Take a fresh look at your lifestyle.

ମେରାମଣ୍ଡଳୀ କଲୋନୀ ସାହିରେ ରୁଙ୍ଗଟା କମ୍ପାନୀ ପ୍ରାୟୋଜିତ

ଅତ୍ୟାଚାର ବନ୍ଦ କରିବା ପାଇଁ ଦାବି

0 13

ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅଧିନସ୍ଥ ମେରାମଣ୍ଡଳୀ ଗ୍ରାମପଞ୍ଚାୟତର ମେରାମଣ୍ଡଳୀ କଲୋନୀ ଏସ୍.ସି ସାହିରେ ରୁଙ୍ଗଟା ମାଇନ୍ସ କମ୍ପାନୀ ପ୍ରାୟୋଜିତ ଅତ୍ୟାଚାର ବନ୍ଦ କରି ତୁରନ୍ତ ଜମିହରା ଏସ୍.ସି. (ପାଣ) ଲୋକମାନଙ୍କୁ ରୁଙ୍ଗଟା କମ୍ପାନୀର ପ୍ରତିଶୃତି ମୁତାବକ ନିଯୁକ୍ତି ଦେଇ ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ ଓ ସମତାକ୍ରାନ୍ତି ଦଳମାନଙ୍କ ତରଫରୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି ।

ଘଟଣାର ବିବରଣୀରୁ ପ୍ରକାଶ ଯେ, ରୁଙ୍ଗଟା ମାଇନ୍ସ କମ୍ପାନୀ ଉକ୍ତ ଏସ.ସି. ସାହିର ଲୋକମାନଙ୍କର ଜମିକୁ କମ୍ପାନୀର ରାସ୍ତା ପାଇଁ ବେଆଇନ ଭାବରେ ଦଲାଲ ଲଗାଇ ବିକି୍ର ଖର୍ଦ୍ଦି କବଲା କରି ନେଇଥିଲେ । ଜମି ଦେଇଥିବା ସମସ୍ତ ପରିବାରକୁ ନିଯୁକ୍ତି ଦିଆଯିବ ବୋଲି ସେତେବେଳେ କମ୍ପାନୀ ତରଫରୁ ପ୍ରତିଶୃତି ଦିଆଯାଇଥିଲା । ଯାହା କି ଶିଳ୍ପାୟନ ସଂପର୍କିତ ଆଇନକାନୁନ ଭିତରେ ରହିଛି । ୨୦୧୨ ମସିହାରୁ ଆଜି ପର୍ଯ୍ୟନ୍ତ ୧୦ବର୍ଷ ବିତିଯାଇଥିଲେ ବି ସେହି ପରିବାରଗୁଡିକରୁ କାହାକୁ ବି କମ୍ପାନୀରେ ନିଯୁକ୍ତି ଦିଆଗଲା ନାହିଁ ।

ବାରମ୍ବାର ଥାନା, ଜିଲ୍ଲାପାଳ ପ୍ରଭୁତିଙ୍କୁ ଆବେଦନ ନିବେଦନ କରିଥିଲେ ମଧା କୌଣସି ସୁଫଳ ନ ମିିଳିବାରେ ଜମି ମାଲିକମାନେ ଜମିର ସାମାନ୍ୟ କିଛି ଅଂଶ କମ୍ପାନୀ ଉପରେ ଚାପ ପ୍ରୟୋଗ କରିବା ଉଦେ୍ଦଶ୍ୟରେ ଛାଡି ନଥିଲେ । ସେଥିପାଇଁ କମ୍ପାନୀର ଯାତାୟତରେ କୌଣସି ସମସ୍ୟା ନଥିଲା ।

କିନ୍ତୁ ଗତ ୩/୯/୨୩ରିଖ ଦିନ ରାତି ୨ଟାରେ ରୁଙ୍ଗଟା କମ୍ପାନୀର ସିକୁ୍ୟରିଟି ଅଫିସର ଉମା ଶଙ୍କର ଗୁପ୍ତାଙ୍କ ମନଗଢା ଏତଲା ଉପରେ ମୋଟଙ୍ଗା ଥାନା ଅଧିକାରୀ ବିନା ରକ୍ତପାତରେ ୩୦୭ଭଳି ସଙ୍ଗୀନ ଦଫା ଲଗାଇ ସାହିର ବରିଷ୍ଠ ନାଗରିକଙ୍କ ସମେତ ୪୦ଜଣଙ୍କ ନାମରେ ମକଦ୍ଦମା ରଜୁ କରି ରାତିରେ ଗାଁରେ ଘରେ ଘରେ ପଶି ଆତଙ୍କରାଜ ସୃଷ୍ଟି କରି ଗିରଫ କରିବା ଏବଂ ଗାଁର ୩ଜଣ ଏସି.ସି. ପିଲାଙ୍କୁ ଥାନାକୁ ନେଇ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଛି ।

