Take a fresh look at your lifestyle.

ଅଦିନ ଚର୍ଚ୍ଚା : ଧର୍ମେନ୍ଦ୍ରଙ୍କ ୨୬ ବର୍ଷର ରାଜନୈତିକ ଯାତ୍ରା, ରାଜନୀତିରୁ ମନ୍ତ୍ରିମଣ୍ଡଳ ଯାଏ

0 3

ଭୁବନେଶ୍ୱର, ୨୭ା୯ (ନି.ପ୍ର.) : ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପି ଦୀର୍ଘ ୨୬ ବର୍ଷ ଧରି ଜାତୀୟ ରାଜନୀତିରେ ସକ୍ରିୟ ରହିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଏବିଭିପି ମାଧ୍ୟମରେ ଛାତ୍ର ରାଜନୀତିରୁ ଯାତ୍ରା ଆରମ୍ଭ କରି ୨୦୦୦ରେ ପାଲଲହଡ଼ାରୁ ବିଧାୟକ ଏବଂ ୨୦୦୪ରେ ଦେଓଗଡ଼ରୁ ଲୋକସଭା ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ଏବେ ସମ୍ବଲପୁର ଲୋକସଭା ଆସନର ପ୍ରତିନିଧିତ୍ୱ କରୁଛନ୍ତି।

ରାଜନୀତିରେ ପଦପଦବୀ ଅପେକ୍ଷା ଜନସମ୍ପର୍କ ଓ ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ଅଧିକ ଗୁରୁତ୍ୱ ରଖେ ବୋଲି ତାଙ୍କ ସମର୍ଥକମାନେ ମତ ଦିଅନ୍ତି। ଓଡ଼ିଶାରେ ବିଜେପିର ସାଂଗଠନିକ ବିସ୍ତାରରେ ମଧ୍ୟ ଧର୍ମେନ୍ଦ୍ରଙ୍କ ଭୂମିକା ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ରହିଛି। ବିଶେଷକରି ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ପରେ ରାଜ୍ୟ ରାଜନୀତିରେ ତାଙ୍କ ଭୂମିକା ଆହୁରି ଚର୍ଚ୍ଚିତ ହୋଇଥିଲା।
କେନ୍ଦ୍ରରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୪ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୨୦୧୭ରୁ ପେଟ୍ରୋଲିୟମ ସହ ଦକ୍ଷତା ବିକାଶ ଓ ଉଦ୍ୟମିତା, ୨୦୧୯ରୁ ଇସ୍ପାତ ଏବଂ ୨୦୨୧ରୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଥିଲେ।

ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜ୍ୱଳା ଯୋଜନାର ସମ୍ପ୍ରସାରଣ, ଏଲ୍‌ପିଜି ବିତରଣ ବ୍ୟବସ୍ଥାର ବିକାଶ ଓ ଶକ୍ତି କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ତାଙ୍କ କାର୍ଯ୍ୟକାଳର ଉଲ୍ଲେଖନୀୟ ଅଂଶ ଥିଲା। ୨୦୧୭ରେ ଉଜ୍ଜ୍ୱଳା ଯୋଜନାରେ ୨.୫ କୋଟିତମ ଏଲ୍‌ପିଜି ସଂଯୋଗ ପ୍ରଦାନ ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଇସ୍ପାତ ମନ୍ତ୍ରୀ ଭାବେ ପୂର୍ବୋଦୟ ଭଳି ପଦକ୍ଷେପ ମାଧ୍ୟମରେ ପୂର୍ବ ଭାରତରେ ଇସ୍ପାତ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷତା ବିକାଶ ବିଭାଗରେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଓ ରୋଜଗାର ସହ ଯୋଡ଼ିବା ଦିଗରେ ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶିକ୍ଷା ମନ୍ତ୍ରୀ ଭାବେ ଜାତୀୟ ଶିକ୍ଷା ନୀତି-୨୦୨୦ର ରୂପାୟଣ ତାଙ୍କ କାର୍ଯ୍ୟକାଳର ଏକ ପ୍ରମୁଖ ପ୍ରସଙ୍ଗ ରହିଥିଲା। ମାତୃଭାଷାରେ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ନୂଆ ଶିକ୍ଷା ପଦ୍ଧତି ଉପରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।

