Take a fresh look at your lifestyle.

ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଅହମ୍ମଦିୟା ମୁସଲିମ ସଂଗଠନର ପ୍ରୟାସ

0 155

Get real time updates directly on you device, subscribe now.

ଓଡ଼ିଶା: ବିଶ୍ଵବ୍ୟାପ୍ତ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ତରଫରୁ ୨୨ ଜାନୁଆରୀ ୨୦୨୩ ରବିବାର ଦିନ “ ହୋଟେଲ ପାଲ ହାଇଟସ୍” ଠାରେ ଏକ ‘Peace Symposium’- ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ ଗଣେଶୀ ଲାଲ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ | ପୌରୋହିତ୍ୟ କରିଥିଲେ ମହମ୍ମଦ ନୁରୁଦ୍ଦିନ ଅମିନ ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର ଡ଼ ଅଶୋକ କୁମାର ମହାପାତ୍ର, ଶ୍ରୀ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର ବି.ଆର. ଶର୍ମା, କେ. ତାରିକ, ସଭାପତି ଅହମଦୀୟା ମୁସଲିମ ଭାରତର ଯୁବ ସଂଗଠନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ଏହି ଶାନ୍ତି ସମ୍ମିଳନୀରେ ବିଶ୍ଵରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ତା’ର ମୌଳିକତା ବିଷୟରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିନିଧି, ଧାର୍ମିକ ବିଦ୍ଵାନ, ରାଜନେତା ତଥା ବିଭିନ୍ନ ବର୍ଗର ବୁଦ୍ଧିଜୀବୀମାନେ ଯୋଗଦେଇ ଏକ ଛାତ ତଳେ ବିଶ୍ଵ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ପ୍ରୟାସକୁ ସମର୍ଥନ କରିଥିଲେ ।


ଆଜିର ଦୁନିଆ ଏକ ଅଶାନ୍ତ ଝଡ଼ର ତାଣ୍ଡବରେ ଦୋଦୁଲ୍ୟମାନ ଅବସ୍ଥା ଦେଇ ଗତି କରୁଛି । ଏହା ଏକ ବିଶ୍ବବ୍ୟାପ୍ତ ଧାର୍ମିକ ସମ୍ପ୍ରଦାୟ ହୋଇଥିବାରୁ ଏହାର ପ୍ରଥମ ଆଭିମୁଖ୍ୟ ହେଲା ବିଶ୍ୱକୁ ଶାନ୍ତି ପ୍ରତିଷ୍ଠା ଦିଗରେ ମାର୍ଗ ଦର୍ଶନ କରାଇବା । ଇସଲାମ ଧର୍ମର ଉଦ୍ଦେଶ୍ୟ ହେଲା ମନୁଷ୍ୟକୁ ତା’ର ସୃଷ୍ଟିକର୍ତା ସର୍ବଶକ୍ତିମାନ ଈଶ୍ଵରଙ୍କ ସହିତ ସଂପର୍କ ସ୍ଥାପନ କରି ପ୍ରକୃତ ଶାନ୍ତି ହାସଲ କରିବା ।

ଐଶ୍ବରୀୟ ନିର୍ଦ୍ଦେଶାନୁଯାୟୀ ୧୪୦୦ ବର୍ଷ ପୂର୍ବେ ଇସଲାମ ଧର୍ମର ପ୍ରତିଷ୍ଠାତା ମହାମାନ୍ୟ ପୈଗମ୍ବର ମୁହମ୍ମଦ ଏହି ବାର୍ତା ମାନବ ସମାଜକୁ ପହଂଚାଇବାର ପ୍ରୟାସ ଆରମ୍ଭ କରିଥିଲେ । ଅହମଦିୟା ମୁସଲିମ ସମ୍ପ୍ରଦାୟ ଏହା ବିଶ୍ବାସ କରେ ଯେ ସର୍ବଶକ୍ତିମାନ ଅଲ୍ଲାହ୍ ହଜରତ ମିର୍ଜା ଗୁଲାମ ଅହମଦଙ୍କୁ ଏ ଯୁଗର ପ୍ରତିଶ୍ରୁତ ଯୁଗାବତାର ଭାବେ ପ୍ରେରଣ କରିଛନ୍ତି । ଏ ସଂପର୍କରେ ପୂର୍ବରୁ ମହାମାନ୍ୟ ହଜରତ ମୁହମ୍ମଦ ସଲ୍ଲମ ଭବିଷ୍ୟତବାଣୀ କରିଥିଲେ ଯେ ସେ ଆସି ମାନବ ସମାଜକୁ ଏକତ୍ରିତ କରିବେ । ଧର୍ମଯୁଦ୍ଧକୁ ସମାପ୍ତ କରିବେ ।

