Take a fresh look at your lifestyle.

ଡାକ ବିଭାଗ ଓ କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତିକୁ ଡାକ କର୍ମଚାରୀଙ୍କ ବିରୋଧ

ଢେଙ୍କାନାଳ ମୁଖ୍ୟ ଡାକଘର ସାମ୍ନାରେ ଧର୍ମଘଟ

0 163

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ କର୍ମଚାରୀମାନେ କେନ୍ଦ୍ର ସରକାର ଏବଂ ଡାକ ବିଭାଗର ଜମାକାରୀ ମାରଣ ନୀତିକୁ ବିରୋଧ କରି ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ଲୋଲୁପଦୃଷ୍ଟି ଏବେ ଡାକଘରେ ଥିବା ସ୍ୱଳ୍ପ ସଂଚୟ ବ୍ୟବସ୍ଥାର ଜମାକାରୀଙ୍କ ଉପରେ ପଡୁଛି ବୋଲି ଅଭିଯୋଗ କରିଛନ୍ତି ।

ଡାକ ବିଭାଗ ଘରୋଇକରଣ ପାଇଁ ସରକାର ଉଦ୍ୟମ ଚଳାଇ ଡାକ ଘର ସ୍ୱଳ୍ପ ସଂଚୟ ଜମା ବ୍ୟବସ୍ଥାକୁ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଲିମିଟେଡ୍ରେ ମିଶେଇ ଦେବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଭାରତୀୟ ଡାକ କର୍ମଚାରୀ ମହାସଂଘ ଘୋର ବିରୋଧ କରୁଥିବା ବେଳେ ତୃତୀୟ ଶ୍ରେଣୀ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଓ ଅନ୍ୟାନ୍ୟ ସଂଘ ଗୁଡିକ ଘୋର ବିରୋଧ କରିଛନ୍ତି ।

ଯଦି ଘରୋଇକରଣ ହୁଏ, ତେବେ ଜମାକାରୀମାନେ ଡାକଘରେ ରଖିଥିବା ସେମାନଙ୍କ ବହୁ କଷ୍ଟ ଅର୍ଜିତ ଜମାରାଶି ବିପଦ ଘେରକୁ ଚାଲିଯିବ । ମିଳୁଥିବା ସୁଧହାର ୪%ରୁ ଖସି ୨% ହୋଇଯିବ । ଯଦି ଭବିଷ୍ୟତରେ ଇଣ୍ଡିଆ ପୋଷ୍ଟ ପେମେଂଟ୍ ବ୍ୟାଙ୍କ ଲିଃ ଦେବାଳିଆ ହୁଏ, ତେବେ ଜମାକାରୀ ଯେତେ ଟଙ୍କା ରଖନ୍ତୁ ନା କାହିଁକି, ମାତ୍ର ୨ଲକ୍ଷ ଟଙ୍କାର ସରକାରଙ୍କ ଠାରୁ ପାଇପାରିବେ, ଯାହାକି ଡାକଘର ସ୍ୱଳ୍ପ ସଂଚୟ ଜମା ଯୋଜନାରେ ନାହିଁ ।

ସାଧାରଣତଃ ମଧ୍ୟବିତ ପରିବାର ଲୋକେ ଓ ବରିଷ୍ଠ ନାଗରିକମାନେ ଡାକଘରେ ନିଜର ଆବଶ୍ୟକତା ମୁତାବକ ଉପଯୁକ୍ତ ଖାତାରେ ରଖିଥାନ୍ତି । ଡାକଘର ସ୍ୱଳ୍ପ ସଂଚୟ ଜମାରେ ଅଧିକ ସୁଧହାର ଏବଂ ସୁନିଶ୍ଚିତ ପରିଶୋଧ ବ୍ୟବସ୍ଥା ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତାକୁ ସୁନିଶ୍ଚିତ କରିଥାଏ ।

ଏହାଛଡ଼ା ଏମ୍ପି, କେବିୱାଇ ଏବଂ ଏଜେନ୍ସି ମାଧ୍ୟମରେ ଜମାକାରିଙ୍କର ଅର୍ଥ ଜମାକରି ଅନେକ ଏଜେଂଟ୍ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏଥିରେ ଅନେକ ମହିଳା ନିଜକୁ ସ୍ୱାବଲମ୍ବି କରିବା ସହ ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିଛନ୍ତି । ଡାକଘର ସଂଚୟ ବ୍ୟାଙ୍କର ଇଣ୍ଡିଆ ପୋଷ୍ଟ ପେମେଂଟ୍ ବ୍ୟାଙ୍କରେ ମିଶ୍ରଣ ଡାକ ବିଭାଗ ଓ କେନ୍ଦ୍ରସରକାରଙ୍କ ନିଗମୀକରଣ ଏବଂ ଘରୋଇ କରଣ ନିତି ଡାକଘର ଓ କର୍ମଚାରୀମାନଙ୍କ ଅସ୍ଥିତ୍ୱ ଲୋପ କରିଦେବ ବୋଲି ଧାରଣାସ୍ଥଳରେ ସଂଘର ନେତାମାନେ ଦୃଢ଼ ବିରୋଧ କରିଛନ୍ତି ।

ଏହି ବିରୋଧ ସାରାଦିନ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଡାକ କର୍ମଚାରୀ, ଗ୍ରାମୀଣ ଡାକ ସେବକମାନେ ଯୋଗ ଦେଇଥିଲେ । ଢେଙ୍କାନାଳ ଡାକ ମଣ୍ଡଳ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଡାକଘର ସାମ୍ନାରେ ଧର୍ମଘଟ କରିଥିଲେ ।

ଉକ୍ତ ଧର୍ମଘଟରେ ୩ୟ ଶ୍ରେଣୀ ମଣ୍ଡଳ ସଂପାଦକ ସୂର୍ଯ୍ୟକାନ୍ତ ସାହୁ, ମଣ୍ଡଳ ସଭାପତି ଚନ୍ଦ୍ରଶେଖର ସିଂ, ପୋଷ୍ଟମ୍ୟାନ ଏବଂ ଏମ୍ପିଏସ୍ ମଣ୍ଡଳ ସଂପାଦକ ଅଭିଳାସ ମହାପାତ୍ର, ଗ୍ରାମୀଣ ଡାକ ସେବକ ସଂଘର ପ୍ରମୋଦ ସାହୁ, ପ୍ରଭାକର ନାଏକ, ସଭାପତି ସତ୍ୟବାଦୀ ରାଉତ, ତୃତୀୟ ଶ୍ରେଣୀ ସାଂଗଠନିକ ସଂପାଦକ ଦୀପ୍ତିରଞ୍ଜନ ସାମନ୍ତ ପ୍ରମୁଖ ଉଦ୍ବୋଧନ ଦେଇ ଦୃଢ଼ ବିରୋଧ କରିବାକୁ ଶପଥ ନେଇଥିଲେ ।

ଏହି ଆନେ୍ଦାଳନକୁ ଆହୁରି ଅଧିକ ତୀବ୍ର କରାଯିବ ବୋଲି ସଂଘର ନେତାମାନେ ଚେତାବନୀ ଦେଇଛନ୍ତି ।

- Advertisement -

Leave A Reply

Your email address will not be published.