Take a fresh look at your lifestyle.

ଆଇଆଇଏମ୍‍ସିରେ ଫିଲ୍ମି ଚକ୍କର-୪ ଆରମ୍ଭ ,ସ୍ଥାୟୀ ନୁହେଁ ‘ଷ୍ଟାରଡମ୍‍’

0 8

Get real time updates directly on you device, subscribe now.

ଢେଙ୍କାନାଳ: ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଅପପୁଷ୍ଟି, ନିରକ୍ଷରତା ଆଦି ବିଭିନ୍ନ ସମସ୍ୟା ପାଇଁ ସରକାର ନେଉଥିବା ପଦକ୍ଷେପକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଦରକାର ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।

 ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଆରମ୍ଭ ହୋଇଛି ଚଳଚ୍ଚିତ୍ର ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ । ଏଥିରେ ଅତିଥିଭାବେ ଯୋଗଦେଇ ଶ୍ରୀ ସେଠୀ କହିଛନ୍ତି, ବର୍ତ୍ତମାନ ଚଳଚ୍ଚିତ୍ରରେ କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ବିଭିନ୍ନ ପ୍ରକାରର କାହାଣୀ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ମଧ୍ୟ ଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକମାନେ ଭଲ କାହାଣୀ ଥିବା ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଅନ୍ୟତମ ଅତିଥିଭାବେ ଯୋଗଦେଇ ଅଭିନେତା ତଥା ‘ମୋ କଲେଜ୍‍ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି, ପ୍ରଶଂସକଙ୍କ ପାଇଁ ଷ୍ଟାରଡମ୍‍ । ବିନା ପ୍ରଶଂସକରେ ଜଣେ କେବେ ହେଲେ ଷ୍ଟାର ହୋଇପାରେନି । ପ୍ରଶଂସକମାନେ ଦେଉଥିବା ଭଲପାଇବା, ସ୍ନେହ, ପ୍ରେମ ସବୁଠୁଁ ଭିନ୍ନ । ଏହାର ଅନୁଭବ ଖୁବ୍‍ ଅନନ୍ୟ । ତେବେ ଷ୍ଟାରଡମ୍‍ ସ୍ଥାୟୀ ନୁହେଁ । ସମସ୍ତଙ୍କ ପାଖରେ, ସବୁବେଳେ ଷ୍ଟାରଡମ୍‍ ରହେନି । ଯେଉଁ ଦର୍ଶକ ବା ପ୍ରଶଂସକମାନେ ଜଣେ ଅଭିନେତା ବା ଅଭିନେତ୍ରୀଙ୍କୁ ଷ୍ଟାରଡମ୍‍ ଭାବେ ବିବେଚିତ କରନ୍ତି, ସେଇମାନେ ହିଁ ସେମାନଙ୍କୁ ସମୟକ୍ରମେ ପସନ୍ଦ କରିନଥା’ନ୍ତି । ଯେତେବେଳେ କୌଣସି ଅଭିନେତାଙ୍କ କ୍ରେଜ୍‍ କମିଯାଏ ବା ଚଳଚ୍ଚିତ୍ର ଫ୍ଲପ୍‍ ହୋଇଯାଏ, ସେତେବେଳେ ସେମାନଙ୍କ ପ୍ରଶଂସକମାନେ ସେହି ଅଭିନେତାଙ୍କୁ ନେଇ ନାନାଦି କଥା କହିଥା’ନ୍ତି । ଏଣୁ ‘ଷ୍ଟାରଡମ୍‍’ ପରି ଶବ୍ଦକୁ ଡର ଲାଗିଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଅଭିନେତାଟିଏ ଷ୍ଟାର ପାଲଟିଯିବା ପରେ ତାକୁ ତା’ ମୂଲ୍ୟ ଦେବାକୁ ପଡ଼ିଥାଏ । ଯେଉଁ ପ୍ରଶଂସକମାନେ ଷ୍ଟାର ବନାନ୍ତି, ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସେମାନେ ବାଧ୍ୟ କରନ୍ତି । କେବେ କେବେ ଫଟୋ ଉଠାଇବାବେଳେ ବିଚିତ୍ର ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ । କେବେ ଅଭିନେତାଙ୍କ ପାଦ ଉପରେ ଚଢ଼ି ଫଟୋ ଉଠାଇବାରେ ବ୍ୟସ୍ତ ଥା’ନ୍ତି ତ କେବେ ଅଭିନେତାକୁ କୁଣ୍ଢାଇବାକୁ ଚେଷ୍ଟା କରି ତାଙ୍କ ସାର୍ଟ ମଧ୍ୟ ଚିରିପକାନ୍ତି । ପ୍ରଶଂସକଙ୍କୁ ନେଇ ନିଜର କିଛି ଅନୁଭୂତି ବଖାଣିଛନ୍ତି ଶ୍ରୀ ତ୍ରିପାଠୀ । ସେ କହିଛନ୍ତି, ଆଇଆଇଏମ୍‍ସି ଯେଉଁଭଳି ଭାବେ ଚଳଚ୍ଚିତ୍ରକୁ ନେଇ ଏକ ଉତ୍ତମ ମାନର କାର୍ଯ୍ୟକ୍ରମ ଆୟୋଜନ କରିଛି, ତାହା ନିଶ୍ଚିତଭାବେ ପ୍ରଶଂସନୀୟ । ଆଗାମୀ ଦିନରେ ନିଗମ ପକ୍ଷରୁ ଏହିପରି ବିରଳ ପୋଷ୍ଟର ପ୍ରଦର୍ଶନୀ ଓ ପ୍ରଶଂସକଙ୍କ ପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାର ଯୋଜନା  କରାଯାଉଛି । ଏହାସହ ଆସନ୍ତା ବର୍ଷ ଆଇଆଇଏମ୍‍ସି ସହ ମିଶି ନିଗମ ପକ୍ଷରୁ ଚଳଚ୍ଚିତ୍ର ଉପରେ ଏକ ଆଲୋଚନାଚକ୍ର ଆୟୋଜନ ମଧ୍ୟ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

 ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପିୟୁଷ ରାୟ କହିଛନ୍ତି, ଆଜି ଆମେ ଏକ ଦୃଶ୍ୟ-ଶ୍ରାବ୍ୟ (ଭିଜୁଆଲ) ଯୁଗରେ ଅଛୁ । ଏହି ଭିଜୁଆଲ ଯୁଗରେ ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାଦ୍ୱାରା ଅଭିନୟ, ଚିତ୍ରକଳା, ସଙ୍ଗୀତ ଆଦି ଅନେକ କଳାତ୍ମକ ବିଭବ ପ୍ରସ୍ଫୁଟିତ ହୋଇପାରୁଛି । ସେହିପରି ହଜିଯାଉଥିବା ସଂସ୍କୃତି, ପରମ୍ପରା, ଦୃଶ୍ୟ ଓ କାହାଣୀକୁ ମଧ୍ୟ ସଂରକ୍ଷିତ କରି ରଖିପାରୁଛି ଚଳଚ୍ଚିତ୍ର । ଏଣୁ ଚଳଚ୍ଚିତ୍ର ହେଉଛି ଏକାଧାରରେ କଳା, ସଂସ୍କୃତି, ରାଜନୀତି ଓ ଦର୍ଶନ । ଯେତେବେଳେ ଚଳଚ୍ଚିତ୍ର ଆରମ୍ଭ ହେଲା ସେତେବେଳେ ପ୍ରଯୋଜକ ଓ ଷ୍ଟୁଡିଓକୁ ଷ୍ଟାର ଭାବେ ବିବେଚନା କରାଯାଉଥିଲା । ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକମାନେ ହିଁ ଷ୍ଟାର ଭୂମିକା ନିର୍ବାହ କରୁଛନ୍ତି । ଏହି ଶତାବ୍ଦୀ ଚଳଚ୍ଚିତ୍ରର ଶତାବ୍ଦୀ । କାରଣ ଆମେ ଗତିଶୀଳ ଚିତ୍ର (ଭିଡିଓ) ବିନା କିଛି ବି ପରିକଳ୍ପନା କରିପାରୁନୁ । ଚଳଚ୍ଚିତ୍ରର ଭାଷା ଆଉ ପ୍ରତିବନ୍ଧକ ହୋଇ ରହିନାହିଁ । ସବ୍‍ଟାଇଟଲ୍‍ ମାଧ୍ୟମରେ ଯେକୌଣସି ଭାଷାର ଚଳଚ୍ଚିତ୍ରକୁ ଦର୍ଶକମାନେ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି । ଏମିତି ଏକ ସ୍ଥିତିରେ ଚଳଚ୍ଚିତ୍ରକୁ ନେଇ ଏହିପରି ସମ୍ମିଳନୀ ସାରା ଦେଶରେ ହେବା ଦରକାର । ବୋଧହୁଏ ଚଳଚ୍ଚିତ୍ରକୁ ନେଇ ଦେଶର ଏହା ସବୁଠୁଁ ବଡ଼ ସମ୍ମିଳନୀ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଷ୍ଟାରଡମ୍‍ର ଅର୍ଥ ବଦଳିବାରେ ଲାଗିଛି । ପୂର୍ବରୁ ଯାହା ଥିଲା, ଏବେ ସେୟା ନାହିଁ । ଆଗକୁ ମଧ୍ୟ ତାହା ଅଲଗା ହୋଇପାରେ । ଏଣୁ ଷ୍ଟାରଡମ୍‍କୁ ନେଇ ପୁନଃଚିନ୍ତନ କରିବାର ଅବସର ଆସିଛି । ଏହି ସମ୍ମିଳନୀ ଓ କର୍ମଶାଳାରେ ଷ୍ଟାରଡମ୍‍ର ବିଭିନ୍ନ ଦିଗ ଉପରେ ହେବାକୁ ଥିବା ଆଲୋଚନା ବେଶ୍‍ କିଛି ପ୍ରଶ୍ନର ଉତ୍ତର ରଖିବାରେ ସମର୍ଥ ହେବ ବୋଲି ସେ କହିଛନ୍ତି ।

ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି ଉଦ୍‍ଘାଟନୀ ଅଧିବେଶନ । ପରେ ଅତିଥିମାନେ ବିରଳ ଚଳଚ୍ଚିତ୍ର ପୋଷ୍ଟର, ଚିଠି ଓ କିଛି ଚଳଚ୍ଚିତ୍ର ପତ୍ରିକାକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଶିକ୍ଷାବିତ ଓ ଗବେଷକ ଯୋଗ ଦେଇଛନ୍ତି । 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.