Take a fresh look at your lifestyle.

କଣ୍ଟାନାଳୀ ବାଇପାସ୍‌ରେ ଶବ ରଖି ଜାତୀୟ ରାଜପଥ ଅବରୋଧ

0 1

ଢେଙ୍କାନାଳ, ୨୨।୮  : ଢେଙ୍କାନାଳ ସହର କୁଣ୍ଟୁଣିଆ ସାହିରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପରେ ଜଣେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ବସ୍ତିବାସିନ୍ଦାମାନେ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାନାଳୀ ବାଇପାସ୍‌ଠାରେ ରାସ୍ତାରୋକ କରିଥିଲେ।

ଘରଡିହର ସ୍ଥାୟୀ ପଟ୍ଟା ପ୍ରଦାନ, ଉଚ୍ଛେଦ ସମୟରେ ଭଙ୍ଗା ଘରର କ୍ଷତିପୂରଣ ଏବଂ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀମାନେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, କୁଣ୍ଟୁଣିଆ ସାହିରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପରେ ୨୨ ବର୍ଷୀୟ ରବିନାରାୟଣ ପଣ୍ଡା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

 

ଘଟଣା ପରେ ମୃତଦେହକୁ ନେଇ କଣ୍ଟାନାଳୀ ବାଇପାସ୍‌ରେ ରାସ୍ତାରୋକ କରାଯାଇଥିଲା। ଆନ୍ଦୋଳନକାରୀମାନେ ବସ୍ତିବାସିନ୍ଦାଙ୍କୁ ଘରଡିହର ସ୍ଥାୟୀ ପଟ୍ଟା ପ୍ରଦାନ, ଉଚ୍ଛେଦରେ ଭାଙ୍ଗିଥିବା ଘରଗୁଡ଼ିକର କ୍ଷତିପୂରଣ ସହ ମୃତ ରବିନାରାୟଣଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରିଥିଲେ।

 ରାସ୍ତାରୋକ ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରେ ତହସିଲଦାର ସ୍ୱାଧୀନ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ରମେଶ ଦୋରା ଙ୍କ ସମେତ ବହୁ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଲେ ତାହାର ବିଚାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।

ଏଥିସହ ରେଡକ୍ରସ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦିଆଯିବାର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ହଟାଇଥିଲେ। ତେବେ ବସ୍ତିବାସିନ୍ଦାଙ୍କ ଘରଡିହ ପଟ୍ଟା, ଉଚ୍ଛେଦରେ ଭାଙ୍ଗିଥିବା ଘରର କ୍ଷତିପୂରଣ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

- Advertisement -

Leave A Reply

Your email address will not be published.