Take a fresh look at your lifestyle.

ସରକାରୀ ବିଦେଶୀ ଅର୍ଥରେ ନୂଆ ସମାଜ ଗଢିବା ଅସମ୍ଭବ : କୁମାର ପ୍ରଶାନ୍ତ

ଶାନ୍ତି ସ୍ଥାପନା ଆମର କାମ ନୁହେଁ, ସାମ୍ପ୍ରଦାୟୀକତାର ମାନସିକତାକୁ ସମାଜରୁ ଲୋପ କରିବା ମଧ୍ୟ ଆମର ପ୍ରମୁଖ କାମ ହେବା ଆବଶ୍ୟକ

0 45

Get real time updates directly on you device, subscribe now.

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ଭୁବନେଶ୍ଵରସ୍ଥ ସିୱାଇଏସଡି ପ୍ରେକ୍ଷାଳୟରେ ଆୟୋଜିତ ସମ୍ମିଳନୀରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା, ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଯୋଗଦେଇ କହିଲେ ଯେ,  ସ୍ଵେଚ୍ଛାସେବୀ ସଙ୍ଗଠନମାନେ ଏକ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି। ସରକାର ସେମାନଙ୍କ କାମକୁ ନିୟନ୍ତ୍ରଣ କରିବା ଲକ୍ଷରେ ନୂଆ ଆଇନ ପ୍ରଣୟନ କରିଛନ୍ତି। ହେଲେ ସମସ୍ତଙ୍କ ପାଇଁ ସମାନ ଭାବରେ ଏହି ଆଇନ ଲାଗୁ ହେଉ ନାହିଁ। ରାମ ମନ୍ଦିର ପାଇଁ ବିଦେଶୀ ଚାନ୍ଦା ଆସିବାବେଳେ ଏହି ଆଇନ ବାଧକ ସାଜୁନଥିବା ବେଳେ ଆଦିବାସୀ ଓ ମହିଳା ସଶକ୍ତିକରଣ ଅଥବା ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ପାଇଁ ଆସୁଥିବା ଅର୍ଥ ନିୟନ୍ତ୍ରଣ କରିବାରେ ସରକାର ଲାଗିଛନ୍ତି। ଏହାର ମୂଳ କାରଣ ହେଉଛି, ଆପଣମାନେ ଯେଉଁ ସଶକ୍ତ ସମାଜ ରଚନା ପାଇଁ ପ୍ରୟାସ କରୁଛନ୍ତି, ତାହା ସରକାରଙ୍କୁ ଭୟଭୀତ କରୁଅଛି। ଅନେକ ସଂସ୍ଥା ଗ୍ରାମୀଣ ସ୍ତରରେ ସଂପୂର୍ଣ୍ଣ ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଆପଣମାନଙ୍କ କଥାରୁ ବୁଝିଲି। ହେଲେ ସରକାର ମାନେ ନିଶାନିବାରଣ ଚାହାନ୍ତି ନାହିଁ । ନିଶା ବ୍ୟବସାୟ ସେମାନଙ୍କ ପାଇଁ ଏକ ଲାଭଜନକ ଧନ୍ଦା । ତେଣୁ ଆପଣମାନଙ୍କୁ ନିୟନ୍ତ୍ରଣ କରି ସରକାର ଗଣତନ୍ତ୍ରର ଗଳା ଚିପିବାକୁ ତତ୍ପର ।

ମହାତ୍ମାଗାନ୍ଧୀ ତାଙ୍କ ଶେଷ ଇଚ୍ଛାପତ୍ରରେ କଂଗ୍ରେସକୁ ଭାଙ୍ଗି ଯେଉଁ ଲୋକସେବକ ସଂଘ ଗଢିବାକୁ ଚାହିଁଥିଲେ, ବାସ୍ତବରେ ଯେଉଁ ସବୁ କାମରେ ଗାଁ ଗାଁରେ ଆପଣମାନେ ଲିପ୍ତ ଅଛନ୍ତି ସେହିସବୁ କାମ କରିବାକୁ ସେ କର୍ମୀକୁଳ ନିର୍ମାଣ କରିବା ଚାହୁଁଥିଲେ । ସେବାଗ୍ରାମ ଆଶ୍ରମରେ ଏହି ସଭା ହେବାର ପାଞ୍ଚ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରିଦିଆଗଲା। ତେବେ ଏହି ସଭାକୁ ସେ ତାଙ୍କର ଯେଉଁ ସବୁ ସହଯୋଗୀମାନଙ୍କୁ ନିମନ୍ତ୍ରଣ କରିଥିଲେ, ସେଥିରେ କ୍ଷମତା ରାଜନୀତିକୁ ଆପଣେଇ ନେଇଥିବା କୌଣସି ଜଣେ ବି ନେତାଙ୍କ ନାମ ନଥିଲା। ତେବେ ଆମେମାନେ ଯେଉଁ ପଦ୍ଧତିରେ ଏହି ରଚନାତ୍ମକ କାମରେ ଲିପ୍ତ ଅଛନ୍ତି, ତାହା ଏକ ଭୁଲ ଓ କଷ୍ଟକର ରାସ୍ତା । ସରକାର ବା ବିଦେଶୀ ଏଜେନ୍ସୀଙ୍କଠାରୁ ଅର୍ଥ ନେଇ ଆପଣ ନୂଆ ସମାଜ ଗଢି ପାରିବେ ନାହିଁ।