ନୈତିକତା, ନ୍ୟାୟ ଏବଂ ଶାନ୍ତି ଫେରାଇ ଆଣିବେ । ଇସଲାମୀୟ ଖିଲାଫତ ବ୍ୟବସ୍ଥା ଭଳି ଅହମଦିୟା ମୁସଲିମ ସମ୍ପ୍ରଦାୟରେ ମଧ୍ୟ ଖିଲାଫତର ବ୍ୟବସ୍ଥା ପ୍ରଚଳିତ ରହିଛି । ହଜରତ ମିର୍ଜା ମସରୁର ଅହମଦ ଏବେ ଅହମଦିୟା ମୁସଲିମ ସମ୍ପ୍ରଦାୟର ପଂଚମ ଖଲିଫା, ତାଙ୍କ ମାର୍ଗ ଦର୍ଶନରେ ଏହି ସମ୍ପ୍ରଦାୟ ବିଶ୍ବଶାନ୍ତି ଓ ବିଶ୍ୱ ଭାଇଚାରା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଆସୁଛି । ଜାତି, ଧର୍ମ, ବର୍ଷ ନିର୍ବିଶେଷରେ ଏହି ସମ୍ପ୍ରଦାୟ ତା’ର ଏକ ଉପଶାଖା ‘ହୁମାନିଟି ଫାଷ୍ଟ’ ମାଧ୍ୟମରେ ସମାଜର ଗରିବ, ଅସହାୟ ଏବଂ ଦିନ-ଦରିଦ୍ରଙ୍କ ସହ ସହାନୁଭୂତି ତଥା ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆସୁଛି । ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ରିଲିଫ୍ ସେବା ଯୋଗାଇ ଦେଇଆସୁଛି ।

ବିଶ୍ଵଗୁରୁ ହଜରତ ମିର୍ଜା ମସରୁର ଅହମଦ କହିଲେ; ଯଦି ଆମେ ପ୍ରକୃତ ଶାନ୍ତି ଚାହୁଁଛେ, ତେବେ ଆମକୁ ନ୍ୟାୟ ସହିତ କାର୍ଯ୍ୟ କରିବାକୁ ହେବ । ଆମେ ସମାନତା ଏବଂ ନିରପେକ୍ଷତାକୁ ଗୁରୁତ୍ବ ଦେବା ଉଚିତ । ଇସଲାମ ଧର୍ମଗୁରୁ ମହାମାନ୍ୟ ପୈଗମ୍ବର ମୁହମ୍ମଦ ଏକ ସୁନ୍ଦର କଥାଟିଏ କହିଥିଲେ ଯେ ଆମେ ନିଜ ପାଇଁ ଯାହା ପସନ୍ଦ କରୁଛେ, ତାହା ଅନ୍ୟମାନଙ୍କ ପାଇଁ ବି ପସନ୍ଦ କରିବା ଉଚିତ୍ । ଯେପରି ଆମେ ନିଜର ଅଧିକାର ପାଇଁ ପ୍ରୟାସ କରୁଛେ, ସେହିଭଳି ଅନ୍ୟର ଅଧିକାରକୁ ଦେବା ପାଇଁ ପ୍ରୟାସ କରିବା ଉଚିତ୍ । ନିଜର କଲ୍ୟାଣ କାମନା କରିବା ସହ ବିଶ୍ଵର କଲ୍ୟାଣ କାମନା କରିବା ଉଚିତ୍ । ଏ ସବୁ ପ୍ରକ୍ରିୟା ବର୍ତମାନ ଯୁଗରେ ଶାନ୍ତି ପ୍ରତିଷ୍ଠା କରିବାର ମାଧ୍ୟମ । ଅହମଦିୟା ମୁସଲିମ ସମ୍ପ୍ରଦାୟ ସମଗ୍ର ବିଶ୍ଵରେ ଏପରି‘ Peace Symposium’- ଶାନ୍ତି ସମ୍ମିଳନୀର ଆୟୋଜନ କରିଆସୁଛି ।

ଏହାର ଉଦ୍ଦେଶ୍ୟ ହେଲା ବିଭିନ୍ନ ବର୍ଗର ଲୋକମାନଙ୍କୁ ଏକତ୍ର କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ହାସଲ କରିବା । ଏବଂ ସେମାନଙ୍କ ଭାବନା ପ୍ରକାଶ କରିବା ଏବଂ ଆଦାନ-ପ୍ରଦାନ ପାଇଁ ସେମାନଙ୍କୁ ଏକ ସାଧାରଣ ପ୍ଲାଟଫର୍ମ ଯୋଗାଇବା । ଏହି ସମ୍ମିଳନୀରେ ବିଭିନ୍ନ ଧର୍ମର ନେତା, ପଣ୍ଡିତ, କୂଟନୀତିଜ୍ଞ, ଧର୍ମବିଶ୍ଵାସୀ ଏବଂ ଏକାଡ଼େମିକ ଅତିଥିମାନେ ଯୋଗଦେଇଥିଲେ ।

