ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଢେଙ୍କାନାଳ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ସକାଳ ୯ଟା ୧୫ମିନିଟ୍ରେ ମୁଖ୍ୟଅତିଥି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ।
ପ୍ୟାରେଡ୍ କମାଣ୍ଡର ଆର୍ଆଇ ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ପୁଲିସ ବାହିନୀ, ଓଏସ୍ଏପି ପ୍ରଥମ ବାଟାଲିୟନ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ୍ ଦଳ ଓ ବ୍ୟାଣ୍ଡ୍ ଦଳ ଅଂଶଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଭାରତର ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱ ଇତିହାସର ଏକ ଅଭୂତପୂର୍ବ ଘଟଣା ଭାବେ ବର୍ଣ୍ଣନା କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ମହାପୁରୁଷ ଓ ଢେଙ୍କାନାଳର ବରପୁତ୍ରମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିକଶିତ ଓଡ଼ିଶା ଗଠନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିବା ସହ ଦେଶର ଏକତା, ଅଖଣ୍ଡତା, ଶାନ୍ତି ଓ ମୈତ୍ରୀ ବଜାୟ ରଖି ରାଜ୍ୟ ଓ ଦେଶର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ।
ପ୍ୟାରେଡ୍ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ଅମନ କୁମାର ସାହୁ, ଅରଣ୍ୟ କୁମାର ସାହୁ ଓ ଶ୍ରେୟା ଶିଳ୍ପୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପଞ୍ଚାୟତରାଜ ହାଇସ୍କୁଲ, କାନପୁରାକୁ ସମ୍ମାନିତ କରାଯାଇଥିଲା।
ଜିଲ୍ଲାରେ ସର୍ବାଧିକ ରକ୍ତଦାନ ପାଇଁ ବଜରଙ୍ଗ କ୍ଲବ, ଢେଙ୍କାନାଳ; ବିଜେପି, ଢେଙ୍କାନାଳ; ଆମ ଓଡ଼ିଶା, ଢେଙ୍କାନାଳ; ସାଇ ସତସଙ୍ଗ ସେବା ଟ୍ରଷ୍ଟ; ଟାଟା ଷ୍ଟିଲ୍, ମେରାମଣ୍ଡଳୀ ଓ ମହିଳା ଶିବିର, ବଜରଙ୍ଗ କ୍ଲବକୁ ରନିଂ ସିଲ୍ଡ ପ୍ରଦାନ କରାଯାଇଥିଲା। ସମ୍ମିଳିତ ପ୍ୟାରେଡ୍ରେ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଭାବେ ଜୁନିଅର ଡିଭିଜନ ଏନ୍ସିସି, ଦିଲ୍ଲୀ ପବ୍ଲିକ୍ ସ୍କୁଲ; ଶ୍ରେଷ୍ଠ ବେସାମରିକ ବାଳିକା ଦଳ ଭାବେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ; ଶ୍ରେଷ୍ଠ ବେସାମରିକ ବାଳକ ଦଳ ଭାବେ ଆନନ୍ଦମାର୍ଗ ପବ୍ଲିକ୍ ସ୍କୁଲ ଓ ଶ୍ରେଷ୍ଠ ଗାଇଡ୍ ଦଳ ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ରନିଂ ସିଲ୍ଡ ପ୍ରଦାନ କରାଯାଇଥିଲା।
ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ୮ଟାରୁ ମୁଖ୍ୟଅତିଥି ସହରର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
