ଢେଙ୍କାନାଳ : ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ସୋମବାର ଉତ୍ସବମୁଖର ହୋଇଉଠିଥିଲା ଢେଙ୍କାନାଳ ସହର। ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ଉତ୍ସାହର ସହ ସାମିଲ ହୋଇଥିଲେ।
ସକାଳ ପ୍ରାୟ ୮ଟାରେ ବାଜିଚୌକଠାରୁ ଏହି ଶୋଭାଯାତ୍ରାକୁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବାଜିଚୌକଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିବା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇ ଆଗେଇ ଚାଲିଥିଲେ। ‘ହର ଘର ତିରଙ୍ଗା’ ଧ୍ୱନିରେ ସହରର ରାସ୍ତାଘାଟ ପ୍ରକମ୍ପିତ ହୋଇଉଠିଥିଲା।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ତ୍ରିରଙ୍ଗା ଆମ ଦେଶର ଗୌରବ, ସ୍ୱାଧୀନତା ଓ ଜାତୀୟ ଏକତାର ପ୍ରତୀକ। ‘ହର ଘର ତିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ସହ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇବା ଏହାର ଲକ୍ଷ୍ୟ। ଢେଙ୍କାନାଳବାସୀଙ୍କ ବିପୁଳ ଯୋଗଦାନ ତ୍ରିରଙ୍ଗା ପ୍ରତି ସେମାନଙ୍କ ଗର୍ବ ଓ ଦେଶ ପ୍ରତି ଅତୁଟ ଭଲପାଇବାର ପ୍ରମାଣ ବୋଲି ସେ କହିଥିଲେ।
ଶୋଭାଯାତ୍ରାରେ ତ୍ରିରଙ୍ଗା ଧରି ଶତାଧିକ ଲୋକଙ୍କ ସମବେତ ଉପସ୍ଥିତି ସହରରେ ଏକ ଅନନ୍ୟ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତିରଞ୍ଜନ ସେଠୀ, ଉପଜିଲ୍ଲାପାଳ ପଦ୍ମଚରଣ ସାହୁଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ।
‘ହର ଘର ତିରଙ୍ଗା’ ଅଭିଯାନ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିବା ସହ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରୁଛି। ଢେଙ୍କାନାଳବାସୀଙ୍କ ଆଜିର ବିପୁଳ ଯୋଗଦାନ ଏହି ଅଭିଯାନକୁ ଅଧିକ ସଫଳ ଓ ଅର୍ଥପୂର୍ଣ୍ଣ କରିଛି।
