ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ : ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ
*ପ୍ରାୟ ଦୁଇ ଘଣ୍ଟା ଧରି ଗାଁରେ ଆତଙ୍
ଭୁବନ(ପୂର୍ଣଚନ୍ଦ୍ର ସାହୁ):ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଜଣେ ଯୁବକଙ୍କ ଉତ୍ପାତକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘରେ ପଶି ପରିବାରର ମହିଳା ଓ ଝିଅଙ୍କ ସହ ଅସଦାଚରଣ କରିବା, ଘରର ଝରକା, ଚେୟାର ସମେତ ଆସବାବପତ୍ର ଭାଙ୍ଗିବା, ମହିଳାଙ୍କୁ ମାଡ଼ ମାରିବା ଓ ଟଣାଓଟରା କରିବା ସହ ଏକ ଜନସେବା କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଓଡ଼ିଶ ଗ୍ରାମର ରାଜ୍ୟ ହ୍ୟୁମାନ୍ ରାଇଟ୍ସ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଘରେ ନଥିବା ସମୟରେ ପଡ଼ୋଶୀ ସ୍ୱର୍ଗତ ନବ ସେନାପତିଙ୍କ ପୁଅ ଯଦୁନାଥ ସେନାପତି ତାଙ୍କ ଘରେ ପଶିଥିଲେ। ସେଠାରେ ତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ରଣା ଏବଂ ଝିଅଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାସହ ଘରର ଝରକା, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ରହିଛି।
ଏତିକିରେ ଥମିନଥିଲା ଯୁବକଙ୍କ ଉତ୍ପାତ। ଘର ପାଖରେ ରହୁଥିବା ଗୋଲେଖ ରଣା ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀ ଏବଂ ମାନସିକ ଭାବେ ଅସୁସ୍ଥ ଭଉଣୀଙ୍କୁ ମାଡ଼ ମାରିବା ସହ ଘରର ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି।
ପରେ ଅଭିଯୁକ୍ତ ଜଣକ ଗାଁର ଏକ ଜନସେବା କେନ୍ଦ୍ରରେ ପଶି ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏହାପରେ ଗାଁର ଅଂଶୁମାନ ଷଣ୍ଢଙ୍କ ଘରର ଫାଟକକୁ ଟେକାପଥର ମାରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଏହି ଘଟଣା ପ୍ରାୟ ଦିନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଯୁବକଙ୍କ ଏଭଳି ଆଚରଣରେ ଗାଁରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା କ୍ରମେ ଗମ୍ଭୀର ରୂପ ନେବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଅଭିଯୁକ୍ତ ଯୁବକଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ରଖିଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ପୁଷ୍ପାଞ୍ଜଳି ରଣାଙ୍କ ସମେତ ପ୍ରାୟ ୩/୪ ଜଣ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ୩ଟି ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଥିବା କୁହାଯାଇଛି।
ଅଭିଯୋଗ ପାଇବା ପରେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଛି। ଘଟଣାର ପ୍ରକୃତ କାରଣ କଣ, କାହିଁକି ଯୁବକ ଜଣକ ଏଭଳି ଭାବେ ଉତ୍ପାତ କରିଥିଲେ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ—ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଅଭିଯୁକ୍ତ ଯୁବକ ନିଶାଦ୍ରବ୍ୟ ବା ଡ୍ରଗ୍ସ ସେବନରେ ଅଭ୍ୟସ୍ତ ବୋଲି ଗାଁରେ ଚର୍ଚ୍ଚା ହେଉଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ।
ଏକାଧିକ ପରିବାରକୁ ଭୟଭୀତ କରିବା, ଘର ଓ ଜନସେବା କେନ୍ଦ୍ରରେ ଭଙ୍ଗାରୁଜା, ମହିଳାଙ୍କ ସହ ଦୁର୍ବ୍ୟବହାର ଏବଂ ଟେକାପଥର ମାଡ଼ ଭଳି ଅଭିଯୋଗକୁ ନେଇ ଏବେ ଓଡ଼ିଶ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।
ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କି ପଦକ୍ଷେପ ନେଉଛି ଏବଂ ଆଇନ ଅନୁଯାୟୀ କି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ଏବେ ଓଡ଼ିଶ ଗ୍ରାମବାସୀଙ୍କ ନଜର ରହିଛି।