ଆଜି କଂଗ୍ରେସର ମୁଖପାତ୍ର ନିର୍ମଳ ମିଶ୍ର, ପ୍ରେମଶଙ୍କର ମିଶ୍ର, ସିପିଆଇ(ଏମ୍)ର ରାଜ୍ୟ କମିଟି ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବଦି୍ରନାରାୟଣ ଦାସ, ଜିଲ୍ଲା ଆବାହକ ସର୍ବଜ୍ଞ ସାହୁ, କୃଷକ ନେତା ଅଶୋକ ପୃଷ୍ଟି, ସନ୍ତୋଷ ବେହେରା, ସିପିଆଇର ବରିଷ୍ଠ ଶ୍ରମିକ ନେତା ରବି ରଥ ଏବଂ ସମତାକ୍ରାନ୍ତିର ଯୁବ ନେତା ସରୋଜ ଶତପଥୀ, ଉଫୁନାର ରାଜ୍ୟ ସଭାପତି ଆଡ୍ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଆଜି ମେରାମଣ୍ଡଳୀ କଲୋନୀ ସାହିରେ ପହଁଚି ସାହିର ଜମିହରା ପରିବାର ଏବଂ ମିଥ୍ୟା ମକଦ୍ଦମାରେ ଜଡିତ କରାଯାଇଥିବା ବରିଷ୍ଠ ନାଗରିକ ଏବଂ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବା ଗାଁର ମହିଳା ଓ ଯୁବକମାନଙ୍କ ସହିତ ଆଲୋଚନା କରି ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ସଭା ମେରା ମଣ୍ଡଳୀ କଲୋନୀ ସାହିରେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଗାଁ ର ଅନ୍ୟତମ ନେତା ପ୍ରିୟ ନାୟକ ସଭାପତିତ୍ୱ କରିଥିଲେ । ଜଣ ଗଣ ଙ୍କ ଉପରେ ଅତ୍ୟାଚାର ବିରୋଧରେ ଏକ ପ୍ରତିବାଦ ସଭା ରେ ରାଜ୍ୟ ସ୍ତରୀୟ ନେତୃ ବନ୍ଦ ଯୋଗଦେବାପାଇଁ ସ୍ତିର କରାଯାଇଛି । ଏହି ଆଲୋଚନାବେଳେ ସେମାନେ ସେମାନଙ୍କର ଦୁଃଖ ବୟାନ କରିବା ସହିତ ସେମାନଙ୍କ ପ୍ରତି ଦୀର୍ଘଦିନ ଧରି କରାଯାଉଥିବା ନିର୍ଯ୍ୟାତନାର ସମାଧାନ ପାଇଁ ସେମାନେ ବିକଳ ନିବେଦନ କରିଥିଲେ ।

ପ୍ରତିନିଧି ମଣ୍ଡଳୀ ଅନୁଭବ କରିଥିଲେ ଯେ, ଲୋକମାନଙ୍କୁ ନାରେ ମିଥ୍ୟା ମକଦ୍ଦମା କରି ଲୋକମାନେ ଗାଁ ଛାଡିକି ବୁଲିବା ପରେ କମ୍ପାନୀ କର୍ତୃପକ୍ଷ ଯେଭଳି ଭାବରେ ରାସ୍ତା କାମକୁ ସଂପୂର୍ଣ୍ଣ କଲେ ସେଥିରୁ ପ୍ରମାଣିତ ହେଉଅଛି ଯେ, ପୋଲିସ ଏବଂ କମ୍ପାନୀ ମିିଳିତ ଭାବରେ ଏହି ଗରିବ ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି । କମ୍ପାନୀ ପାଇଁ ଜମି ନେଇସାରିବା ପରେ ଜମି ଦେଇଥିବା ଲୋକମାନଙ୍କ ଉପରେ ଅତ୍ୟାଚାର କରିବା କେତେ ଦୂର ଯଥାର୍ଥ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଗୁରୁତର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ଜିଲ୍ଲାପାଳଙ୍କୁ ଏବଂ ଏସ୍ପିଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଗରିବ ଲୋକଙ୍କ ପାଇଁ ଯେଭଳି ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବା କଥା ତାହା ଦୀର୍ଘ ୧୦ବର୍ଷ ଧରି ନ କରିବା ଫଳରେ କମ୍ପାନୀ ଏଭଳି ବେଆଇନ୍ କାମ କରିବା ପାଇଁ ସାହାସ ପାଉଛି ବୋଲି ପ୍ରତିନିଧି ମଣ୍ଡଳୀ ଅନୁଭବ କରିଛନ୍ତି ।

ତେଣୁ ଏହି ବିଷୟରେ ଜିଲ୍ଲା ପ୍ରଶାସନ ଆଗେଇ ଆସି ଗରିବ ଏସ୍.ସି. ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉପରୋକ୍ତ ରାଜନୈତିକ ନେତୃମଣ୍ଡଳୀଙ୍କ ତରଫରୁ ଏକ ମିଳିତ ବିବୃତିରେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

- Advertisement -

Leave A Reply

Your email address will not be published.