Take a fresh look at your lifestyle.

ଏସ୍‌ପି କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ

0 53

ଅନୁଗୋଳ, ୭ା୯ (ନି ପ୍ର ): ଅନୁଗୋଳ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୀର୍ଘଦିନ ଧରି ଏକାଧିକ ସ୍ଥାନରେ କାର୍ଯ୍ୟରତ ରହିବା, ଦପ୍ତରୀୟ ଚିଠିପତ୍ରର ଠିକ୍ ସମୟରେ ଫଇସଲା ନ ହେବା ଏବଂ ହୋମଗାର୍ଡ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସତ୍ତ୍ୱେ କାର୍ଯ୍ୟରେ ଯୋଗଦାନ ନ କରିବା ଭଳି ଅଭିଯୋଗ ଉଠିଛି। ଏନେଇ ଜଣେ ସାମାଜିକ କର୍ମୀ ଅନୁଗୋଳ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାଗୁଡ଼ିକର ତଦନ୍ତ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ବଦଳି ଓ ଗୋଟିଏ ସ୍ଥାନରେ କାର୍ଯ୍ୟକାଳ ସମ୍ପର୍କିତ ନିୟମ ଥିବା ସତ୍ତ୍ୱେ ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟରେ କେତେକ କର୍ମଚାରୀ ଦୀର୍ଘବର୍ଷ ଧରି ଗୋଟିଏ ସିଟ୍‌ରେ କାର୍ଯ୍ୟ କରୁଥିବା କୁହାଯାଇଛି। ଫଳରେ ସାଧାରଣ ଲୋକଙ୍କ ବିଭିନ୍ନ କାର୍ଯ୍ୟ ସମ୍ପାଦନରେ ସମସ୍ୟା ହେଉଥିବା ଅଭିଯୋଗକାରୀ କହିଛନ୍ତି।

ସେହିପରି ଗତ ଜୁଲାଇ ୨୩ ତାରିଖରେ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଅନୁଗୋଳ ଏସ୍‌ପିଙ୍କ ନିକଟକୁ ଏକ ଜରୁରୀ ପତ୍ର ଆସିଥିବା ଏବଂ ଏହା ଉପରେ ତୁରନ୍ତ ବିଚାର କରି ଅବଗତ କରାଇବାକୁ ନିର୍ଦ୍ଦେଶ ରହିଥିବା ଦାବି କରାଯାଇଛି। ତେବେ ପ୍ରାୟ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ପତ୍ର ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ପତ୍ରଟି ବର୍ତ୍ତମାନ କେଉଁ ପର୍ଯ୍ୟାୟରେ ରହିଛି, ତାହାର ତଦନ୍ତ କରାଯିବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଅନୁଗୋଳ ହୋମଗାର୍ଡ କାର୍ଯ୍ୟାଳୟରେ ପିଅନ ପଦବୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ପୂର୍ବରୁ କାର୍ଯ୍ୟରତ ପିଅନ ଅବସର ଗ୍ରହଣ କରିବା ପରେ ଗତ ଜୁଲାଇ ୩ ତାରିଖରୁ ଜଣେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ହୋମଗାର୍ଡ କାର୍ଯ୍ୟାଳୟରେ କାର୍ଯ୍ୟ କରୁନଥିବା କୁହାଯାଇଛି। ସେ କେଉଁଠାରେ କାର୍ଯ୍ୟରତ ଅଛନ୍ତି ଏବଂ କେଉଁ ନିର୍ଦ୍ଦେଶ ବଳରେ ତାଙ୍କୁ ଅନ୍ୟତ୍ର କାର୍ଯ୍ୟରେ ନିୟୋଜିତ କରାଯାଇଛି, ତାହା ସ୍ପଷ୍ଟ କରାଯିବାକୁ ଦାବି ହୋଇଛି।

ସରକାରୀ କର୍ମଚାରୀଙ୍କୁ ନିୟମ ବାହାରେ ଅନ୍ୟତ୍ର କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ ଏହାର ତଦନ୍ତ କରାଯିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଏସବୁ ଅଭିଯୋଗର ସ୍ୱଚ୍ଛ ତଦନ୍ତ କରି ପ୍ରକୃତ ସ୍ଥିତି ସାର୍ବଜନୀନ କରିବା ପାଇଁ ମଧ୍ୟ ଦାବି ହୋଇଛି।ଅନୁଗୋଳ ଜିଲ୍ଲାର ଏସ ପି ରାହୁଲ ଜୈନ ସବୁ ଜାଣି ଶୁଣି କିଛି ନ ଜାଣିଲା ପରେ ଚୁପ୍ କଣ ପାଇଁ ଅଛନ୍ତି ? ଚୁପ୍ ରହିବାର କିଛି ମନ୍ଦ ଉଦେଶ୍ୟ ନାହି ତ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I

ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ଅନୁଗୋଳ ଜିଲ୍ଲା ପୁଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସ ପକ୍ଷରୁ ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ।

- Advertisement -

Leave A Reply

Your email address will not be published.