Take a fresh look at your lifestyle.

କଳିରେ ପ୍ରତ୍ୟକ୍ଷ ଠାକୁର ବାବା ପଶ୍ଚିମେଶ୍ୱର

0 8

 ଢେଙ୍କାନାଳ, ୨୭ା୮ (ନି.ପ୍ର) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ପ୍ରାଚୀନ ଛଦେଶ ପ୍ରଗଣାର ଗଙ୍ଗାଧରପ୍ରସାଦ (ଚଷାପଡ଼ା) ଗ୍ରାମରେ ବିରାଜମାନ ସ୍ୱୟଂଭୂ ଶିବଲିଙ୍ଗ ଶ୍ରୀ ଶ୍ରୀ ବାବା ପଶ୍ଚିମେଶ୍ୱର ମହାଦେବ। ଢେଙ୍କାନାଳ ସହରଠାରୁ ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର ଦୂରରେ ସାପୁଆ ନଦୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ଶୈବପୀଠ ଧାର୍ମିକ ଓ ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରେ।

ପଞ୍ଚରଥ ଶୈଳୀରେ ନିର୍ମିତ ମନ୍ଦିରର ଉଚ୍ଚତା ପ୍ରାୟ ୪୫ ଫୁଟ। ମନ୍ଦିରର ଉତ୍ତର ପାର୍ଶ୍ୱରେ ପାର୍ବତୀ, ପୂର୍ବରେ କାର୍ତ୍ତିକେୟ ଓ ଦକ୍ଷିଣରେ ଗଣେଶଙ୍କ କଳାମୁଗୁନି ପଥରରେ ନିର୍ମିତ ପାର୍ଶ୍ୱଦେବତା ମୂର୍ତ୍ତି ପୂଜିତ ହେଉଛନ୍ତି। ମନ୍ଦିରର ଏକ ବିଶେଷତ୍ୱ ହେଉଛି ଏହାର ମୁଖଶାଳା ପଶ୍ଚିମ ଦିଗକୁ ରହିଛି। ଏଠାରେ ଯଜ୍ଞମଣ୍ଡପ, ଧର୍ମଶାଳା ଓ ଧାନଘର ମଧ୍ୟ ରହିଛି।

ପଶ୍ଚିମମୁଖୀ ମନ୍ଦିର ପଛରେ କିମ୍ବଦନ୍ତୀ

ମନ୍ଦିରର ପଶ୍ଚିମମୁଖୀ ହେବାକୁ ନେଇ ଏକ ମନୋରମ ଲୋକକଥା ପ୍ରଚଳିତ। ଜଣେ କୋଷ୍ଠରୋଗୀ ଛୋଟା ଭକ୍ତ ପ୍ରତିଦିନ ମନ୍ଦିରର ପଶ୍ଚିମ ଦିଗରେ ବସି ସୁମଧୁର କଣ୍ଠରେ ଗୀତଗୋବିନ୍ଦ ଗାଉଥିଲେ। ଦିନେ ମହାଦେବ ଶୂନ୍ୟବାଣୀ ଦେଇ ତାଙ୍କୁ ମୁଖଶାଳା ସମ୍ମୁଖରେ ବସି ଗାଇବାକୁ କହିଥିଲେ। ନିଜର ଅକ୍ଷମତା ପ୍ରକାଶ କରି ଭକ୍ତ ଠାକୁରଙ୍କୁ ମୁଖଶାଳା ତାଙ୍କ ଦିଗକୁ କରିବାକୁ ପ୍ରାର୍ଥନା କରିଥିଲେ। ପରଦିନ ମନ୍ଦିରର ମୁଖ ପଶ୍ଚିମ ଦିଗକୁ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଦିନଠାରୁ ଠାକୁର ‘ପଶ୍ଚିମେଶ୍ୱର’ ନାମରେ ପ୍ରସିଦ୍ଧ ହୋଇଥିବା ଲୋକବିଶ୍ୱାସ ରହିଛି।

ପ୍ରାଚୀନ ଐତିହ୍ୟର ମୂକସାକ୍ଷୀ

ପଶ୍ଚିମେଶ୍ୱରଙ୍କ ମନ୍ଦିରର ପୂର୍ବ ଦିଗରେ ବାବା ସିଦ୍ଧେଶ୍ୱର ଓ ବୃଦ୍ଧେଶ୍ୱରଙ୍କ ଦୁଇଟି ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକରେ ଅଷ୍ଟଗ୍ରହ ମୂର୍ତ୍ତି ଥିବାରୁ ଏହି ଅଞ୍ଚଳର ପ୍ରାଚୀନତା ସପ୍ତମ-ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ପହଞ୍ଚିଥିବା ଐତିହାସିକମାନେ ମତ ଦିଅନ୍ତି। ନିକଟରେ ବୌଦ୍ଧପୀଠର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳେ।

ଇତିହାସ ଅନୁଯାୟୀ, ଏହି ସମଗ୍ର ଅଞ୍ଚଳ ଏକଦା ତିଗିରିଆ ରାଜାଙ୍କ ଅଧୀନରେ ଥିଲା। ପରବର୍ତ୍ତୀ ସମୟରେ ଢେଙ୍କାନାଳ ରାଜା ତିଗିରିଆ ରାଜାଙ୍କୁ ପରାସ୍ତ କରି ଏହି ଅଞ୍ଚଳର ଏକ ଅଂଶ ନିଜ ରାଜ୍ୟଭୁକ୍ତ କରିଥିବା କୁହାଯାଏ। ଏହି ଅଞ୍ଚଳ ‘ଛଦେଶ’ ନାମରେ ପରିଚିତ ଥିଲା।

୧୮୯୨ରେ ନୂଆ ମନ୍ଦିର ନିର୍ମାଣ

ପ୍ରାଚୀନ ପଶ୍ଚିମେଶ୍ୱର ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଢେଙ୍କାନାଳର ରାଜା ଦୀନବନ୍ଧୁ ମହେନ୍ଦ୍ର ବାହାଦୁର ୧୮୯୨ ମସିହାରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରିଥିବା ଐତିହାସିକ ତଥ୍ୟରୁ ଜଣାଯାଏ। ଉତ୍କଳୀୟ ଶିଳ୍ପକଳାରେ ନିର୍ମିତ ଏହି ମନ୍ଦିରର ଗର୍ଭଗୃହରେ ଦୁଇଟି ଶିବଲିଙ୍ଗ ପୂଜିତ ହେଉଛନ୍ତି।

ସାପୁଆ ନଦୀ ହିନ୍ଦୋଳ ଅଞ୍ଚଳରୁ ବାହାରି ଛଦେଶ, ତିଗିରିଆ ଓ ଆଠଗଡ଼ ଅଞ୍ଚଳ ଦେଇ ପ୍ରବାହିତ ହୋଇ ମହାନଦୀରେ ମିଶିଛି। ଏହି ନଦୀକୂଳରେ ଅନେକ ପ୍ରାଚୀନ ଶୈବପୀଠ ରହିଥିବାରୁ ଏହି ଅଞ୍ଚଳର ଧାର୍ମିକ ଓ ଐତିହ୍ୟିକ ଗୁରୁତ୍ୱ ଅଧିକ।

ଅଖଣ୍ଡ ବିଶ୍ୱାସର ପୀଠ

ପଶ୍ଚିମେଶ୍ୱରଙ୍କ ପ୍ରାୟ ୪୦ ଏକର ଚାଷଜମିରୁ ବାର୍ଷିକ ସଞ୍ଜା ଆଦାୟ ହୋଇ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଓ ପର୍ବପର୍ବାଣୀ ସମ୍ପନ୍ନ ହୋଇଥାଏ। ପ୍ରାତଃ ଜୟମଙ୍ଗଳ ଆଳତିଠାରୁ ଆରମ୍ଭ କରି ସ୍ନାନମାର୍ଜନା, ବାଳଭୋଗ, ଅନ୍ନଭୋଗ, ସନ୍ଧ୍ୟା ଆଳତି ଓ ରାତ୍ରିଭୋଗ ଆଦି ନୀତି ଅନୁଷ୍ଠିତ ହୁଏ। ମାଳିମାନେ ଠାକୁରଙ୍କ ପାରମ୍ପରିକ ସେବକ ଭାବେ ନିୟୋଜିତ ଅଛନ୍ତି।

ଶିବରାତ୍ରି, ମକର ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି, ଦେବୀପର୍ବ, କାର୍ତ୍ତିକ ପୂର୍ଣ୍ଣିମା ଓ ରାସପୂର୍ଣ୍ଣିମା ଆଦି ପର୍ବରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବୈଦିକ ଯଜ୍ଞ ଓ ରାମାୟଣ ପାରାୟଣ ମଧ୍ୟ ଅନୁଷ୍ଠିତ ହୁଏ।

ଢେଙ୍କାନାଳ ସମେତ ହିନ୍ଦୋଳ, ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ଓ ଛଦେଶ ଅଞ୍ଚଳରେ ବାବା ପଶ୍ଚିମେଶ୍ୱରଙ୍କ ଅପାର ମହିମା ରହିଛି। ପ୍ରଭୁଙ୍କ ନାଗ ଖଣ୍ଡିଆ ଭାଗକୁ ଧରି ଶପଥ କରିବାକୁ ମଧ୍ୟ ଲୋକେ ସାହସ କରନ୍ତି ନାହିଁ। ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ଅଖଣ୍ଡ ବିଶ୍ୱାସ। ତେଣୁ ଲୋକମୁଖରେ ପ୍ରଚଳିତ— ‘ସ୍ୱୟଂଭୂ ଶ୍ରୀ ପଶ୍ଚିମେଶ୍ୱର, କଳିରେ ପ୍ରତ୍ୟକ୍ଷ ଠାକୁର।’

- Advertisement -

Leave A Reply

Your email address will not be published.