ଢେଙ୍କାନାଳ, ୨୭ା୯ (ନି.ପ୍ର.): ସଦର ବ୍ଲକ ଅନ୍ତର୍ଗତ ଗୋହିରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ସୁରମା ଶତପଥୀଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ।
ସୁରମା ଶତପଥୀ ଭାପୁର ଗ୍ରାମର ରିଙ୍ଗିଆପାଳରୁ ଶିକ୍ଷକତା ଜୀବନ ଆରମ୍ଭ କରି ଗୋହିରାଖାଲ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷାଦାନ କରିଆସିଥିଲେ। ଢେଙ୍କାନାଳ ସହରର ବାସିନ୍ଦା ହୋଇଥିଲେ ମଧ୍ୟ ସେ କେବେ ଟାଉନ୍କୁ ବଦଳି ପାଇଁ କାହାରିକୁ ସୁପାରିସ କରିନଥିବା ଓ ନିଜ କର୍ମସ୍ଥଳୀକୁ ଗୁରୁତ୍ୱ ଦେଇଥିବା ସଭାରେ ଉଲ୍ଲେଖ କରାଯାଇଥିଲା। ତାଙ୍କ ଶିକ୍ଷକତା ଜୀବନରେ କାହାରିଠାରୁ ଅଭିଯୋଗ ଆସିନଥିବା କୁହାଯାଇଥିଲା।
ତାଙ୍କ ପିତା ମଧ୍ୟ ବିବି ହାଇସ୍କୁଲରେ ଜଣେ ଆଦର୍ଶ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପିତାଙ୍କ ଆଦର୍ଶ ଓ ଅନୁପ୍ରେରଣାରେ ସେ ଶିକ୍ଷକତା ଜୀବନରେ ନିଷ୍ଠାର ସହ କାର୍ଯ୍ୟ କରିଥିବା କହିଥିଲେ।
ଅବସର ବିଦାୟ ଅବସରରେ ଗୋହିରାଖାଲ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ ତାଙ୍କୁ ଗ୍ରାମ ମଧ୍ୟକୁ ଶୋଭାଯାତ୍ରାରେ ନେଇ ଘରକୁ ଘର ବୁଲାଇଥିଲେ। ଏହି ଅବସରରେ ତାଙ୍କ ଅବସର ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ।
