ଢେଙ୍କାନାଳ(ରାଜକିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ବେହେରାଙ୍କୁ ୬୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ନେବାପାଇଁ ସହଯୋଗୀ ଥିବା ବିଷ୍ଣୁବହ୍ଲବ ଖଟୁଆ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଭିଜିଲାନ୍ସ ତାଙ୍କ ନିକଟରୁ ରାସାୟନିକ ରଙ୍ଗବୋଳା ୬୦ହଜାର ଟଙ୍କା ଜବତ କରିବା ସହିତ ଉଭୟଙ୍କୁ ବିଭାଗ ନିଜ ହେପାଜତକୁ ନେଇଛନ୍ତି । ଏଥିସହିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଦକ୍ଷିଣକାଳୀସ୍ଥ ଭଡ଼ାଘର ଏବଂ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ପୈତୃକ ଘର ଖଙ୍କର ଗ୍ରାମରେ ଖାନ୍ତଲାସି କରିଛନ୍ତି ।![]()

ସୂଚନା ଅନୁସାରେ ହିନେ୍ଦାଳ ତହସିଲ ଗଣ୍ଡାନାଳୀ ଆର୍ଆଇ ସର୍କଲ ଅନ୍ତର୍ଗତ ନୂଆବଗ ଗ୍ରାମର ଅଷ୍ଟମୀ ସାହୁ ନାମକ ଜଣେ ବ୍ୟକ୍ତି, ତାଙ୍କ ଜମିର ମ୍ୟୁଟେସନ୍ କରାଇବା ପାଇଁ ବାରମ୍ବାର ଆର୍ଆଇ ଅଫିସକୁ ଦୌଡ଼ୁଥିଲେ । ଟଙ୍କା ନଦେଲେ ତାଙ୍କ କାମ ହେବନାହିଁ ବୋଲି ଶ୍ରୀ ସାହୁ ଅନୁଭବ କରିଥିଲେ । ରାଜସ୍ୱନିରୀକ୍ଷକ ଶଶିଭୂଷଣ ବେହେରା ସ୍ଥାନୀୟ ଅଂଚଳର ବିଷ୍ଣୁବହ୍ଲବ ଖଟୁଆଙ୍କ ମାଧ୍ୟମରେ ୪ଟି ପ୍ଲଟର ମ୍ୟୁଟେସନ୍ ପାଇଁ ପ୍ଲଟ୍ ପିଛା ୧୫ହଜାର ଟଙ୍କା ଲେଖାଏଁ ଦାବି କରିଥିଲେ ।
ଏନେଇ ଅଷ୍ଟମୀ ସାହୁ ଢେଙ୍କାନାଳ ଭିଜିଲାନ୍ସ ଡିଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ ଆର୍ଆଇଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା ଏବଂ ବୁଧବାର ସକାଳେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବିଷ୍ଣୁବହ୍ଲବ ଖଟୁଆଙ୍କ ମାଧ୍ୟମରେ ୬୦ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡି ବସିଥିଲେ ।
ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବା ସହ ଉଭୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଗିରଫ କରିଥିଲେ । ଭିଜିଲାନ୍ସ ଟିମ୍ ଗଣ୍ଡାନାଳୀ ଆର୍ଆଇ ଅଫିସ୍ ଖାନ୍ତଲାସୀ କରିବା ସହ ଉଭୟଙ୍କ ପୈତୃକ ବାସଭବନ ଏବଂ ଆର୍ଆଇଙ୍କୁ ଢେଙ୍କାନାଳ ସହରର ଦକ୍ଷୀଣକାଳିସ୍ଥ ଭଡ଼ାଘର, ଖଙ୍କରରେ ଥିବା ପୈତୃକ ଘର ଖାନ୍ତଲାସୀ କରାଯାଇଛି ।
ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି । ଏ ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି ।