ଢେଙ୍କାନାଳ: ଆସରଡ଼ା ଗ୍ରାମରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟର (OSC) ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ଏମ୍ବିକେ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ଗ୍ରାମବାସୀ ଯୋଗଦେଇଥିଲେ।
ଶିବିରରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟରର ଉଦ୍ଦେଶ୍ୟ, ଭୂମିକା ଏବଂ ମହିଳା ଓ କନ୍ୟାମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସହାୟତା ସେବା ସମ୍ପର୍କରେ ସଚେତନ କରାଯାଇଥିଲା। ଘରୋଇ ହିଂସା, ଯୌତୁକ ନିର୍ଯାତନା, ଯୌନ ନିର୍ଯାତନା, ବାଲ୍ୟବିବାହ, ମାନବ ଚାଲାଣ ଓ ଅନ୍ୟାନ୍ୟ ହିଂସାର ଶିକାର ମହିଳା ଓ କନ୍ୟାମାନେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟର ମାଧ୍ୟମରେ ପାଇପାରୁଥିବା ଆଇନଗତ, ପୁଲିସ, ଚିକିତ୍ସା ଓ ପରାମର୍ଶ ସେବା ସହ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। 
ମହିଳା ଓ ଶିଶୁଙ୍କ ସୁରକ୍ଷା ତଥା ହିଂସା ନିରୋଧ ଦିଗରେ ସରପଞ୍ଚ, ଏମ୍ବିକେ, ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମବାସୀମାନେ ସକ୍ରିୟ ଭୂମିକା ନେବାକୁ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକ ସମୟରେ ନିକଟସ୍ଥ ସାଖୀ ୱାନ୍ ଷ୍ଟପ୍ ସେଣ୍ଟର ସହ ଯୋଗାଯୋଗ କରି ସହାୟତା ନେବାକୁ ମଧ୍ୟ କୁହାଯାଇଥିଲା।
ସାଖୀ ୱାନ୍ ଷ୍ଟପ୍ ସେଣ୍ଟରର ସେଣ୍ଟର ଆଡମିନିଷ୍ଟ୍ରେଟର ରଞ୍ଜିତ ମଞ୍ଜରୀ କର ଓ କେସ୍ ୱାର୍କର ଲିପ୍ସା ପାତ୍ର ସହଭାଗୀତାମୂଳକ ପ୍ରକ୍ରିୟାରେ ଶିବିର ପରିଚାଳନା କରି ବିଭିନ୍ନ ପ୍ରସଙ୍ଗରେ ଉପସ୍ଥିତ ମହିଳା ଓ ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ କରିଥିଲେ।
