Take a fresh look at your lifestyle.

ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ‘ଦ୍ରୁତ, ନିଖୁଣ ଓ ସୁବିଧାଜନକ ଖାଦ୍ୟଶସ୍ୟ ବଣ୍ଟନ ଦିଗରେ ଭାରତ ଅଗ୍ରଣୀ’: ନୋଜୋମି ହାଶିମୋଟୋ

0 1

ଢେଙ୍କାନାଳରେ ଆଜି ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (WFP)ର ମିଳିତ ପଦକ୍ଷେପରେ ଏହି ପ୍ରଯୁକ୍ତିଭିତ୍ତିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (UNWFP), ଭାରତର ଉପନିର୍ଦ୍ଦେଶିକା ସୁଶ୍ରୀ ନୋଜୋମି ହାଶିମୋଟୋ ଓଡ଼ିଶା ସରକାରଙ୍କ ସହ UNWFPର ବୈଷୟିକ ସହଭାଗିତା, ନୂତନ ଗ୍ରେନ୍ ଏଟିଏମ୍ ପ୍ରଯୁକ୍ତିର ସମ୍ଭାବନା ଏବଂ ଏହା କିପରି ସାଧାରଣ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ଅଧିକ ଦ୍ରୁତ, ନିଖୁଣ ଓ ସୁବିଧାଜନକ କରି ପାରିବ, ସେ ସମ୍ପର୍କରେ ଆମ ସହ ଆଲୋଚନା କରିଥିଲେ।

ଏଥିସହ ଭାରତର ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଏବଂ ଢେଙ୍କାନାଳ ଗସ୍ତର ଅଭିଜ୍ଞତା ନେଇ ମଧ୍ୟ ସେ ମତ ରଖିଥିଲେ।

ସେହି ସାକ୍ଷାତ୍କାରର ସମ୍ପାଦିତ ଅଂଶ:

ପ୍ରଶ୍ନ: ୟୁଏନ୍‌ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ସହଭାଗିତା ସମ୍ପର୍କରେ ଆମ ପାଠକମାନଙ୍କୁ କିଛି କହିବେ କି? ଏହି ସହଭାଗିତା ମାଧ୍ୟମରେ ଆପଣମାନେ କ’ଣ ହାସଲ କରିବାକୁ ଚାହୁଁଛନ୍ତି?

ଉତ୍ତର: ମୁଁ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧିତ୍ୱ କରୁଛି। ଏହା ଏକ ଅନ୍ତର୍ଜାତୀୟ ସଂଗଠନ, ଯାହା ବିଶ୍ୱବ୍ୟାପୀ ଭାବେ କ୍ଷୁଧା ଓ ପୁଷ୍ଟିହୀନତାର ସମସ୍ୟାର ମୁକାବିଲା ପାଇଁ ଲୋକମାନଙ୍କ ସହିତ ଏବଂ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରେ।

ଭାରତରେ ଆମେ ସରକାରଙ୍କ ବୈଷୟିକ ପରାମର୍ଶଦାତା ଓ ସହଯୋଗୀ ଭାବେ କାର୍ଯ୍ୟ କରୁଛୁ। ଆମେ ନୂତନ ଚିନ୍ତାଧାରା, ନବସୃଜନ ଓ ପ୍ରଯୁକ୍ତିର ପ୍ରସ୍ତାବ ଦେଇଥାଉ, ସେଗୁଡ଼ିକୁ ପାଇଲଟ୍ ଆଧାରରେ ପରୀକ୍ଷା କରୁ, ଗବେଷଣା କରୁ ଏବଂ ଏହାର ଫଳାଫଳ ଆଧାରରେ ସରକାରଙ୍କୁ ପରାମର୍ଶ ଦେଉ।

ତେବେ ନିଜ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଦାୟିତ୍ୱ ସରକାରଙ୍କର। ତେଣୁ ଆମର ଭୂମିକା ହେଉଛି ସରକାରଙ୍କୁ ବୈଷୟିକ ଜ୍ଞାନ, ଗବେଷଣା ଓ ନବସୃଜନ ମାଧ୍ୟମରେ ସହଯୋଗ କରିବା।

ପ୍ରଶ୍ନ: ଏବେ ଆମେ ଯେଉଁ ଗ୍ରେନ୍ ଏଟିଏମ୍ ଦେଖୁଛୁ, ଏହା ସାଧାରଣ ଲୋକଙ୍କ ପାଇଁ କିପରି ଉପକାରୀ ହେବ?

