Take a fresh look at your lifestyle.

୩୧ ରୁ ସମୂହ ଛୁଟି ରେ ଯିବେ ଅସନ୍ତୁଷ୍ଟ କୃଷି ସେବା ସଂଘ

0 5

Get real time updates directly on you device, subscribe now.

ଢେଙ୍କାନାଳ: ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ଭାରତ ସରକାରଙ୍କ ୨୦୧୬ ରେ ପ୍ରଚଳିତ ବିଜ୍ଞପ୍ତି ଦ୍ଵାରା କୃଷି ଭିତ୍ତିକ ଶିକ୍ଷାକୁ ଏକ ବୃତ୍ତିଗତ ଶିକ୍ଷାର ମାନ୍ୟତା ପ୍ରଦାନ କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷା ପ୍ରାପ୍ତ କ୍ୟାଡର୍ ମାନଙ୍କ ସହ ସମକକ୍ଷ କରି କୃଷି ବିଭାଗର ଅଧିକାରୀଙ୍କୁ ଗୃପ୍ ‘ଏ’ ରେ ନିଯୁକ୍ତି ଦିଆଯିବା ପାଇଁ କୃଷି ଅଧିକାରୀଙ୍କ ଦୀର୍ଘଦିନରୁ ଦାବି ରହିଆସିଅଛି ।

ନୂତନ ଭାବରେ ପୁନର୍ବିନ୍ୟାସ ନ କରି ସୀମିତ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ଦେଇ କୃଷି ବିଭାଗର ସମସ୍ତ ନୂତନ ଓ ପ୍ରଚଳିତ ଯୋଜନା ଗୁଡିକ କାର୍ଯ୍ୟକାରୀ କରାଯାଉଅଛି ଯାହା କୃଷି ଅଧିକାରୀଙ୍କ ମାନସିକ ଦୁଶ୍ଚିନ୍ତାର କାରଣ ହୋଇଛି । ଏପରିକି ଗୋଟିଏ “ବେତନ ହାର” (ଲେଭେଲ-୧୩ ରେ କୃଷି ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ) ରେ ଦୁଇଟି ପଦୋନ୍ନତି ପଦ ରହିଅଛି ଯାହା ଅନ୍ୟ କୌଣସି କ୍ୟାଡର ରେ ପରିଲକ୍ଷିତ ହୁଏ ନାହିଁ ।

ବହୁଦିନ ଧରି ବିଭାଗରେ ପଦବୀ ଗୁଡିକ ଖାଲି ରହିବା ସହ ନୂତନ ନିଯୁକ୍ତି ହେଉ ନ ଥିବାରୁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସମୟାନୁସାରେ ପଦୋନ୍ନତି ଜନିତ ସମସ୍ୟା ମଧ୍ୟ ନିରନ୍ତର ଭାବେ ପରିଲକ୍ଷିତ ହେଉଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଯଦିଓ ବହୁ ବିଭାଗୀୟ ପରୀକ୍ଷାଗାର ସ୍ଥାପନ ସହ କୃଷକ ମଙ୍ଗଳକାରୀ ଯୋଜନାସମୂହ କାର୍ଯ୍ୟକାରୀତା ନିମନ୍ତେ ସ୍ଵତନ୍ତ୍ର କୃଷି ବଜେଟ୍ ଆଗତ କରାଯାଇଥିଲେ ହେଁ ସେହି ଅନୁପାତରେ କ୍ୟାଡରରେ ଗୋଟିଏ ମଧ୍ୟ ନୂତନ ପଦବୀ ସୃଷ୍ଟି କରାଯାଇନାହିଁ ।

ଏହି ସବୁ ପ୍ରତିକୂଳ ପରିସ୍ଥିତିରେ ଓଡିଶା କୃଷି ସେବା ସଂଘ ବିଗତ ୨ ବର୍ଷ ଧରି ଓଡିଶା କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ପାଇଁ ବାରମ୍ବାର ଦାବି କଲାପରେ ସରକାର ଉକ୍ତ କ୍ୟାଡର ପୁନର୍ବିନ୍ୟାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି କ୍ରମରେ ବିଗତ ଏକ ବର୍ଷ ଧରି ବାରମ୍ବାର ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ତଥା ନିର୍ଦ୍ଦେଶକ ଙ୍କ ମଧ୍ୟରେ ଆଲୋଚନା ପର୍ଯାଲୋଚନା ହୋଇସାରିଛି ।

ଏହା ମଧ୍ୟରେ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ରେ ଗଠିତ କମିଟି ତା ୧୪/୦୭/୨୦୨୩ ରିଖ ଦିନ ସରକାରଙ୍କୁ କ୍ୟାଡର ପୁନର୍ବିନ୍ୟାସ ସମ୍ବନ୍ଧିତ ସୁପାରିଶ ପତ୍ର ଏବଂ ଏହାର ଯଥାର୍ଥତା ପ୍ରତିପାଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ତାହାକୁ ପରବର୍ତ୍ତୀ ପଦକ୍ଷେପ ଅନୁସରଣ ମୂଳକ କୌଣସି ଦିଗଦର୍ଶନ ପ୍ରଦାନ ନ କରି ଶୀତଳଭଣ୍ଡାର ରେ ରଖିଛନ୍ତି ।

ଆଗରୁ ସରକାରଙ୍କ ପ୍ରତିଶ୍ରୁତି ପାଇ ସଂଘ ଆନ୍ଦୋଳନକୁ ଅଗଷ୍ଟ ୧୫ ଯାଏଁ ସ୍ଥଗିତ ରଖିଥିଲା, ହେଲେ ଏଯାବତ୍ ସରକାରଙ୍କ ଦ୍ଵାରା କୌଣସି ଉଲ୍ଲେଖନୀୟ ପଦକ୍ଷେପ ନିଆ ନ ଯିବାରୁ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି ।ବିଭାଗୀୟ ଟାଳଟୁଳ ନୀତି କୁ ଦୃଷ୍ଟି ଆଗରେ ରଖି ଓଡିଶା କୃଷି ସେବା ସଂଘ, ଢେଙ୍କାନାଳ ଶାଖା ର ପ୍ରତ୍ଯେକ ସଦସ୍ୟ ଦୁଃଖିତ ଓ ମ୍ରିୟମାଣ ହୋଇ ନିଜ ଅଭିଯୋଗ ପତ୍ର ଆଜି ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗୋଚରାର୍ଥେ ଏବଂ ସକ୍ରିୟ କାର୍ଯ୍ୟାନୁଷ୍ଠାନ ସକାଶେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରିଛନ୍ତି।

ସରକାରଙ୍କ ଠାରୁ ନ୍ୟାୟୋଚିତ ପଦକ୍ଷେପ ନ ମିଳିଲେ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ ପୂର୍ବକ ଆସନ୍ତା ଅଗଷ୍ଟ ୩୧ ତାରିଖ ଠାରୁ ସମୂହ କାର୍ଯ୍ୟବନ୍ଦ ର ଡାକରା ସହ ସମୂହ ଛୁଟି ରେ ଯିବେ ବୋଲି ସଂଘ ଚେତାବନୀ ଦେଇଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.