋଡ୍‍ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇଆଇଏମ୍‍ସି, ନୂଆଦିଲ୍ଲୀର ଅବସରପ୍ରାପ୍ତ ପ୍ରଫେସର ହେମନ୍ତ ଯୋଶୀ କହିଛନ୍ତି, ଆଜିକାଲି କିଛି ସ୍ଥାନରେ ହିନ୍ଦୀର ଭୁଲ ବ୍ୟବହାର ହେଉଛି । ଏହା କୌଣସି ଭାଷା ପାଇଁ ଆଦୌ ଶୁଭଙ୍କର ନୁହେଁ । ସେ ଏକ ବିଜ୍ଞାପନର ଉଦାହରଣ ଦେଇ କହିଛନ୍ତି, ଇଂରାଜୀରୁ ଅନୁବାଦ କରିବାବେଳେ ଅନେକ ସମୟରେ କିଛି ଭୁଲ ରହିଯାଉଛି । ଏଣୁ ବିଜ୍ଞାପନ ହେଉ କି ଅନ୍ୟ କୌଣସି ଲେଖା ଲେଖିବାବେଳେ ସଠିକ୍‍ ଶବ୍ଦ ବାଛିବା ସହ ଯେପରି ଭାଷାର ବ୍ୟାକରଣ ତ୍ରୁଟିମୁକ୍ତ ହେବ, ସେଥିପ୍ରତି ଧ୍ୟାନ ଦେବା ଦରକାର ।

ଆଇଆଇଏମ୍‍ସି, ନୂଆଦିଲ୍ଲୀର ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, ଭାଷାର ବ୍ୟବହାର ଯେତେ ଅଧକ ହେବ ତାହା ସେତେ ସମୃଦ୍ଧ ହେବ । ତେବେ ଦେଶର ବିଭିନ୍ନ ଭାଷା ଶିଖିବା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ରହିଲେ ଭଲ । ପ୍ରତ୍ୟେକ ଭାଷାକୁ ଆଦର କରିବା ସହ ତା’ର ସ୍ୱତନ୍ତ୍ରତାକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରାରମ୍ଭରେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆଜି ବି ଅନେକଙ୍କର ଧାରଣା ରହିଛି ହିନ୍ଦୀ ଏକ ରାଷ୍ଟ୍ର ଭାଷା । ତେବେ ପ୍ରକୃତରେ ଏହା ଏକ ରାଜଭାଷା । ସାରା ଦେଶର ଲୋକଙ୍କୁ ଯୋଡ଼ିବାରେ ହିନ୍ଦୀ ଏକ ପ୍ରମୁଖ ଭୂମିକା ନେଉଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କେତୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ସଂସ୍ଥାନର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ନୋଟିଂ ଓ ଡ୍ରାଫ୍ଟିଂ ଲିଖନ ପ୍ରତିଯୋଗିତାରେ ଷ୍ଟେନୋଗ୍ରାଫର ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା ଦ୍ୱିତୀୟ ଓ କନିଷ୍ଠ କିରାଣି ମନୋଜ କୁମାର ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ହିନ୍ଦୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଆପେକ୍ସା ରାୟ, ପ୍ରତୀକ୍ଷା ତ୍ରିପାଠୀ ଓ ଆର୍ଯ୍ୟନ୍‍ ଦ୍ୱିବେଦୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଏମାନଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପୁରସ୍କାର ଦିଆଯାଇଛି । ସେହିଭଳି ବିତର୍କ ପ୍ରତିଯୋଗିତାରେ ପ୍ରିନ୍ସି ଯାଦବ ପ୍ରଥମ, ଆପେକ୍ସା ରାୟ ଦ୍ୱିତୀୟ ଓ ଅଲୌକିକ ଗରାବଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାସହ କ୍ଷୁଦ୍ର ଭିଡିଓ ପ୍ରତିଯୋଗିତାରେ ମେଧା ସିଂହ ପ୍ରଥମ ହୋଇଥିବାବେଳେ ସୃଷ୍ଟି ଆଚାର୍ଯ୍ୟ ଦ୍ୱିତୀୟ ଓ ବଂଶୀତା ଜୈସ୍ୱାଲ ତୃତୀୟରେ ରହିଛନ୍ତି । ଧନ୍ୟା ସିଂହ ପୋଷ୍ଟର ପ୍ରତିଯୋଗିତାର ବିଜେତା ହୋଇଥିବାବେଳେ ଦ୍ୱିତୀୟରେ ପଲକ ଓ ତୃତୀୟରେ ଏମ୍‍.ଏସ୍‍. ଦିବ୍ୟାଶ୍ରୀ ରହିଛନ୍ତି ।

ସଂସ୍ଥାନର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ହରି କୃଷ୍ଣ ବେହେରା । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.