Take a fresh look at your lifestyle.

ମିଳିତ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

0 3

ଢେଙ୍କାନାଳ: ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ଢେଙ୍କାନାଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଟାଉନ୍‌ହଲ୍‌ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ୍‌ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।

ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସର୍ବଜ୍ଞ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଏଆଇଟିୟୁସି ଜିଲ୍ଲା ସଭାପତି ରବି ରଥ, ହରପ୍ରିୟା ସ୍ୱାଇଁ, ଶିବରାମ ସାହୁ, ଶ୍ରୀଧର ମଲ୍ଲିକ, ଅଯୋଧ୍ୟା ସାହୁ, ସରୋଜ ଶତପଥୀ, ବିପ୍ରବର ସାହୁ, ପ୍ରଫୁଲ୍ଲ କୁମାର ନାଏକ, ସୁଜାତା ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ବକ୍ତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ସମାଲୋଚନା କରି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ନୂତନ ଶ୍ରମ କୋଡ୍‌ ବାତିଲ, ଦୈନିକ ୮ ଘଣ୍ଟିଆ କାର୍ଯ୍ୟଦିବସ ଲାଗୁ, ଅଙ୍ଗନୱାଡି, ଆଶା ଓ ପାଚିକାଙ୍କ ସମେତ ସ୍କିମ୍‌ କର୍ମଚାରୀଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା, ମାସିକ ପେନ୍‌ସନ୍‌ ୧୦ ହଜାର ଟଙ୍କା ପ୍ରଦାନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ବୈଦେଶିକ ଚୁକ୍ତି ପ୍ରତ୍ୟାହାର, କୃଷିଜାତ ଦ୍ରବ୍ୟର ଉଚିତ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ, ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରାଯାଇଥିଲା।

ସେହିପରି ମନରେଗା ଯୋଜନାରେ ଦୈନିକ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନିୟନ୍ତ୍ରଣ ସମେତ ଅନ୍ୟାନ୍ୟ ଦାବି ନେଇ ବକ୍ତାମାନେ ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ଏସବୁ ଦାବି ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଭାରେ ଚେତାବନୀ ଦିଆଯାଇଥିଲା।

- Advertisement -

Leave A Reply

Your email address will not be published.