ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗାଁରେ ଜଣେ ମହିଳାଙ୍କର ସନେ୍ଦହ ଜନକ ମୃତୁ୍ୟ ହୋଇଛି । ମୃତ ମହିଳା ହେଉଛନ୍ତି ଗାଁର ଜଗନ ରାଉତଙ୍କ ପତ୍ନୀ ପୂଜାରାଣୀ ସ୍ୱାଇଁ (୨୫) ବୋଲି ଜଣାପଡିଛି । ପୂଜାରାଣୀଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ହତ୍ୟା କରି ଟଙ୍ଗେଇ ନେଇଥିବା ନେଇ ତାଙ୍କ ବାପା କ୍ଷୀରୋଦ ସ୍ୱାଇଁ ଯୋରନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ପୁଲିସ ସୁତ୍ରରୁ ପ୍ରକାଶ ।
ସୁଚନା ଅନୁସାରେ ଠାକୁର ପାଳ ଗାଁର କ୍ଷୀରୋଦ ସ୍ୱାଇଁଙ୍କ ଝିଅ ପୁଜାରାଣୀ ଗତ ୫ ବର୍ଷ ତଳେ ଆମ୍ବବାହାଳି ଗାଁର ଜଗନ ରାଉତଙ୍କୁ ବିବାହ କରିଥିଲେ । ତାଙ୍କର ୧୯ ମାସର ଏକ ସନ୍ତାନ ରହିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା ଏବଂ କଳହ ଲାଗିରହିଥିଲା । ସ୍ୱାମୀ ଜଗନ ତାକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ଗତକାଲି ଶୁକ୍ରବାର ରାତ୍ରି ୮ଟାରେ ମୃତ ମହିଳାଙ୍କ ପରିବାର ଲୋକ ପୁଲିସକୁ ଖବର ଦେଲେ ଯେ ତାଙ୍କ ବୋହୁ ପୂଜାରାଣୀ ବେକରେ ରଶି ଦେଇ ଫ୍ୟାନରେ ଝୁଲି ପଡିଛି । ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଆଜି ଘଟଣାସ୍ଥଳରେ ପୁଲିସ ପହଂଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ସାଇଂଟିଫିକ ଟିମ ପହଂଚି ତନାଘନା ଚଳାଇଛି । ମୃତ ପୂଜାରାଣୀଙ୍କ ସ୍ୱାମୀ ଜଗନଙ୍କ ସହିତ ଝଗଡା ହେବାରୁ ଜଗନ ପୂଜାରାଣୀକୁ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ପୂଜାରାଣୀ ଆତ୍ମହତ୍ୟା କରିଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି ।
