Take a fresh look at your lifestyle.

ନେତାଜୀ ଜନମାନସର ‘ଲୋକ ନାୟକ’

ଆଇଆଇଏମ୍‍ସିରେ ଜାତୀୟ ୱେବନାର

0 153

Get real time updates directly on you device, subscribe now.

ଢେଙ୍କାନାଳ :  ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଉ ଅବା ସଶସ୍ତ୍ର ସଂଗ୍ରାମ, ଏଥିରେ ସାମିଲ ହୋଇ ତ୍ୟାଗ କରିବାକୁ ଭାରତବାସୀଙ୍କୁ ନେତାଜୀ ସବୁବେଳେ ପ୍ରେରିତ କରିପାରୁଥିଲେ । ତାଙ୍କର ଆହ୍ୱାନ, ଭାଷଣ ଶୁଣି ଯୁବକମାନେ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ ହେଉଥିଲେ ।

ଏଥିପାଇଁ ନେତାଜୀ ନିଜର ବେଶଭୂଷା, ସାଙ୍କେତିକ ଭାଷା, ଆବେଗ- ସବୁକୁ ସୁନ୍ଦର ଭାବେ ବ୍ୟବହାର କରିଥିଲେ । ଜୀବନକାଳ ଭିତରେ ନେତାଜୀଙ୍କ କାର୍ଯ୍ୟ ଏତେ ବିବିଧ, ନାଟକୀୟ ଓ ରହସ୍ୟମୟ ଯେ, ଦେଶର ଜନମାନସରେ ସେ ଜଣେ ‘ଲୋକ ନାୟକ’(ଫୋକ୍‍ ହିରୋ) ବୋଲି କହିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ।

ନେତାଜୀଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ରବିବାର ସନ୍ଧ୍ୟାରେ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ଓ ଦ୍ୱିଭାଷୀ ମିଡିଆ ପତ୍ରିକା ‘କମ୍ୟୁନିକେସନ ଟୁଡେ’ ପକ୍ଷରୁ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଜଣେ ମହାନ ଯୋଗାଯୋଗକାରୀ’ ଶୀର୍ଷକରେ ଜାତୀୟ ୱେବନାର ଅନୁଷ୍ଠିତ ହୋଇଛି ।

ଏଥିରେ ପ୍ରଫେସର ଚାଟାର୍ଜୀ ବିସ୍ତୃତ ଭାବେ ନେତାଜୀଙ୍କ ଯୋଗାଯୋଗ ଶୈଳୀ ଉପରେ ଆଲୋଚନା କରିଥିଲେ । ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ବହୁ ସମାନତା ଥିଲା । ଉଭୟେ କାର୍ଯ୍ୟର କଥା କହୁଥିଲେ । ଗାନ୍ଧୀ ‘କର ଅବା ମର’ ସ୍ଲୋଗାନ ଦେଇଥିଲା ବେଳେ ନେତାଜୀ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ କହୁଥିଲେ । ଉଭୟେ ତ୍ୟାଗର କଥା କହିଥିଲେ । ମାତ୍ର ତ୍ୟାଗର ରୂପରେଖକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଥିଲା ।

ଆହୁରି ସେ କହିଥିଲେ, ଖବରକାଗଜ ଓ ରେଡିଓର ବ୍ୟବହାର କରି ନେତାଜୀ ସ୍ୱାଧୀନତା ସଂଗ୍ରାମ ଓ ବ୍ରିଟିଶ ସାମ୍ରାଜ୍ୟର ଅପପ୍ରଚାର ବିରୋଧରେ ଲୋକଙ୍କୁ ସଚେତନ କରିବାରେ ସଫଳ ହୋଇଥିଲେ । କେଉଁ ଶ୍ରୋତାଙ୍କୁ କିଭଳି କହିବେ, ତାହା ଭଲ ଭାବେ ନେତାଜୀ ଜାଣିଥିଲେ ।ୱାର୍ଦ୍ଧା ସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟ କ୍ରିପାଶଙ୍କର ଚୌବେ ନେତାଜୀଙ୍କ ସାମ୍ବାଦିକତା ଉପରେ କହିଥିଲେ । ‘ଫରୱାର୍ଡ ବ୍ଲକ’ ସମ୍ବାଦପତ୍ର ମାଧ୍ୟମରେ ନେତାଜୀ ଦେଶର କୃଷକ, ଶ୍ରମିକଙ୍କ ବହୁବିଧ ସମସ୍ୟା, ବାମପନ୍ଥୀ ଚିନ୍ତାଧାରର ପ୍ରସାର, କଂଗ୍ରେସର ବିଭିନ୍ନ କାର୍ଯ୍ୟକଳାପ ଉପରେ ଟିପ୍ପଣୀ, ଆଦି ବିଭିନ୍ନ ବିଷୟରେ ନେତାଜୀ ନିଜର ସ୍ୱତନ୍ତ୍ର ମତ ରଖୁଥିଲେ ।

 କାର୍ଯ୍ୟକ୍ରମକୁ ‘କମ୍ୟୁନିକେସନ ଟୁଡେ’ର ସମ୍ପାଦକ ପ୍ରଫେସର ସଞ୍ଜୀବ ଭନାୱତ ପରିଚାଳନା କରିଥିଲେ । ଆରମ୍ଭରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ୱେବନାରରେ ଆଇଆଇଏମ୍‍ସି ଆଇଜଲ, କୋଟାୟମ, ଢେଙ୍କାନାଳର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.