ସାତଦିନିଆ ଓଡିଶା ଗସ୍ତରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ
ଆଜି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସରେ, ସିୱାଇଏସଡି ରେ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାମର ପ୍ରଭାବ ଶୀର୍ଷକ ଆଲୋଚନାରେ ଯୋଗଦେବେ ।
ଭୁବନେଶ୍ଵର : ବର୍ତ୍ତମାନ ଦେଶ ଜଳୁଛି । ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଭ୍ରଷ୍ଟାଚାର ଭାରତକୁ ବ୍ୟତିବ୍ୟସ୍ତ କରିପକାଉଛି । ଗାନ୍ଧୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ସ୍ଵାଧୀନତାକୁ ଭିକ ବୋଲି କୁହାହୋଇ ତାଙ୍କ ଫଟୋକୁ ଗୁଳି ମରାହେଉଛି । ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଭଙ୍ଗାହୋଇ ସପ୍ତ ତାରକା ହୋଟେଲରେ ପରିଣତ କରିବାକୁ ଅର୍ଥ ବ୍ୟୟବରାଦ କରା ହୋଇସାରିଲାଣି । ମୋଟାମୋଟି କହିବାକୁ ଗଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଖଳନାୟକ ସଜାଇବାର ଏକ ଯୋଜନାବଦ୍ଧ ଷଡଯନ୍ତ୍ର ରଚାହୋଇଛି । ଆଉ ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଆମ ଓଡିଶାକୁ ସାତଦିନିଆ ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ଗାନ୍ଧୀବାଦୀ ପ୍ରବକ୍ତା,ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କୁମାର ପ୍ରଶାନ୍ତ । ଗତ ଗାନ୍ଧୀ: ୧୫୦ ବର୍ଷ ପାଳନ ସମୟରେ ସେ ଆମ ରାଜ୍ୟକୁ ଆସିଥିଲେ ଓ ଇତିହାସର ଅନେକ ବିଷୟକୁ ଓଡିଶାବାସୀଙ୍କ ନିକଟରେ ରଖିଥିଲେ । ଆଉ ତାଙ୍କ ମୁହଁକୁ ବନ୍ଦ କରିବା ଉଦ୍ଦେଶ୍ୟରେ ତାଙ୍କ ବିରୋଧରେ କିଛି ଅସହିଷ୍ଣୁ ଲୋକେ କେସ ଦାୟର କରିଥିଲେ ।
ଚଳିତ ବର୍ଷ ଓଡିଶାବାସୀ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ବର୍ଷ ପାଳନ କରୁଛନ୍ତି ଓ ସମଗ୍ର ଦେଶ ସ୍ଵାଧୀନତାର ପଚସ୍ତରୀ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଛି । ଏହି ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଗ୍ରାମସ୍ୱରାଜ, ସ୍ୱାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସଦଭାବ, ନିଶା ନିବାରଣ ଆଦିର ବାର୍ତ୍ତା ଓଡିଶାବାସୀଙ୍କ ଭିତରେ ବାଣ୍ଟିବା ପାଇଁ ଶ୍ରୀ ପ୍ରଶାନ୍ତ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ।
ଆଗାମୀ ଡିସେମ୍ବର ମାସ ୧ ଓ ୨ ତାରିଖ ଦୁଇଦିନ ଧରି ଶ୍ରୀ ପ୍ରଶାନ୍ତ ଭୁବନେଶ୍ୱରସ୍ଥ ରାମ ମନ୍ଦିର ନିକଟ କ୍ୟାପିଟାଲ ହାଇସ୍କୁଲ ସନ୍ନିକଟ ରାଜ୍ୟ ସ୍କାଉଟ ଓ ଗାଇଡ ସଂସ୍ଥା ପରିସରରେ ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ପ୍ରତ୍ୟହ ଗାନ୍ଧୀକଥା ମାଧ୍ୟମରେ ଗାନ୍ଧୀ ଓ ସର୍ଦ୍ଦାର ପଟେଲ ଏବଂ ଗାନ୍ଧୀ ଓ ଆଜିର ଭାରତ ବିଷୟରେ ବକ୍ତବ୍ୟ ରଖିବେ । ୧ ତାରିଖ ପୂର୍ବାହ୍ନରେ ସ୍କାଉଟ ଅଫିସ ପ୍ରାଙ୍ଗଣରେ ଏକ ରାଜ୍ୟସ୍ତରୀୟ ଗାନ୍ଧୀବାଦୀ ସମ୍ମିଳନୀରେ ଉଦବୋଧନ ଦେବେ ଓ ୨ ତାରିଖ ପୂର୍ବାହ୍ନରେ ରାଜ୍ୟର ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିମାନଙ୍କ ସହ ଦେଶର ପରିସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା କରିବେ । ସେହିପରି ୩ ତାରିଖରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥ ସିୱାଇଏସଡି ପରିସରରେ ରାଜ୍ୟର ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କ ସହ ସ୍ଵେଚ୍ଛାସେବୀ ସଂଗଠନର କାମ ଉପରେ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାମର ପ୍ରଭାବ ଶୀର୍ଷକ ଆଲୋଚନାରେ ଯୋଗଦେବେ ।
ଡିସେମ୍ବର ୪ ତାରିଖରେ ନୟାଗଡଠାରେ ପଠାଣି ସାମନ୍ତ ଅଡିଟୋରିଅମଠାରେ ନୟାଗଡବାସୀଙ୍କୁ ଗାନ୍ଧୀ ଓ ଭାରତ ବିଭାଜନ ଶୀର୍ଷକ ଉଦବୋଧନ ଦେବେ । ୫ ଡିସେମ୍ବର ପୂର୍ବାହ୍ନରେ ଆଠଗଡ ଜନଜାଗରଣ ମଞ୍ଚ ପକ୍ଷରୁ କଟକ ଜିଲ୍ଲାର ଆଠଗଡ ମହୋତ୍ସବ ପଡିଆଠାରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେବେ । ସେହି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରଠାରେ ଗାନ୍ଧୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ସୋଗର ମହାତ୍ମା ଗାନ୍ଧୀ ଔଷଧାରଣ୍ୟ ପରିସରରେ ଉଦବୋଧନ ଦେବେ । ୬ ଡିସେମ୍ବରରେ ବାଲେଶ୍ଵର ଜିଲ୍ଲାର ସୋରୋ ଓମ ସାଇ କଲ୍ୟାଣ ମଣ୍ଡପଠାରେ ସୋରୋବାସୀଙ୍କୁ ଉଦବୋଧନ ଦେବାସହ ସନ୍ଧ୍ୟାରେ ଭଦ୍ରକ ଟାଉନହଲଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଶାଖା ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେବେ । ୭ ଡିସେମ୍ବରରେ ଚଣ୍ଡୀଖୋଲ ବାର ଆସୋସିଏସନ ଦ୍ଵାରା ଆୟୋଜିତ ସାଧାରଣ ସଭାରେ ବାରିଷ୍ଟର ଗାନ୍ଧୀ ବିଷୟରେ କଥା ରଖିବେ ଓ ଅପରାହ୍ନରେ ବଡଚଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପଡିଆ ଠକ୍କରବାପା ଆଶ୍ରମ ପରିସରରେ ନବକୃଷ୍ଣ ଚୌଧୁରୀ ଉଦ୍ୟାନର ଲୋକାର୍ପଣ କରିବେ । ତାଙ୍କ ସହିତ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସୁକନ୍ୟା କୃଷ୍ଣା ମହାନ୍ତି ଓ ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଉପସ୍ଥିତ ରହିବେ ।
ନଭେମ୍ବର ୨୪ ତାରିଖରେ ଲୋହିଆ ଏକାଡେମୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାଦେଶିକ ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ଡାଃ. ବିଶ୍ୱଜିତ, ଗାନ୍ଧୀବାଦୀ ମାନସ ମିଶ୍ର, ସୁରେଶ ଚନ୍ଦ୍ର ମହାନ୍ତି, ଗୌତମ ମହାନ୍ତି, ମାନସ ପଟ୍ଟନାୟକ, ଇଫତେକାର ଅହମଦ, ସାଗର ଦାସ, ତ୍ରିଲୋଚନ ମଲ୍ଲ, ପୁନେଶ ଦେହୁରି, ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।