Take a fresh look at your lifestyle.

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ ଧର୍ମେନ୍ଦ୍ର: ବିଶ୍ୱର ଖାଦ୍ୟ ସଙ୍କଟକୁ ଦୂର କରିପାରିବ ଭାରତ

0 66

Get real time updates directly on you device, subscribe now.

ଢେଙ୍କାନାଳ: କରୋନା ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି । ରାଜ୍ୟର ପ୍ରାୟ ସାଢେ ୩ କୋଟି ଲୋକ ଏହାର ଲାଭ ଉଠାଉଛନ୍ତି । ଏହି ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସାମାଜିକ ନ୍ୟାୟ ପକ୍ଷ ପାଳନ ହେଉଛି । ଏହି ଅବସରରେ ସପ୍ତଶଯ୍ୟା ସଦେଇବେରେଣୀଠାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ, ବାସ୍ତବ ସ୍ଥିତି ନୀରିକ୍ଷଣ କରିବା ସହ ହିତାଧିକାରୀ ଓ ଜନ ପ୍ରତିନିଧିଙ୍କ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ଉଦେ୍ଦଶ୍ୟରେ କହିଥିଲେ, ୨୦୨୦ ମସିହା ଏପ୍ରିଲ୍ ମାସରେ ମହାମାରୀ କରୋନାର ବିଭୀଷିକା ଦେଖାଦେଲା । ଏହି ସମୟରେ ସମ୍ବେଦନଶୀଳ ନେତୃତ୍ୱ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅନେକ ଅନେକ ଉପାୟରେ ଯୋଜନା ସବୁ ଆରମ୍ଭ କଲେ ।

ତନ୍ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ୟତମ ଥିଲା । ଏହି ଯୋଜନା ଅଧୀନରେ ଦେଶର ମୋଟ୍ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୮୦ କୋଟି ଏବଂ ଓଡିଶାର ୩ କୋଟି ୨୫ ଲକ୍ଷ ଲୋକ ପ୍ରତିମାସରେ ମୁଣ୍ଡ ପିଛା ୫ କିିଲୋ ଲେଖାଏଁ ଚାଉଳ କିମ୍ବା ଗହମ ନେଇ ଉପକୃତ ହେଉଛନ୍ତି । ଗତ ଦୁଇବର୍ଷ ହେଲା ବିନା ମୂଲ୍ୟରେ ନିରନ୍ତର ଭାବେ ଯୋଗାଣ ଚାଲିଛି । ମଝିରେ ବି ଏକାଧିକ ଥର ଡାଲି ଯୋଗାଇ ଦିଆଯାଇଛି ।
ଏଥି ପୂର୍ବରୁ ୩୨ ଟଙ୍କାର ଚାଉଳକୁ ଲୋକମାନେ ୧ ଟଙ୍କାରେ ପାଉଥିଲେ । ୩୨ ଟଙ୍କା ଚାଉଳରୁ ଭାରତ ସରକାର ପାଖାପାଖି ୩୦ ଟଙ୍କା ବହନ କରୁଛନ୍ତି । ଟଙ୍କାଟିଏ ରାଜ୍ୟ ସରକାର ଦେଉଥିବାବେଳେ ଆଉ ୧ ଟଙ୍କା ହିତାଧିକାରୀମାନେ ଦେଉଛନ୍ତି । ସେତେବେଳେ ଏହା ଟଙ୍କିକିଆ ଚାଉଳ ରୂପେ କୁହାଯାଉଥିଲା । ଏହାଠାରୁ ଦୁଇପାଦ ଆଗକୁ ଯାଇ କରୋନା ବେଳେ ପ୍ରଧାନମନ୍ତ୍ରୀ ମୋଦି ପୁରା ମାଗଣା ଚାଉଳ ଯୋଗାଇ ଦେଲେ । ଯାହାର ନାଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ରଖାଯାଇଛି । ଓଡିଶାରେ ୮୦ ଭାଗ ଜନସାଧାରଣ ଏହି ସୁବିଧା ପାଉଛନ୍ତି । ଏଥିପାଇଁ ଭାରତ ସରକାର ସାଢେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖାଦ୍ୟ ଅଭାବରୁ କେହି ଉପାସ ନରହନ୍ତୁ, ଦୁଇବେଳା ଅନ୍ନ ମିଳୁ ସେଥିପାଇଁ ପ୍ରଧାନମନ୍ତ୍ରୀ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି । ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ମୋଦି ସରକାରଙ୍କ ମୂଳମନ୍ତ୍ର ।

