Take a fresh look at your lifestyle.

ଯୋରନ୍ଦା ମେଳାର ଅନ୍ତିମ ପର୍ବ ଗୋଷ୍ଠୀ ସତ୍ସଙ୍ଗ : ଆଜିଠୁ ଫେରିବେ ନିଜ ଆଶ୍ରମକୁ ସନ୍ନ୍ୟାସୀ,ସାଧୁ ,ତ୍ୟାଗୀ ଓ ବୈରାଗୀ

0 38

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଅନ୍ତିମ ପର୍ବ ହେଉଛି ଗୋଷ୍ଠୀ ସତ୍ସଙ୍ଗ । ଏହି ଗୋଷ୍ଠୀ ସତ୍ସଙ୍ଗ ଉତ୍ସବ ମହିମାଗାଦିର ନାଟିମା ବଜାର ଗୋଷ୍ଠୀ ସତ୍ସଙ୍ଗ ବେଢାରେ ଗୁରୁବାର ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହୋଇଥିଲା ।

ଗୋଷ୍ଠୀ ସତ୍ସଙ୍ଗରେ ୨ ଶହ ରୁ ଉଦ୍ଧ୍ୱର୍ ବକ୍କଳଧାରୀ ସନ୍ନ୍ୟାସୀ ଙ୍କ ସମେତ ବହୁ ସଂଖ୍ୟାରେ ସାଧୁ, ତ୍ୟାଗୀ, ବୈରାଗୀ ଏକତ୍ର ହୋଇଛନ୍ତି । ପରସ୍ପରକୁ ଖାଦ୍ୟ ଖୁଆଇଦେବା ସହ ଆନନ୍ଦ ଉଲ୍ଲାସରେ ସତ୍ସଙ୍ଗରେ ଭାଗ ନେଇଛନ୍ତି । ପ୍ରତ୍ୟେକ ବର୍ଷ ମାଘମେଳା ପରେ ଏହି ସତ୍ସଙ୍ଗରେ ସାଧୁ ସନ୍ନ୍ୟାସୀମାନେ ସମବେତ ହୋଇଥାନ୍ତି । ଏଥିରେ ବରିଷ୍ଠ, କନିଷ୍ଠ, ତ୍ୟାଗୀ, ବୈରାଗୀର କୌଣସି ପ୍ରଭେଦ ନଥାଏ ।

ଏକାଠି ଦୀକ୍ଷା ଗ୍ରହଣ (ଏକତ୍ର ଭୋଜନ) ହେଉଛି ଏହି ଉତ୍ସବର ମୁଖ୍ୟ ଉଦେ୍ଦଶ୍ୟ । ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ପକ୍ଷରୁ ସଭାପତି ସୁକଦେବ ବାବାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଗୋଷ୍ଠୀ ସତ୍ସଙ୍ଗରେ ନରୋତ୍ତମ ବାବା, ସୁବ୍ରତ ବାବା, ଦୀନବନ୍ଧୁ ବାବା, ଶଙ୍କର୍ଷଣ ବାବା, ନଟବର ବାବା, ସଂପାଦକ ନିତ୍ୟାନନ୍ଦ ବାବାଙ୍କ ସମେତ ପ୍ରମୋଦ ବାବା, ଭୀମସେନ ବାବା, ଅନ୍ତର୍ଯ୍ୟାମୀ ବାବା ପ୍ରମୁଖ ବରିଷ୍ଠ ଓ କନିଷ୍ଠ ବାବାମାନେ ଏକତ୍ର ଭୋଜନ କରିଛନ୍ତି ।

ଏ ନେଇ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସଂପାଦକ ନିତ୍ୟାନନ୍ଦ ବାବା କୁହନ୍ତି, ମାଘମେଳାର ଅନ୍ତିମ ପର୍ବ ଗୋଷ୍ଠୀ ସତ୍ସଙ୍ଗରେ ଅଭେଦ ଭାବରେ ଏକପତ୍ରରେ ଭୋଜନ କରନ୍ତି । ପରସ୍ପର ଖାଦ୍ୟ ଖୁଆଖୁଇ ହୁଅନ୍ତି । ଭକ୍ତମାନେ ମଧ୍ୟ ଏକପତ୍ରରେ ଭୋଜନ କରିଥାନ୍ତି । ଚଳିତବର୍ଷ ଏହି ଗୋଷ୍ଠୀ ସତ୍ସଙ୍ଗରେ ସମସ୍ତେ ସାମିଲ ହୋଇ ଏକତ୍ର ଭୋଜନ କରିଥିବା କହିଛନ୍ତି ।

ଗୋଷ୍ଠୀ ସତ୍ସଙ୍ଗ ପରେ ସମବେତ ସାଧୁ, ସନ୍ନ୍ୟାସୀ, ତ୍ୟାଗୀ, ବୈରାଗୀ ଓ ଗୃହସ୍ଥ ଭକ୍ତମାନେ ସତ୍ସଙ୍ଗ ଗୋଷ୍ଠୀ ବେଢା ପରିସରରୁ ଖଞ୍ଜଣୀ ଭଜନ ସହ ଏକ ଶୋଭାଯାତ୍ରାରେ ଧ୍ୱନୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ।

ଧ୍ୱନୀ ମନ୍ଦିରରେ ଜଗତ କଲ୍ୟାଣ ଉଦେ୍ଦଶ୍ୟରେ ପ୍ରାର୍ଥନା କରିବା ସହିତ ଗୁରୁବ୍ରହ୍ମଙ୍କୁ ଶରଣ ଦର୍ଶନ କରିଛନ୍ତି । ଧ୍ୱନୀ ମନ୍ଦିରରୁ ପୁନଶ୍ଚ ଭଜନ ଗାଇ ଗାଇ ଗାଦି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ମଧ୍ୟ ଶୂନ୍ୟପ୍ରଭୁଙ୍କ ଶରଣ ଦର୍ଶନ କରିଥିଲେ ।

ଏଥିôସହିତ ସାଧୁ, ସନ୍ନ୍ୟାସୀମାନେ ନିଜେ ନିଜେ ଶରଣ ହୁଅନ୍ତି । ଭକ୍ତି ଶ୍ରଦ୍ଧାରେ ନାମ ଭଜନରେ ମଜ୍ଜି ଯାଇଥିବାବେଳେ ଗାଦି ମନ୍ଦିର ପରିସରରେ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

କେତେକ ସାଧୁ, ସନ୍ନ୍ୟାସୀ ନିଜ ନିଜ ଆଶ୍ରମକୁ ଫେରି ଯାଇଥିବାବେଳେ ଆଉକେତେକ ଆସନ୍ତାକାଲି ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

- Advertisement -

Leave A Reply

Your email address will not be published.