Take a fresh look at your lifestyle.

ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢ଼ିବା ସେ ସର୍ବଦା ଜାଗ୍ରତ ଥିଲେ।

0 61

Get real time updates directly on you device, subscribe now.

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଲୋହିଆ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡଃ ସ୍ବାଇଁଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ ସ୍ବାଇଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଗାନ୍ଧୀବାଦୀ ତଥା ସ୍ତମ୍ଭକାର ପ୍ରହ୍ଲାଦ କୁମାର ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମନୋରଞ୍ଜନ ରାୟ, ଚିତ୍ତ ରଞ୍ଜନ ରାୟ, ପ୍ରଫୁଲ୍ଲ ସାମନ୍ତରା, ଗଦାଧର ପ୍ରଧାନ, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ସୁଦର୍ଶନ ପ୍ରଧାନ, ମଳୟ ତ୍ରିପାଠୀ, ଜିତେନ୍ଦ୍ର ସ୍ୱାଇଁ, ବ୍ରଜ କିଶୋର ପ୍ରଧାନ, ବନିତା ସାମଲ, ରଘୁନାଥ ପ୍ରଧାନ, ଡ଼ଃ ପ୍ରମୋଦ କୁମାର ବିଶ୍ବାଳ, ବୀର କିଶୋର ରାୟ, ସବ୍ୟସାଚୀ ସାମନ୍ତରା, ସୁକାନ୍ତ ମହାପାତ୍ର, ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଆଲୋଚନା ଭାଗ ନେଇ କହିଲେ ଯେ, ୧୯୩୧ ମସିହାରେ ଜଗତସିଂହପୁର ବାଲିକୁଦା ନିକଟ ଓଳାଭର ଗ୍ରାମରେ ଜନ୍ମିତ ସରସ୍ବତୀଙ୍କ ବାପା ଚକ୍ରଧର ସ୍ବାଇଁ ଥିଲେ ରେଳବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ। ୪ ଭଉଣୀ ଓ ୨ ଭାଇଙ୍କ ମଧ୍ୟରେ ଡଃ ସରସ୍ବତୀ ସ୍ୱାଇଁ ଥିଲେ ଜ୍ୟେଷ୍ଠା। ବିଦ୍ୟାର୍ଥୀ ଜୀବନରୁ ସମାଜସେବା ପ୍ରତି ରୁଚି ରଖୁଥିବା ଡାକ୍ତର ସ୍ୱାଇଁ ଏସ୍‌ସିବି ମେଡିକାଲ କଲେଜ ସାମାଜିକ ପ୍ରତିଷେଧକ ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିବା ପରେ ‘ନିହାର୍ଡ’ ନାମକ ସଂସ୍ଥା ଗଢ଼ି ସମାଜସେବା କାର୍ଯ୍ୟ କରୁଥିଲେ।

ସ୍ବାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ପାଇଁ ସେ ନିରନ୍ତର କାର୍ଯ୍ୟ କରୁଥିଲେ। ସମାଜବାଦୀ ଚିନ୍ତାଧାରାରେ ବଢ଼ିଥିବା ଡାକ୍ତର ସ୍ୱାଇଁ ରବି ରାୟଙ୍କୁ ବିବାହ କରିବା ପରେ ସ୍ବାମୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସମର୍ଥନ ଓ ସହଯୋଗରେ ଶ୍ରୀ ରାୟ ରାଜନୈତିକ ଜୀବନରେ ବେଶ୍‌ ସଫଳ ହୋଇଥିଲେ। ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଚିକିତ୍ସା କରି ତତ୍କାଳୀନ ରାଜ୍ୟ ସରକାରଙ୍କ ଅକ୍ରୋଶର ଶିକାର ହୋଇଥିବା ଡାକ୍ତର ସ୍ବାଇଁଙ୍କର ଜାତୀୟସ୍ତରର ବହୁ ସମାଜବାଦୀ ନେତାଙ୍କ ସହିତ ସଂପର୍କ ଥିଲା।

ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସେ ନିଜକୁ ସାମିଲ ଥିଲେ। ସମାଜବାଦୀ ଜନନାୟକ ଡଃ ରାମ ମନୋହର ଲୋହିଆଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ରାଷ୍ଟ୍ରୀୟ ସ୍ତରରେ ପରିଚିତ ଥିଲେ। ଡଃ ସ୍ୱାଇଁ ଥିଲେ ବିଭିନ୍ନ ଜନ ଆନ୍ଦୋଳନର ଜଣେ ଦୃଢ଼ ସମର୍ଥକ। ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢ଼ିବା ସେ ସର୍ବଦା ଜାଗ୍ରତ ଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ସ୍ୱାଗତ କରିଥିବା ବେଳେପ୍ରଭାସ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.