ଢେଙ୍କାନାଳ ( ଜ୍ଞାନ ରଞ୍ଜନ ଶତପଥି ): ପଣ୍ଡିତ ଦିନ୍ଦୟାଲ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଢେଙ୍କାନାଳ ଜିଲ୍ଲା ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ବର୍ଗ ସ୍ଥାନୀୟ ଏସ୍ଏନ୍ଇକୋ ରିସୋର୍ଟ ଧିରପାଟଣା ଠାରେ ଉଦ୍ୟାପିତ ହୋଇଯାଇଅଛି ।
ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ବର୍ଗ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଦଳର ସଂଗଠନର ଅଭିବୃଦ୍ଧି ପାଇଁ କାର୍ଯ୍ୟକର୍ତାଙ୍କ ପ୍ରଶିକ୍ଷତାର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ଉଦ୍ବୋଧନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣର ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲା ସାଧାରଣ ସଂପାଦକ ମାତୃ ପ୍ରସାଦ ନନ୍ଦ, ପ୍ରଶିକ୍ଷଣ ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତୀମା ମିଶ୍ର, ସହପ୍ରଭାରୀ ତଥା ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ ।
ଏହି ଶିବିରରେ ବିଜେପିର ଇତିହାସ, ବିକାଶ, ବିଚାର ପରିବାର, ବୈଚାରିକ ଅଧିଷ୍ଠାନ, କାର୍ଯ୍ୟକର୍ତା ବିକାଶ, ରାଷ୍ଟ୍ର ସମ୍ମୁଖରେ ଆହ୍ୱାନ, ସୋସିଆଲ୍ ମିଡିଆ, କାର୍ଯ୍ୟ ବିସ୍ତାର ଓ ଆମର ଦୃଷ୍ଟିକୋଣ ଆଦି ଦଳର ସାଙ୍ଗଠନିକ ସତ୍ରଗୁଡିକୁ ପ୍ରଶିକ୍ଷକ ଭାବେ ବିଜେପି ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟେଇ, ବିରଂଚି ନାରାୟଣ ତ୍ରିପାଠୀ, ଉପସଭାନେତ୍ରୀ ସିପ୍ରା ବାଜପେୟୀ, ରାଜ୍ୟ ସଂପାଦିକା ସ୍ମୃତି ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ଅନିଲ୍ ବିଶ୍ୱାଳ, ରାଜ୍ୟ ସୋସିଆଲ୍ ମିଡିଆ ଇନ୍ଚାର୍ଜ ଜ୍ୟୋତି ରଂଜନ ନାୟକ, ମିଡିଆ ଇନ୍ଚାର୍ଜ ସୁଜିତ୍ ଦାସ, ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ, କିଶୋର କୁମାର ପଣ୍ଡା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଲକ୍ଷ୍ମଣ ପଣ୍ଡା, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଆପେକ୍ଷିତ ଜିଲ୍ଲା, ରାଜ୍ୟ ଓ ମଣ୍ଡଳ ପଦାଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଆଗାମୀ ଦିନରେ ଜିଲ୍ଲାରେ ପ୍ରତ୍ୟେକ ଘରକୁ ଯାଇ ଜନସାଧାରଣଙ୍କ ସହିତ ଜନସଂପର୍କ ରଖି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ସହିତ ରାଜ୍ୟ ଓ କେନ୍ଦ୍ରର ଲୋକାଭିମୁଖୀ ଯୋଜନାଗୁଡିକର ଉପଲବ୍ଧି ଲୋକମାନଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।
ଏହି ଦୁଇଦିନରେ ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ଯୋଜନାର ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ପ୍ରଦର୍ଶିତ କରିବା ସହିତ ଜିଲ୍ଲାର ଗୌରବ ନେତୃତ୍ୱମାନଙ୍କର ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା । ଶେଷରେ ଜିଲ୍ଲା ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
