Take a fresh look at your lifestyle.

 ଏସପି ଅଫିସ ସାମ୍ନାରେ ଧାରଣା ଦେଲେ ମା’ ଓ ପୁଅ

0 20

Get real time updates directly on you device, subscribe now.

ଢେଙ୍କାନାଳ : ପରିଣତ ବୟସରେ ବୋଝ ସାଜିଛି ସାମାଜିକ ବାଚ୍ଛନ୍ଦ | ବଡ଼ପୁଅ ସମ୍ପୂର୍ଣ୍ଣ ପର କରିଥିବା ବେଳେ ଅଭାବ ମଧ୍ୟରେ ରହିଥିବା ସାନପୁଅ ପାଖରେ ତାଙ୍କର ଜୀବନ ବିତୁଛି | ଦିନେ ସେ ନିଜ ହାତରେ ଯେଉଁ ସୁଖର ସଂସାର ଗଢ଼ିଥିଲେ ଆଜି ତାହା ତାଙ୍କ ପାଇଁ ପର ହୋଇଯାଇଛି | ତେବେ ସାମାଜିକ ବାଚ୍ଛନ୍ଦ ଭଳି ସାମାଜିକ ବ୍ୟାଧି ଆଜି ମଧ୍ୟ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି | ବିନା କୌଣସି କାରଣରେ କଣ ପାଇଁ ତାଙ୍କୁ ଗ୍ରାମରୁ ପର କରାଯାଇଛି ତାହାର ଉତ୍ତର ମଧ୍ୟ ଅଦ୍ୟାବିଧି ତାଙ୍କୁ ଦିଆଗଲା ନାହିଁ |

ପୁଲିସ ଓ ପ୍ରଶାସନ ମଧ୍ୟ ଏଥିନେଇ ଚୁପ | ତେଣୁ ସାମାଜିକ ବାଚ୍ଛନ୍ଦରୁ ମୁକୁଳିବା ସହ ନିଜ ପରିବାରକୁ ପୂର୍ବ ପରି ଏକ କରିବାକୁ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ନୂଆ ରେକୁଳା ୧୫ ନମ୍ବର ୱାର୍ଡର ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ସ୍ତ୍ରୀ ଶାନ୍ତିଲତା ବେହେରା ଓ ତାଙ୍କ ସାନପୁଅ ଲକ୍ଷ୍ମଣ ବେହେରା ଏକ କାରରେ ବ୍ୟାନର ଲଗାଇ ସଦର ମହକୁମା ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ | ଶାନ୍ତିଲତାଙ୍କୁ ବର୍ତ୍ତମାନ ୮୦ ବର୍ଷ ହେଲାଣି |

ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ସେ ଦୁଇପୁଅଙ୍କ ସହ କାଟିବାକୁ ମନସ୍ଥ କରିଥିଲେ | ବଡ଼ପୁଅ ପ୍ରହଲ୍ଲାଦ ବେହେରା ସୋନପୁର ଜିଲ୍ଲାରେ ଚାକିରୀ କରିଥିବା ବେଳେ ସାନପୁଅ ଲକ୍ଷ୍ମଣ ଜଣେ ବ୍ୟବସାୟୀ ଅଟନ୍ତି | ଗ୍ରାମରେ ମେଡିକାଲ ସାମଗ୍ରୀ ନିଲାମୀ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିବାଦ କାରଣରୁ ଗତ ୨୦୦୯ ମସିହାରୁ ଲକ୍ଷ୍ମଣ ଓ ଅନ୍ୟ ଜଣେ ଅଧିବାସୀଙ୍କୁ ସାମାଜିକ ବାଚ୍ଛନ୍ଦ କରାଯାଇଥିଲା | ମାତ୍ର କିଛିବର୍ଷ ପରେ ଉକ୍ତ ବ୍ୟକ୍ତିଙ୍କୁ ଗ୍ରାମରେ ମିଶାଯାଇଥିବା ବେଳେ ଲକ୍ଷ୍ମଣଙ୍କୁ ଉପେକ୍ଷିତ କରାଯାଇଥିଲା | ଯାହାକୁ ନେଇ ଉଭୟ ଲକ୍ଷ୍ମଣ ଓ ତାଙ୍କ ବୃଦ୍ଧା ମା’ ଶାନ୍ତିଲତା ଗ୍ରାମରେ ଆପତ୍ତି କରିଥିଲେ |

ମାତ୍ର ଅଦ୍ୟାବିଧି ସେମାନଙ୍କୁ ଗ୍ରାମରେ କୌଣସି କର୍ମରେ ସାମିଲ କରାଯାଉନାହିଁ ବରଂ ଧମକ ମିଳୁଛି ବୋଲି ଶାନ୍ତିଲତା ଅଭିଯୋଗ କରିଛନ୍ତି | ସେହିପରି ଗତ ରବିବାର ଦିନ ଶାନ୍ତିଲତାଙ୍କ ବଡ଼ ପୁଅ ପ୍ରହଲ୍ଲାଦ ଘରକୁ ଆସିଥିବା ବେଳେ କୌଣସି କାରଣରୁ ସେ ଓ ତାଙ୍କ ମା’ଙ୍କ ମଧ୍ୟରେ କଳି ଲାଗିଥିଲା | ମାତ୍ର ପ୍ରହଲ୍ଲାଦ ତାଙ୍କ ମା’ ଆସବାବପତ୍ରକୁ ବାହାରକୁ ଫିଙ୍ଗିଥିଲା |

ଏପଟେ ଦୀର୍ଘ ୯ ବର୍ଷ ଧରି ସାମାଜିକ ବାଚ୍ଛନ୍ଦରୁ ମୁକ୍ତି ପାଇବା ନିମନ୍ତେ ବିଭିନ୍ନ ସରକାରୀ ଅଧିକାରୀ ଓ ପୁଲିସଙ୍କ ନିକଟରେ ଗୁହାରି କରିଆସୁଥିଲେ ସୁଦ୍ଧା ଅଦ୍ୟାବିଧି କୌଣସି ସୁଫଳ ମିଳିନାହିଁ | ଏଣୁ ତାଙ୍କୁ ନ୍ୟାୟ ପ୍ରଦାନ ସହ ପୁଲିସ ଗ୍ରାମରେ ପହଁଚି ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ମା’ ଓ ପୁଅ ଆଜି ଏସପିଙ୍କୁ ଭେଟିଥିଲେ | ତେବେ କାମାକ୍ଷାନଗର ଥାନାକୁ ଶାନ୍ତିଲତାଙ୍କ ମାମଲାର ତଦନ୍ତ ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅତିରିକ୍ତ ଏସପି ଶିଶୁ ରଞ୍ଜନ ମହାପାତ୍ର ପ୍ରକାଶ କରିଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.