ଏହି ଶାନ୍ତି ସମ୍ମିଳନୀ ମାଧ୍ୟମରେ ଜ୍ଞାନୀ, ବୁଦ୍ଧିଜୀବୀ ତଥା ଧାର୍ମିକ ପଣ୍ଡିତମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାରେ ଉଲ୍ଲେଖନୀୟ ପଦକ୍ଷେପ ତଥା ବିଶ୍ବକୁ ବିପର୍ଯ୍ୟୟରୁ କିପରି ରକ୍ଷା କରାଯାଇ ପାରିବ ଏବଂ ବିଶ୍ୱକୁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ବିଷୟରେ ସ୍ମରଣ କରାଇବା ପାଇଁ ବକ୍ତାମାନେ ଅହମଦିୟା ମୁସଲିମ ସମ୍ପ୍ରଦାୟର ଉଦ୍ୟମକୁ ବହୁତ ପ୍ରଶଂସା କରିଥିଲେ ।ଏହି ସମ୍ମିଳନୀରେ ମୌଲାନା ଫଜଲ ହକ ଖାଁ, ମୌଲାନା ନବିଦୁଲ ଫତହ ଯୋଗଦେଇ ସ୍ଥାୟୀ ଶାନ୍ତି ବିଷୟରେ ନିଜର ମତାମତ ରଖିଥିଲେ।

କାର୍ଯ୍ୟରେ ସହଯୋଗ କରିଥିଲେ ଅହମଦିୟା ଯୁବ ସଂଗଠନର ସଭାପତି ସମିର ଅହମଦ ଏବଂ କର୍ମକର୍ତ୍ତାମାନେ। ସ୍ଥାନୀୟ ହୋଟେଲ ପାଲ ହାଇଟ୍ସ ଠାରେ ଅହମଦିଆ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଶାନ୍ତି ସମ୍ମିଳନୀ ରବିବାର ଆୟୋଜିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଆର କେ ଶର୍ମା, ଅନ୍ୟତମ ଅତିଥି ଭାବେ ବିଶିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଅହମଦିଆ ସମ୍ପ୍ରଦାୟର ସର୍ବ ଭାରତୀୟ ଯୁବ ଶାଖାର ସଭାପତି କେ.ତାରିକ ଯୋଗଦାନ କରି ଶାନ୍ତିର ଆଵଶ୍ୟକତା ସାମ୍ପ୍ରତିକ ସମାଜ ପାଇଁ ଅପରିହାର୍ଯ୍ୟ ଥିବା ଦର୍ଶାଇଥିଲେ ।

ସମ୍ମାନିତ ଅତିଥି ପ୍ରଫେସର ଗଣେଶୀ ଲାଲ ସମସ୍ତେ ଶାନ୍ତି ଚାହୁଁଥିବା ବେଳେ ବିଗତ 2 ହଜାର ବର୍ଷ ଭିତରେ 3 ହଜାର ଯୁଦ୍ଧ ସଙ୍ଘଠିତ ହୋଇଥିବା ସୂଚିତ କରାଇଥିଲେ ।ଆତ୍ମରୁ ଶାନ୍ତି ଅନୁଭବ କରି ପ୍ରତ୍ୟେକଙ୍କୁ ସମ୍ମାନ ଓ ଭଲ ପାଇବା ହିଁ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ ବୋଲି ସେ ସୁଚାଇଥିଲେ ।

ଶାନ୍ତି ସମୃଦ୍ଧି ଆଣେ ଓ ସମୃଦ୍ଧି ସାମାଜିକ ପ୍ରଗତିରେ ସହାୟକ ହୋଇଥିବା ଉଲ୍ଲେଖ କରିଥିଲେ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର। ଧର୍ମ ବ୍ୟତିରେକ ପ୍ରତ୍ୟେକ ମଣିଷ ଅପରକୁ ବିଶ୍ୱାସ, ସ୍ନେହ, ଭଲପାଇବା ଓ ସମ୍ମାନ ଦେବାକୁ ଆଗେଇ ଆସିବାକୁ ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ଏହି ଶାନ୍ତି ସମ୍ମିଳନୀକୁ ସଞ୍ଚାଳନ କରିଥିଲେ ମହମ୍ମଦ ନୁରୁଦ୍ଦିନ ଅମିନ । ସମ୍ମିଳନୀରେ ବିଭିନ୍ନ ଧର୍ମର ଶତାଧିକ ଡାକ୍ତର, ସମାଜସେବୀ, ପ୍ରଶାସକ, ରାଜନେତା, ବୁଦ୍ଧିଜୀବୀ ଯୋଗଦେଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ମତାମତ ପ୍ରଦାନ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.