Take a fresh look at your lifestyle.

ମହିଳା ସଶକ୍ତିକରଣ ପାଇଁ ଆଇନ୍ ସହାୟତା ତାଲିମ୍

0 38

ଢେଙ୍କାନାଳ : ଢେଙ୍କାନାଳ ଶ୍ୟମାଚରଣପୁରସ୍ଥିତ ସେୟାର ତାଲିମ୍ ଗୃହଠାରେ ୟୁଏସ୍ କନ୍ସୁଲେଟ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ୱାତି ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ୍ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ୍ ଶିବିରକୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ହିଂସା ଏବଂ ଶୋଷଣ ଆଦିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଅନେକ ଗୁଡିଏ ଆଇନ୍ ପ୍ରଣୟନ କରିଛନ୍ତି । ଏହି ଆଇନ୍ ଗୁଡିକ ସମ୍ପର୍କରେ ମହିଳାମାନେ ଅଧିକରୁ ଅଧିକ ସଚେତନ ହେବା ଆବଶ୍ୟକ । ଆଇନ୍କୁ ତର୍ଜମା କରି ସେମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏଭଳି ପ୍ରଶିକ୍ଷଣ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ତାଲିମ୍ ଶିବିରର ଉଦ୍ୟାପନୀ ଦିବସରେ ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆକାଶବାଣୀ ଯୋରନ୍ଦା କେନ୍ଦ୍ରର ସତ୍ୟଭାମା ହୋତା, କବି ଅଥୟ କୁମାର ସାହୁ, ସାମ୍ବାଦିକ ଶିଶିର କୁମାର ଶତପଥୀ ପ୍ରମୁଖ ଯୋଗଦେଇ ତାଲିମ୍ରେ ଅଂଶଗ୍ରହଣ କରିଥିବା ମହିଳାମାନେ ପ୍ରଥମେ ନିଜଠାରୁ ପରିବର୍ତ୍ତନ ଆରମ୍ଭ କଲେ ସମାଜର ପରିବର୍ତ୍ତନ କରିପାରିବ ବୋଲି କହିଥିଲେ । ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।

  ଏହି କାର୍ଯ୍ୟକ୍ରମରେ ତାଲିମ୍ଦାତା ଭାବରେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ ପ୍ରତିହାରୀ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗଦେଇ ଲିଙ୍ଗ ଏବଂ ଲିଙ୍ଗଗତ ହିଂସା, ପୋକ୍ସ ଆଇନ୍, ଘରୋଇ ହିଂସା ଆଇନ୍ ସମେତ ବିଭିନ୍ନ ଆଇନ୍ ଗୁଡିକ ସମ୍ପର୍କରେ ତର୍ଜମା କରିଥିଲେ । ଏହି ଶିବିରରେ ପଞ୍ଚାୟତ ପ୍ରତିନିଧି, ଉଜ୍ୱଳା, ସଖିର କର୍ମକର୍ତ୍ତାଙ୍କ ସମେତ ସାମାଜିକ କର୍ମୀ ଏବଂ କମ୍ୟୁନିଟି କ୍ୟାଡରମାନେ ଯୋଗ ଦେଇଥିଲେ ।

- Advertisement -

Leave A Reply

Your email address will not be published.