ଢେଙ୍କାନାଳ ସମେତ ସମଗ୍ର ରାଜ୍ୟରେ ଗରିବ ଓ ଅସହାୟ ସଠିକ୍ ସମୟରେ ମୋଦି ସରକାର ଦିଲ୍ଲୀରୁ ପଠାଉଥିବା ଚାଉଳ ଓ ଅନ୍ୟ କଲ୍ୟାଣକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ରହିବ ଉଚିତ୍ ବୋଲି ମନ୍ତ୍ରୀ କହିଥିଲେ । ବିଶ୍ୱର ସବୁଠୁ ବଡବ୍ୟାଙ୍କ୍ ୱାର୍ଲ୍ଡ ବ୍ୟାଙ୍କ ଗୋଟିଏ ରିପୋର୍ଟ ବାହାର କରିଛି ବିଗତ କରୋନା ମହାମାରୀ ସମୟରେ ଯେତେବେଳେ ପୃଥିବୀ ସାରା ଲୋକ, ବିଶେଷ କରି ଗରିବ ଜନସାଧାରଣ ହନ୍ତସନ୍ତ ହେଲେ, ଦୁଃଖକଷ୍ଟରେ ରହିଲେ ସେତେବେଳେ ଭାରତରେ କେହି ଭୋକିଲା ରହିଲେ ନାହିଁ । ଯଦି ବିଶ୍ୱର ନେତୃତ୍ୱ ଚାହିଁବ ଆମେ ଭାରତ ତରଫରୁ ବିଶ୍ୱର ଗରିବ ଲୋକମାନଙ୍କୁ ଖାଦ୍ୟ ପହଞ୍ଚାଇବାର ନେତୃତ୍ୱ ଭାରତ ନେଇପାରିବ ବୋଲି ସେ ସୂଚନା ଦେଇଥିଲେ ।

ମନ୍ତ୍ରୀ ଆହୁରି କହିଥିଲେ, ସହରାଞ୍ଚଳର ଗରିବ ଠେଲା ବୁଲା ବିକାଳି ପାଇଁ ସ୍ୱ-ନିଧି ଯୋଜନା କରାଯାଇଛି । ଠିକ୍ ସେ କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଦେଖିବାର ଆବଶ୍ୟକତା ରହିଛି । ଘରେ ଘରେ ପାଇପ୍ରେ ପିଇବା ପାଣି ପାଇବା ପାଇଁ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି । ସେ ପହଞ୍ଚୁଛି କି ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୨୬ ଲକ୍ଷ ଘର ଅର୍ଥାତ୍ ପାଖାପାଖି ୩୫ ହଜାର କୋଟି ଟଙ୍କା ବିଗତ ୫ ବର୍ଷରେ ଓଡିଶାକୁ ମୋଦି ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ପ୍ରତି ପ୍ରଧାନମନ୍ତ୍ରୀ ଉଜ୍ୱାଲା ଯୋଜନାରେ ଗ୍ୟାସ୍, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଘରେ ଘରେ ପହଞ୍ଚିଛି । ଆକାଂକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଚାଷ, ଫଳ ଓ ପନିପରିବା ଚାଷ, ମାର୍କେଟିଂ ବ୍ୟବସ୍ଥା । ଶଙ୍କରପୁର ଢେଙ୍କାନାଳର ଏକ ବହୁବଡ ପରିବା ମଣ୍ଡି ।

ଏହାର ବିକାଶ ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଅନେକ ଯୋଜନା କାର୍ଯ୍ୟ ତିଆରି କରିଛନ୍ତି । ଏଗୁଡିକ ରାଜ୍ୟ ସରକାର ମିଶିକି ଗରିବଙ୍କ ଉଦେ୍ଦଶ୍ୟରେ ସମସ୍ତେ ମିଳିମିଶି ଗରିବଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି । ଏହାର ଦାୟିତ୍ୱ କେବଳ ଯିଏ ଜିତୁଛି ତାର ନୁହେଁ କି ଯିଏ ଲଢୁଛି ତାର ନୁହେଁ ଯେଉଁମାନେ ଏହାର ଲାଭାର୍ଥି ହେବେ, ହିତାଧିକାରୀ ହେବେ ଏସବୁକୁ ସେମାନଙ୍କ ସହ ଯୋଡିବାକୁ ହେବ । ଏଥିପାଇଁ ସାମାଜିକ ନ୍ୟାୟ ପଖୱାଡା ନ୍ୟାୟ ପୂରଣ ପାଇଁ ମୋତେ ଢେଙ୍କାନାଳ ଜିଲ୍ଲାର