ଉତ୍ତର: ଏହି ନବସୃଜନ ପାଇଁ ଆମେ ଗର୍ବିତ। କାରଣ ଏହା ଏକ ଜନକୈନ୍ଦ୍ରିକ ନବସୃଜନ। ଆଜି ଅନେକ ନୂଆ ପ୍ରଯୁକ୍ତି ଆସୁଛି, କିନ୍ତୁ ସେହି ପ୍ରଯୁକ୍ତି ଯେତେବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ସ୍ପର୍ଶ କରି ତାହାକୁ ସହଜ କରେ, ସେତେବେଳେ ତାହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ସେହି ଦୃଷ୍ଟିରୁ ଗ୍ରେନ୍ ଏଟିଏମ୍ ସାଧାରଣ ଲୋକଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ।

ଏହାର ଅନେକ ସୁବିଧା ରହିଛି। ମୁଁ ବିଶେଷ ଭାବେ ଚାରିଟି ଦିଗ ଉପରେ ଗୁରୁତ୍ୱ ଦେବି।

ପ୍ରଥମତଃ, ଏହା ଖାଦ୍ୟଶସ୍ୟ ପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ଦ୍ରୁତ କରିବ। ପାରମ୍ପରିକ ଭାବେ ହାତରେ ଓଜନ କରି ଖାଦ୍ୟଶସ୍ୟ ବଣ୍ଟନ କରାଯାଉଥିବାରୁ ଲୋକମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହି ମେସିନ୍ ବ୍ୟବହାର ଦ୍ୱାରା ଅପେକ୍ଷା ସମୟ ଅନେକ କମିଯିବ। ମେସିନ୍ ମାଧ୍ୟମରେ ୨୫ କିଲୋଗ୍ରାମ ଚାଉଳ ମାତ୍ର ପ୍ରାୟ ୪୦ ସେକେଣ୍ଡରେ ମିଳିପାରିବ।

ଦ୍ୱିତୀୟତଃ, ଏହା ଅତ୍ୟନ୍ତ ନିଖୁଣ ଭାବେ ଖାଦ୍ୟଶସ୍ୟ ବଣ୍ଟନ କରେ। ଏହାର ସଠିକତା ୯୯.୯ ପ୍ରତିଶତ ଥିବାରୁ ହିତାଧିକାରୀମାନେ ନିଜର ନିର୍ଦ୍ଧାରିତ ପ୍ରାପ୍ୟ ସମ୍ପୂର୍ଣ୍ଣ ଭାବେ ପାଇବା ନେଇ ନିଶ୍ଚିନ୍ତ ରହିପାରିବେ।

ତୃତୀୟତଃ, ଏହି ସୁବିଧା ୨୪ ଘଣ୍ଟା ଓ ସପ୍ତାହର ସାତ ଦିନ ଉପଲବ୍ଧ ରହିବ। ପୂର୍ବରୁ ହିତାଧିକାରୀମାନଙ୍କୁ ଫେୟାର ପ୍ରାଇସ୍ ସପ୍‌ ଖୋଲା ଥିବା ସମୟରେ ଯାଇ ରାସନ ନେବାକୁ ପଡ଼ୁଥିଲା। ବିଶେଷକରି ଦୈନିକ ମଜୁରିଆ ଶ୍ରମିକମାନଙ୍କୁ ରାସନ ନେବା ପାଇଁ କାମରୁ ଛୁଟି ନେବାକୁ ପଡ଼ୁଥିଲା।

ଏବେ ସେମାନେ ନିଜ କାମ ସରିବା ପରେ ମଧ୍ୟ ନିଜ ସୁବିଧା ଅନୁଯାୟୀ ଯେକୌଣସି ସମୟରେ ଆସି ନିଜ ପ୍ରାପ୍ୟ ଗ୍ରହଣ କରିପାରିବେ। ଏହା ନିଶ୍ଚିତ ଭାବେ ଲୋକଙ୍କ ଜୀବନକୁ ଅଧିକ ସୁବିଧାଜନକ କରିବ।

