Take a fresh look at your lifestyle.

ବୁଲା ଗାଈ ଓ ଷଣ୍ଢ ଙ୍କ ଉପଦ୍ରବ ରେ ସାଧାରଣ ନାଗରିକ ହନ୍ତସନ୍ତ

0 76

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ବସ୍ ଷ୍ଟାଣ୍ଡରେ ମାଳ ମାଳ ଗାଈ ବଳଦ ଓ ଷଣ୍ଢ ଉପଦ୍ରବ କରୁଛନ୍ତି। ଲୋକେ କ୍ଷୀର ପାଇଁ ଘରେ ଗାଈ ପାଳୁଛନ୍ତି ହେଲେ ଗାଈ କ୍ଷୀର ଦେବା ବନ୍ଦ କରିଦେଲେ ଗାଈ ବେକରୁ ପଘା ଖୋଲି ଦେଉଛନ୍ତି । ସେଥ‌ିପାଇଁ ବିଭିନ୍ନ ସ୍ଥାନରେ ଓ ରାସ୍ତା ଉପରେ ମାଳମାଳ ହୋଇ ଗାଈ ଷଣ୍ଢ ଓ ବଳଦ ଆଦି ବୁଲୁଛନ୍ତି । ଏମାନେ ଏଣେତେଣେ ବୁଲିବା ସହ ଯେଉଁଠି ଯାହା ପାଉଛନ୍ତି ଖାଇ ରହିଯାଉଛନ୍ତି । ରାସ୍ତା ମଝିରେ ଶୋଇ ବିପଦ ସୃଷ୍ଟି କରୁଛନ୍ତି।
ଚିକିତ୍ସା ପାଇଁ ଇନ୍ଦିପୁର ଗ୍ରାମକୁ ଆଖ ପାଖ ଗ୍ରାମୀଣ କ୍ଷେତ୍ରରୁ ଅଧିକାଂଶ ଲୋକ ଦିବାରାତ୍ରି ଆସୁଛନ୍ତି, ହେଲେ ମାଳ ମାଳ ଗାଈ ଷଣ୍ଢ ରାସ୍ତା ଅବରୋଧ କରୁଥିବାରୁ ବିଭିନ୍ନ ସମସ୍ୟା ଉତ୍ପନ୍ନ ହେଉଛି। ପେଟପାଟଣା ପାଇଁ ବସ୍ ଷ୍ଟାଣ୍ଡ କଡ଼ରେ ଗୁପଚୁପ ବିକୁଥିବା ରବିନ୍ଦ୍ର ସାହୁ କହନ୍ତି ଗାଈ ଗୋରୁ ଙ୍କ ଭିଡ଼ ଯୋଗୁଁ ଡରି ଡରି ବେପାର କରିବାକୁ ପଡ଼ିଥାଏ।

ବହୁ ସମୟରେ କ୍ଷୟକ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ସେହିପରି ଚାଟ୍ ବିକ୍ରି କରୁଥିବା ନରତମ ରାଉତ କହନ୍ତି, ୟେ’ତ ପ୍ରତିଦିନର ଘଟଣା , ସ୍ଥାନୀୟ ପ୍ରଶାସନ ତଥା ଗୋରୁ ମାଲିକ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ମଧ୍ୟ ସେମାନେ ଏଦିଗରେ ସଜାଗ ହେଉ ନାହାନ୍ତି। ଜଳଖିଆ ବିକ୍ରି କରି ନିଜ ପରିବାରର ଭରଣପୋଷଣ କରୁଥିବା ବିଶ୍ୱଜିତ ସେନାପତି କହନ୍ତି ” ପ୍ରତିଦିନ ଏହି ସମସ୍ୟାରେ ଆମକୁ ସମ୍ମୁଖୀନ ହେବାକୁ ପଡୁଛି, ହଠାତ୍ ଗାଈ ଗୋରୁଙ୍କ ଲଢେଇରେ ଆମେ ସବୁ ଆତଙ୍କିତ ହୋଇପଡୁଛୁ ।

କେତେବେଳେ କ’ଣ ହବ କିଛି କହି ହେବନାହିଁ “।ସୂଚନାଯୋଗ୍ୟ ଯେ ବୁଲା ଗାଈ ବଳଦ ଆଦି ହର୍ନ ମାରିଲେ ବି ରାସ୍ତାରୁ ଉଠୁନାହାନ୍ତି ଯଦ୍ୱାରା ଦୁର୍ଘଟଣା ମଧ୍ୟ ଘଟୁଛି।
ଅନେକ ସମୟରେ ସମାଚାରପତ୍ର ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ମିଳୁଛି ଯେ କେମିତି ପରିବା ବଜାରରେ ସବୁଦିନ ଷଣ୍ଢ ପରିବା ନଷ୍ଟ କରୁଛନ୍ତି। ବେଳେ ବେଳେ ଷଣ୍ଢ ମାନଙ୍କ ଯୁଦ୍ଧରେ ଦୋକାନ ଭାଙ୍ଗି ଯାଉଛି ଏଥ‌ିପାଇଁ ଦୋକାନୀଙ୍କ କ୍ଷତି ମଧ୍ୟ ଘଟୁଛି ।

ତେଣୁ ସମୟ ଥାଇ ଯଦି ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ ତେବେ ଜନସାଧାରଣ ଅନେକ ବିପଦରେ ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ।

- Advertisement -

Leave A Reply

Your email address will not be published.