ଓଡ଼ିଶା ବିକାଶରେ ଭୂମିକା
ଓଡ଼ିଶାର ବିକାଶ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପକୁ ନେଇ ମଧ୍ୟ ଧର୍ମେନ୍ଦ୍ରଙ୍କ ଭୂମିକା ଆଲୋଚନାକୁ ଆସିଛି। ପାରାଦୀପ ରିଫାଇନାରୀର ସମ୍ପ୍ରସାରଣ, ପେଟ୍ରୋକେମିକାଲ୍‌ ଶିଳ୍ପ, ଏଲ୍‌ପିଜି ବିତରଣ ବ୍ୟବସ୍ଥା ଓ ଶିଳ୍ପ ଭିତ୍ତିଭୂମିର ବିକାଶ ଏଥିରେ ପ୍ରମୁଖ। ପାରାଦୀପରେ ଇଣ୍ଡିଆନ୍ ଅଏଲ୍‌ର ୧୫ ଏମ୍‌ଏମ୍‌ଟିପିଏ କ୍ଷମତାର ରିଫାଇନାରୀ ସହ ପେଟ୍ରୋକେମିକାଲ୍ ପ୍ରକଳ୍ପ ନେଇ କେନ୍ଦ୍ର ସରକାର ପୂର୍ବରୁ ତଥ୍ୟ ଦେଇଥିଲେ।
୨୦୨୪ରେ ଚଣ୍ଡିଖୋଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପ ରିଫାଇନାରୀର ମୋନୋ ଏଥିଲିନ୍ ଗ୍ଲାଇକଲ୍‌ ପ୍ରକଳ୍ପ, ଏଲ୍‌ପିଜି ଆମଦାନୀ ସୁବିଧା ଓ ପାରାଦୀପ-ହଳଦିଆ ପାଇପଲାଇନ୍‌ ସମେତ ଅନେକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଶିକ୍ଷା କ୍ଷେତ୍ରରେ ଆଇଆଇଏମ୍‌ ସମ୍ବଲପୁରର ଭୂମିକା, ନୂଆ ଶିକ୍ଷାନୁଷ୍ଠାନ ଓ ଶିଳ୍ପ-ଶିକ୍ଷା ସମନ୍ୱୟକୁ ନେଇ ମଧ୍ୟ ତାଙ୍କ ସମୟରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ୨୦୨୬ରେ ଆଇଆଇଏମ୍‌ ସମ୍ବଲପୁର ଓ ଆଇଆଇଏମ୍‌ ଅହମଦାବାଦ ମିଳିତ ଭାବେ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଓ ଉଦ୍ୟୋଗୀଙ୍କ ପାଇଁ ‘ଏଆଇ୪ଓଡ଼ିଶା’ ପଦକ୍ଷେପ ଆରମ୍ଭ କରିଥିବା ବେଳେ ଧର୍ମେନ୍ଦ୍ର ଏହାର ଭର୍ଚୁଆଲ୍‌ ଉଦ୍‌ଘାଟନ କରିଥିଲେ।

ନୂଆ ମୋଡ଼, ନୂଆ ଚର୍ଚ୍ଚା
୨୦୨୬ ଜୁଲାଇ ୨୫ରେ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରମନ୍ତ୍ରୀ ପରିଷଦରୁ ଇସ୍ତଫା ଗ୍ରହଣ କରିଥିଲେ। ଏହାପରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କ ପରବର୍ତ୍ତୀ ରାଜନୈତିକ ଭୂମିକାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। ତାଙ୍କ ସମର୍ଥକଙ୍କ ମତରେ ଦୀର୍ଘ ରାଜନୈତିକ ଅଭିଜ୍ଞତା, ସାଂଗଠନିକ ଅଭିଜ୍ଞତା ଓ କେନ୍ଦ୍ରରେ ଏକାଧିକ ମନ୍ତ୍ରଣାଳୟ ସମ୍ଭାଳିବାର ଅଭିଜ୍ଞତା ତାଙ୍କୁ ଜାତୀୟ ରାଜନୀତିର ଜଣେ ଚର୍ଚ୍ଚିତ ଓଡ଼ିଆ ଚେହେରା କରିଛି। ତେବେ ଆଗାମୀ ଦିନରେ ତାଙ୍କ ରାଜନୈତିକ ଭୂମିକା କ’ଣ ହେବ, ତାହା ଉପରେ ଏବେ ନଜର।
ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କ ଆଗ୍ରହ ସହ ବିଭିନ୍ନ ରାଜନୈତିକ ମତର ନେତାଙ୍କ ସହ ସମ୍ପର୍କ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗକୁ ନେଇ ମଧ୍ୟ ତାଙ୍କ ସମର୍ଥକମାନେ ଉଲ୍ଲେଖ କରନ୍ତି। ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିବା ଧର୍ମେନ୍ଦ୍ରଙ୍କ ୨୬ ବର୍ଷର ଯାତ୍ରା ଏବେ ପୁଣି ଏକ ନୂଆ ଅଧ୍ୟାୟର ଅପେକ୍ଷାରେ।

- Advertisement -

Leave A Reply

Your email address will not be published.