ଢେଙ୍କାନାଳ: ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗରରେ ରହୁଥିବା ଅବସରପ୍ରାପ୍ତ ବିଡିଓ ପିଏନ୍ ସତ୍ୟଭାମା ଆମ୍ମାଙ୍କର ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ଅସୁସ୍ଥ ଥିଲେ।
ପିଏନ୍ ସତ୍ୟଭାମା ଆମ୍ମା ତାଙ୍କ ଦୀର୍ଘ ଚାକିରି ଜୀବନରେ ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏହାସହ ଗଞ୍ଜାମ ଜିଲ୍ଲାର ଧରାକୋଟ, ଅନୁଗୋଳ ଜିଲ୍ଲାର କିଶୋରନଗର, ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା, ବଲାଙ୍ଗିର ଜିଲ୍ଲାର ୧ ନମ୍ବର ବ୍ଲକ ଏବଂ ରେଢ଼ାଖୋଲ ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୯୭ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। 
ଚାକିରି ଜୀବନରେ ସେ ଜଣେ କର୍ତ୍ତବ୍ୟନିଷ୍ଠ, ଦୃଢ଼ମନା ଓ ନିଷ୍ଠାବାନ ଅଧିକାରୀ ଭାବେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କୁଞ୍ଜକାନ୍ତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତାଙ୍କ ଏକମାତ୍ର ପୁତ୍ର ତଥା ‘ଧରିତ୍ରୀ’ର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ରତନ ନାୟାର ମୁଖାଗ୍ନି ଦେଇଥିଲେ।
ତାଙ୍କ ବିୟୋଗରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ସମାଜସେବୀ ରାମଚନ୍ଦ୍ର ପାତ୍ର, ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ, ସନ୍ଦୀପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର ଦାସ, ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର, ଉପସଭାପତି ଦ୍ୱିତୀକୃଷ୍ଣ ବରାଳ, ସମ୍ପାଦକ ଟଙ୍କଧର ବେହେରା, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ପ୍ରତାପ ବରାଳ ଓ ସମ୍ପାଦକ ସତ୍ୟସ୍ୱରୂପ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ପୂର୍ବତନ ସାଂସଦ ମହେଶ ସାହୁ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି।
ରୂପରେଖା ପରିବାର ପକ୍ଷରୁ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା।
