Take a fresh look at your lifestyle.

ଐତିହ୍ୟ ପଦଯାତ୍ରାର ତୃତୀୟ ଚରଣରେ ଏଥର ଢେଙ୍କାନାଳ ଜେଲ୍

0 5

ଢେଙ୍କାନାଳ : ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଛି । ଏଥର ପଦଯାତ୍ରୀ ମାନେ ଓଡିଶାର ଅନ୍ୟତମ ପ୍ରାଚୀନ କାରାଗାର ରୁପେ ପରିଚିତ ଢେଙ୍କାନାଳ ଜେଲ୍ ଭ୍ରମଣ କରିଥିଲେ । ସକାଳ ୭ଟାରେ ଐତିହ୍ୟ ପଦଯାତ୍ରୀ ମାନେ ଜେଲ୍ ସମ୍ମୁଖରେ ଉପସ୍ଥିତ ହେବା ପରେ,ଜେଲ୍ ଅଧିକ୍ଷକ ପ୍ରସନ୍ନ କୁମାର ସାହୁ ପଦଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଢେଙ୍କାନାଳ ଜେଲ୍ ର ପ୍ରତିଷ୍ଠା,ପରମ୍ପରା ଓ ବିଶେଷତ୍ୱ ସମ୍ପର୍କରେ ବିସ୍ତ୍ରୃତ ଭାବରେ ଅବଗତ କରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ,୧୯୧୬ ମସିହାରେ ଢେଙ୍କାନାଳ ଜେଲ୍ ପ୍ରତିଷ୍ଠା ହୋଇଥିଲା । ତିନିଶହରୁ ଅଧିକ ବନ୍ଦୀ ଏଠାରେ ରହିବାର ବ୍ୟବସ୍ଥା ରହିଛି ।

ଢେଙ୍କାନାଳ ଜେଲ୍ ରେ ଫାଶୀ ଦେବାପାଇଁ ଫାଶୀଖୁଣ୍ଟ ରହିଥିଲେ ମଧ୍ୟ ଏଠାରେ ଏଯାବତ୍ କାହାକୁ ଫାଶୀ ଦିଆଯାଇନାହିଁ । ଏତଦବ୍ୟତୀତ ଢେଙ୍କାନାଳ ଜେଲ୍ ହେଉଛି ଏକମାତ୍ର ଜେଲ୍ ଯେଉଁଠାରେ ରାଜୁଡା ଅମଳରୁ ଏକ ଛାପାଖାନା କାର୍ଯ୍ୟକ୍ଷମ ରହିଛି । ଓଡିଶାର ଅନ୍ୟ କୌଣସି ଜେଲ୍ ରେ ଏଭଳି ଛାପାଖାନା ଥିବାର ନଜିର୍ ନାହିଁ ।

ଏହାଛଡା ଏକ ଗୋଶାଳା,ପନିପରିବା ଚାଷ,ତେଲ,ହଳଦୀ ଗୁଣ୍ଡ ମିଲ୍ ଓ ହସ୍ତତନ୍ତ ଦ୍ୱାରା ସୁନ୍ଦର ସୁନ୍ଦର ରୁମାଲ୍,ଗାମୁଛା, ଟାୱେଲ୍,ଦରି,ଆସନ,ପାପୋଛ ଓ ଫିନାଇଲ୍ ପରି ଜିନିଷ ଏଠାରେ ତିଆରି କରାଯାଇଥାଏ ଓ ସେଗୁଡିକ ବିକ୍ରୟ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜେଲ୍ ଅଧିକ୍ଷକ ଶ୍ରୀ ସାହୁ ଐତିହ୍ୟ ପଦଯାତ୍ରୀଙ୍କୁ ଅବଗତ କରାଇ ଥିଲେ ।

ଓଡିଶାର ଏତେ ପୁରୁଣା ଜେଲ୍ ର ପରିସର ଅତ୍ୟନ୍ତ ସଫାସୁତୁରା ରହିଥିବା ଦେଖି ପଦଯାତ୍ରୀ ଦଳ ଆନନ୍ଦ ବ୍ୟକ୍ତ କରିବା ସହିତ ଏହି ଜେଲ୍ କୁ ଏକ ଆଦର୍ଶ ଜେଲ୍ ରେ ପରିଣତ କରିବାକୁ କରାଯାଉଥିବା ଉଦ୍ୟମ ପାଇଁ ଜେଲ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଜିର ପଦଯାତ୍ରାରେ କଟକ ଐତିହ୍ୟ ପଦଯାତ୍ରାର ଦୀପକ ସାମନ୍ତରାୟ, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ଓମ ପ୍ରକାଶ ମହାନ୍ତି,ବିଶିଷ୍ଟ ପୁସ୍ତକ ପ୍ରକାଶକ ଜୀବାନନ୍ଦ ମିଶ୍ର,ସମାଜ ସେବୀ ବିଶ୍ୱରଞ୍ଜନ ଦେହୁରୀ,ପ୍ରସେନଜିତ ସାହୁ,ଲଳିତ ମୋହନ ପଣ୍ଡା ,ଅମିତ୍ କୁମାର ଙ୍କ ସହିତ ଢେଙ୍କାନାଳ ହେରିଟେଜ୍ ୱ ।କ୍ ର ସମସ୍ତ ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ମାସର ତୃତୀୟ ରବିବାର ଜିଲ୍ଲାର କୌଣସି ଏକ ଐତିହ୍ୟ ସ୍ଥଳୀ ଭ୍ରମଣ କରି ପଦଯାତ୍ରୀ ମାନେ ସଚେତନତା ସୃଷ୍ଟି କରିବା ସହିତ ସେ ସ୍ଥାନ ସମ୍ପର୍କରେ ଗୋଟିଏ ଗୋଟିଏ ପୁସ୍ତିକା ପ୍ରକାଶ କରାଯିବ ବୋଲି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.