ଢେଙ୍କାନାଳ ଜିଲ୍ଲା ପ୍ରତି ପ୍ରଧାନମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ରହିଛି । ଘର, ବିଜୁଳି, ଗ୍ୟାସ୍ର ସବୁ ଲାଭ ପହଞ୍ଚାଇ ଏଠାକାର ରାସ୍ତାଘାଟ, ରେଳ, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଢେଙ୍କାନାଳ ଜିଲ୍ଲା ସ୍ୱତନ୍ତ୍ରତା ପାଇଁ ଅତୀତରେ ଇଂରେଜମାନଙ୍କ ସହ ଲଢେଇ କରିଥିଲା । ଯାହାର ପରିଚୟ ବୀର ବାଜିରାଉତ ସଙ୍ଗେ ଯୋଡି ହୋଇରହିଛି । ଆଜି ବିଶ୍ୱସ୍ତରରେ ଆମ ଅଞ୍ଚଳର ବୀରମାନଙ୍କୁ ପହଞ୍ଚାଇବାକୁ ପଡିବ । ମୋ ପାଇଁ ଏହା ପରମ ସୌଭାଗ୍ୟର ଅବସର ଅଛି । ଭାରତର ଶିକ୍ଷା ବ୍ୟବସ୍ଥାର ଗୁରୁଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋ ଉପରେ ନ୍ୟସ୍ତ କରିଛନ୍ତି । ଗତ ଅକ୍ଟୋବର ମାସରେ ଯେତେବେଳେ ମୁଁ ଢେଙ୍କାନାଳ ଆସିଥିଲି ବିଶ୍ୱବିଦ୍ୟାଳୟସ୍ତରରେ ମହିମା ଗୋସାଇଁଙ୍କ ଉପରେ ଅନୁସନ୍ଧାନ କରାଯିବ, ଗବେଷଣା କରାଯିବ ବୋଲି କହିଥିଲି । ଜାତିସଂଘରେ ମଧ୍ୟ ମହିମା ଧର୍ମର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବାଣୀ ଉଲ୍ଲେଖ କରାଯାଇଛି । ନୂଆପିଢୀର ଲୋକମାନଙ୍କୁ ଏ ସଂପର୍କରେ ବୁଝାଇବାର ଆବଶ୍ୟକତା ରହିଛି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଓ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଜବଲପୁରରେ ମହିମାଧର୍ମ ଓ ସନ୍ଥକବି ଭୀମଭୋଇଙ୍କ ଉପରେ ଗବେଷଣା କେନ୍ଦ୍ର ବା ରିସର୍ଚ୍ଚ ସେଣ୍ଟର ସ୍ଥାପନ କରାଯାଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

ଆମ ଜିଲ୍ଲାରେ ଶିକ୍ଷା, ସଂସ୍କୃତି, ରୋଜଗାର, ସ୍ୱାଭିମାନଙ୍କୁ ବଢାଇବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ଢେଙ୍କାନାଳକୁ ଏକ ସମୃଦ୍ଧ ଓ ସଶକ୍ତ ଅଞ୍ଚଳ ଭାବରେ ଗଢ଼ିବା ପାଇଁ ମୋଦି ସରକାର ଅଙ୍ଗୀକାର ବଦ୍ଧ । ସଦେଇବେରେଣୀ ଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଅନ୍ନ ଯୋଜନା କାର୍ଯ୍ୟକାରି ହେଉଥିବା ଏବଂ ସେ ପଠାଇଥିବା ଚାଉଳ ଗରିବ ଲୋକ ପାଉଥିବା ଦେଖି ମୁଁ ବହୁତ ଖୁସି । କରୋନାର ଉପରାର୍ଥେ ଯେଉଁ ନୂଆ ଅର୍ଥନୀତି ତିଆରି ହେଉଛି ସେଥିରେ ସାମିଲ ହେବା, ବିଶ୍ୱର ପରିସ୍ଥିତି ଅତି ଜଟିଳ ଅଛି । ଋଷିଆ ଏବଂ ୟୁକ୍ରେନ୍ ଲଢେଇର ଅର୍ଥନୈତିକ କୁପ୍ରଭାବ ବିଶ୍ୱ ଅର୍ଥନୀତି ସମେତ ଭାରତବର୍ଷ ଉପରେ ଅଛି । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ଗରିବ କଲ୍ୟାଣ ପାଇଁ ଏକାଠି ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିବାରୁ ମିଳିମିଶି ସଫଳ ରୂପାୟନ ଦେବାପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ସଭାମଞ୍ଚ ପରିଚାଳନା କରିଥିବାବେଳେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନୀଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.