ଚତୁର୍ଥତଃ, ଏହି ମେସିନ୍ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ଯୋଗାଇପାରିବ। ଉଦାହରଣ ସ୍ୱରୂପ, ଯଦି ଅନ୍ୟ ଅଞ୍ଚଳରୁ କୌଣସି ପ୍ରବାସୀ ଶ୍ରମିକ ଢେଙ୍କାନାଳକୁ ଆସନ୍ତି, ତେବେ ତାଙ୍କର ବୈଧ ରାସନ କାର୍ଡ ଥିଲେ ସେ ଏଠାରେ ମଧ୍ୟ ନିଜ ଖାଦ୍ୟଶସ୍ୟ ପ୍ରାପ୍ୟ ଗ୍ରହଣ କରିପାରିବେ।

ସମଗ୍ର ଭାବେ, ଏହି ମେସିନ୍ ମାଧ୍ୟମରେ ଲୋକମାନେ ନିଜର PDS ପ୍ରାପ୍ୟକୁ ଅଧିକ ଦ୍ରୁତ, ନିଖୁଣ ଏବଂ ସୁବିଧାଜନକ ଭାବେ ପାଇପାରିବେ ବୋଲି ଆମର ଆଶା।

ପ୍ରଶ୍ନ: ବିଶ୍ୱର ଅନ୍ୟ କୌଣସି ଦେଶରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି କି?

ଉତ୍ତର: ବିଶେଷକରି ସରକାରୀ ଖାଦ୍ୟ ବଣ୍ଟନ ଯୋଜନା କ୍ଷେତ୍ରରେ ଏଭଳି ବ୍ୟବସ୍ଥାର ଅନ୍ୟ କୌଣସି ଉଦାହରଣ ମୋର ଜଣାନାହିଁ।

ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ଏହି ପ୍ରଯୁକ୍ତିକୁ ଆଗକୁ ବଢ଼ାଇବାରେ ସହଯୋଗ କରୁଛି। ଏହା ଏକ ‘ମେକ୍ ଇନ୍ ଇଣ୍ଡିଆ’ ମେସିନ୍ ଏବଂ ଏହା ପଛରେ ଭାରତୀୟ ପ୍ରଯୁକ୍ତି ରହିଛି।

ଭାରତର ଏହି ସଫଳତାରୁ ଅନ୍ୟ ଦେଶମାନେ ଶିଖନ୍ତୁ ଏବଂ ନିଜ ଦେଶରେ ଏଭଳି ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ଅନୁଧ୍ୟାନ କରନ୍ତୁ, ଆମେ ଏହାକୁ ଉତ୍ସାହିତ କରୁଛୁ।

ପ୍ରଶ୍ନ: ତେବେ ଏହି କ୍ଷେତ୍ରରେ ଭାରତକୁ ଅଗ୍ରଣୀ ବୋଲି କୁହାଯାଇପାରେ କି?

ଉତ୍ତର: ହଁ, ନିଶ୍ଚିତ ଭାବେ। ଏହି ବିଶେଷ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ପ୍ରଶ୍ନ: ଶେଷରେ, ଏହି କାର୍ଯ୍ୟକ୍ରମ, ଏଠାକାର ଲୋକମାନେ ଏବଂ ଢେଙ୍କାନାଳ ଗସ୍ତର ଆପଣଙ୍କ ସାମଗ୍ରିକ ଅଭିଜ୍ଞତା କିପରି ରହିଲା?

ଉତ୍ତର: ମୁଁ ସବୁବେଳେ ଓଡ଼ିଶା ଗସ୍ତକୁ ବହୁତ ଉପଭୋଗ କରେ। ଢେଙ୍କାନାଳକୁ ଏହା ମୋର ପ୍ରଥମ ଗସ୍ତ। ଏଠାରେ ମଧ୍ୟ ମୋତେ ବହୁତ ଆତ୍ମୀୟ ଓ ଉଷ୍ମ ସ୍ୱାଗତ ମିଳିଛି। ଏଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ।

ଏଠାକୁ ଆସିବା ବାଟରେ ଦେଖିଥିବା ସବୁଜ ପରିବେଶ, ନଦୀ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମୋତେ ବହୁତ ଭଲ ଲାଗିଛି। ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ମୁଁ ସବୁବେଳେ ଆନନ୍ଦ ଅନୁଭବ କରେ। ଢେଙ୍କାନାଳ ଗସ୍ତର ଅଭିଜ୍ଞତା ମଧ୍ୟ ମୋ ପାଇଁ ଅତ୍ୟନ୍ତ ସୁଖଦ ରହିଛି।

- Advertisement -

Leave A Reply

Your email address will not be published.