Take a fresh look at your lifestyle.

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ ପାଳିତ

0 9

ଢେଙ୍କାନାଳ, ୧୬ା୯ (ଦେବୀ ପ୍ରସାଦ ମିଶ୍ର) : ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ-୨୦୨୬ ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍‌ର ଉପାଧ୍ୟକ୍ଷ ସୁରେଶ ଶ୍ରୀବାସ୍ତବ ଏବଂ ଇଫୁନାର ଜାତୀୟ ଉପସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଉଫୁନା ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାରେ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟଅତିଥି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ କହିଥିଲେ, “ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ, ବରଂ ଏକ ଜୀବନଶୈଳୀ। ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ।” ସେହିପରି ସଭାପତି ଶ୍ରୀ ପାଟ୍ଟସାହାଣୀ କହିଥିଲେ ଯେ, ସମାନତା, ସ୍ୱାଧୀନତା ଓ ଭ୍ରାତୃଭାବ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ। ଦୁର୍ନୀତି, ଅଶିକ୍ଷା ଓ ସାମାଜିକ ଅସମାନତା ଗଣତନ୍ତ୍ର ସମ୍ମୁଖରେ ଥିବା ପ୍ରମୁଖ ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ପ୍ରତିବର୍ଷ ସେପ୍ଟେମ୍ବର ୧୫ରେ ବିଶ୍ୱ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଜାତିସଂଘ ସାଧାରଣ ସଭା ୨୦୦୭ରେ ଏହି ଦିବସର ଶୁଭାରମ୍ଭ କରିଥିଲା। ବିଶ୍ୱରେ ଗଣତାନ୍ତ୍ରିକ ପ୍ରକ୍ରିୟା, ମୂଲ୍ୟବୋଧ ଓ ନାଗରିକ ଅଧିକାରକୁ ସୁଦୃଢ଼ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଯୁବପିଢ଼ି ଶିକ୍ଷିତ ଓ ସଚେତନ ହେଲେ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ।

ଏହି ଅବସରରେ ଡ. ପ୍ରମୋଦ କୁମାର ନାୟକ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ, ପରିବେଶବିତ୍ ଉପେନ୍ଦ୍ର ରାଉତ, ଡ. ଅନୁପମା ମିଶ୍ର, ଡା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେମାନେ ଓଡ଼ିଆ ଓ ଇଂରାଜୀ ସନେଟ୍ ଆବୃତ୍ତି କରିବା ସହ ଗଣତନ୍ତ୍ରର ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ।

ସମାଜସେବୀ ସରୋଜ କୁମାର ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସାର୍ଥକ ପଟ୍ଟନାୟକ, ଇଂ. ଅବିନାଶ ଦାସ, ଇଂ. ଯୁଧିଷ୍ଠିର ସାହୁ, ଲକ୍ଷ୍ମୀଧର ଶତପଥୀ, ବିପିନ ବିହାରୀ ବେହେରା, ତରୁଣ କୁମାର ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ, ରବିନାରାୟଣ ପଟ୍ଟନାୟକ, ଗିରିଶ ଚନ୍ଦ୍ର ସାମଲ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ବାରିକ, ଦିଲ୍ଲୀପ କୁମାର ସାହୁ, ଶ୍ରୀକାନ୍ତ କୁମାର ସାହୁ ଓ ଅକାନନ୍ଦ ଭୋଳଙ୍କ ସମେତ ଉଫୁନାର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.