ଏନଜିଓ ମାନେ ଏହି ରାସ୍ତାରେ ଅର୍ଥ ସଂଗ୍ରହ କରି କିଛି ସେବା କାମ କରିପାରନ୍ତି। ବେସରକାରୀ ସଂସ୍ଥା ମଧ୍ୟରେ ଯେଉଁ ସରକାର ଶବ୍ଦ ରହିଛି, ସେଥିରୁ ବୁଝାପଡୁଛି ଯେ, ଆମର କାମ ଦ୍ଵିତୀୟ ଧାଡିର। ସରକାର ଆମକୁ କେବେ ବି ନିଜଠାରୁ ଆଗକୁ ଯିବାକୁ ଦେବେ ନାହିଁ। ତେଣୁ ଗାନ୍ଧୀଜୀ ଯେପରି ଲୋକଆଧାରିତ ହୋଇ ରଚନାତ୍ମକ କାମ କରୁଥିଲେ, ଆମକୁ ସେହି ପଥକୁ ବାଛିବାକୁ ହେବ। ତେବେ ଆମକୁ ସରକାରର ପ୍ରତିରୋଧ କାରଣରୁ କାମକୁ ଅଧାରୁ ଛାଡିଦେଲେ ହେବ ନାହିଁ । ଯେତେବେଳେ ଲୋକତନ୍ତ୍ର ଲୋକଙ୍କ ପାଖକୁ ଯିବ, ସେତେବେଳେ ଆମେ ହିଁ ସିଡି ଭାବେ ଲୋକତନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବା। କନ୍ଧମାଳ ଦଙ୍ଗା ପ୍ରଶମନରେ ଆପଣମାନଙ୍କର ଭୂମିକା ପ୍ରଶଂସନୀୟ । ତେବେ, ଏହା ମଧ୍ୟ ଜାଣିରଖିବା ଉଚିତ, କେବଳ ଶାନ୍ତି ସ୍ଥାପନା ଆମର କାମ ନୁହେଁ, ସାମ୍ପ୍ରଦାୟୀକତାର ମାନସିକତାକୁ ସମାଜରୁ ଲୋପ କରିବା ମଧ୍ୟ ଆମର ପ୍ରମୁଖ କାମ ହେବା ଆବଶ୍ୟକ।

ବିଶିଷ୍ଟ ସମାଜସେବୀ ଜଗଦାନନ୍ଦଙ୍କ ସଂଯୋଜନାରେ ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରୁ ପ୍ରମିଳା ସ୍ଵାଇଁ, ଇଞ୍ଜିନିୟର ଲଳିତ ମୋହନ ପଟ୍ଟନାୟକ, କୈଳାଶ ଦଣ୍ଡପାଟ, ବିଶାଖା ଭଞ୍ଜ, ଉମୀ ଡାନିଏଲ, ଜଗଦୀଶ ପ୍ରଧାନ, ସୁବୋଧ ପଟ୍ଟନାୟକ, ମଧୁ ଭାଇ, ସୁଦର୍ଶନ ଦାସ, ସୁରେଶ ମନ୍ତ୍ରୀ, ବିଜୟ ବାବୁଙ୍କ ସମେତ ନିଶ୍ଵାସ, ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଆଇଏମଏସ ଛାତ୍ରଛାତ୍ରୀମାନେ ଏହି ସଭାରେ ଶ୍ରୀ ପ୍ରଶାନ୍ତଙ୍କ ସହ ଆଲୋଚନା କରିଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ମନୋରଞ୍ଜନ ମହାନ୍ତି, ମାନସ ରଞ୍ଜନ ମିଶ୍ର ଓ ରାଷ୍ଟ୍ରୀୟ ଯୁବା ସଂଗଠନର ଡା॰ ବିଶ୍ଵଜିତ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ନୟାଗଡସ୍ଥ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଗାନ୍ଧୀଜୀ ନୂଆ କଣ କରିଛନ୍ତି ଶୀର୍ଷକ ଗାନ୍ଧୀ କଥା ଆୟୋଜିତ ହେବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.