Take a fresh look at your lifestyle.

ଶୋଇଥିବା ବେଳେ ହାତୀ ଆକ୍ରମଣ: ଜଣେ ମୃତ

ଘରର ମାଟି କାନ୍ଥ ଭାଙ୍ଗି ଦେଲା ଦନ୍ତା, ଗ୍ରାମରେ ଶୋକାକୁଳ ପରିବେଶ

0 4

ଢେଙ୍କାନାଳ: ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମପଞ୍ଚାୟତର ରାମେଇଖମାର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଖିଳ ଭୋଇଙ୍କ ୪୩ ବର୍ଷୀୟ ପୁଅ ପ୍ରମୋଦ ଭୋଇ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ୩୦ମିନିଟ ସମୟରେ ପ୍ରମୋଦ ନିଜ ଚାଳ ଘରେ ଶୋଇଥିଲେ। ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଦନ୍ତା ହାତୀ ଘରର ମାଟି କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା। ହାତୀଟି ଘରେ ଥିବା ଧାନ ଓ ଚାଉଳ ଖାଉଥିବା ବେଳେ ଶବ୍ଦ ଶୁଣି ପ୍ରମୋଦଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଉଠିବା ପରେ ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିବା ଜଣାପଡ଼ିଛି।

ଘଟଣା ସମୟରେ ପ୍ରମୋଦଙ୍କ ପତ୍ନୀ ଓ ପିଲାମାନେ ଅନ୍ୟ ଏକ ଘରେ ଶୋଇଥିଲେ। ହାତୀର ଉପସ୍ଥିତି ଜାଣିବା ପରେ ସେମାନେ ଜୀବନ ବିକଳରେ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ। ପରେ ଛାତ ଉପରେ ଚଢ଼ି ଚିତ୍କାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ଏକାଠି ହୋଇଥିଲେ।

ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ କପିଳାସ ରେଞ୍ଜ ଅଧିକାରୀ ଓ ହାତୀ ସ୍କ୍ୱାଡ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ବନ ବିଭାଗ ପକ୍ଷରୁ ପ୍ରମୋଦଙ୍କ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଯାଇଛି।

ହାତୀ ଆକ୍ରମଣରେ ପ୍ରମୋଦଙ୍କ ମୃତ୍ୟୁକୁ ନେଇ ରାମେଇଖମାର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ହାତୀ ଆତଙ୍କ ବୃଦ୍ଧି ପାଇଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଚଳପ୍ରଚଳ ଉପରେ ନଜର ରଖାଯାଇଛି।

- Advertisement -

Leave A Reply

Your email address will not be published.