Take a fresh look at your lifestyle.

ନିର୍ଦ୍ଦୋଷଙ୍କୁ ଗିରଫ ଅଭିଯୋଗ : ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବଣିଆସାହିବାସୀଙ୍କ ବିକ୍ଷୋଭ

0 6

ଢେଙ୍କାନାଳ, (ଜ୍ଞାନରଞ୍ଜନ ଶତପଥି ) : ଭାପୁର ଗ୍ରାମପଞ୍ଚାୟତ ଅଧୀନ ବଣିଆସାହିର ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ପ୍ରକୃତ ଅଭିଯୁକ୍ତକୁ ଗିରଫ ନକରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ଅଭିଯୋଗରେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଣିଆସାହି ଅନୁସୂଚିତ ଜାତିସମ୍ପ୍ରଦାୟ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୭ ଏପ୍ରିଲରେ ଭାପୁର ଫାଣ୍ଡି ଅନ୍ତର୍ଗତ ବଣିଆସାହିର ଅଶାନ୍ତି ନାଏକଙ୍କ ଉପରେ ଘଟିଥିବା ଅମାନବୀୟ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ପ୍ରକୃତ ଅଭିଯୁକ୍ତକୁ ଗିରଫ ନକରି ସୁକୁଟା ନାଏକଙ୍କୁ ବେଆଇନ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ପୋଲିସ ସୁକୁଟାଙ୍କୁ ଦୁଇଥର ଥାନାକୁ ନେଇ ପଚରାଉଚରା କରିଥିବାବେଳେ ସେ ନିର୍ଦ୍ଦୋଷ ଥିବାରୁ ଛାଡ଼ି ଦିଆଯାଇଥିବା ସେମାନେ କହିଛନ୍ତି।
ଏହି ଘଟଣାକୁ ନେଇ ଗତ ୧ ମଇରେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବାବେଳେ ୮ ମଇରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଓ ରାଜ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି ନ୍ୟାୟ ଦାବି କରାଯାଇଥିଲା। ସମ୍ପୃକ୍ତ ଅଧିକାରୀମାନେ ନିର୍ଦ୍ଦୋଷଙ୍କୁ ଗିରଫ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗତ ୨୪ ମଇରେ ସୁକୁଟା ନାଏକଙ୍କୁ ପରିବାରକୁ ନ ଜଣାଇ ଗିରଫ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ବଣିଆସାହିବାସୀମାନେ ମଙ୍ଗଳବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସୁକୁଟା ନାଏକଙ୍କୁ ତୁରନ୍ତ ମୁକ୍ତ କରିବା, ସଦର ଥାନା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ପ୍ରକୃତ ଅଭିଯୁକ୍ତକୁ ଗିରଫ ଓ ମିଥ୍ୟା ସାକ୍ଷ୍ୟ ଦେଉଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

- Advertisement -

Leave A Reply

Your email address will not be published.