ଠକେଇ, ଦ୍ୱିତୀୟ ବିବାହ:ଅଭିଯୁକ୍ତ ସ୍ୱାମୀକୁ ୭ବର୍ଷ କାରାଦଣ୍ଡାଦେଶ
ଢେଙ୍କାନାଳ : ଢେଙ୍କାନାଳ ଅତିରିକ୍ତ ଦୌରାଜଜ୍ (ମହିଳା ଅଦାଲତ) ଶୁକ୍ରବାର ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ ଅଭିଯୁକ୍ତକୁ ୭ବର୍ଷ କରାଦଣ୍ଡାଦେଶ, ୫୦ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୯ମାସ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।
ଅତିରିକ୍ତ ଦୌରାଜଜ୍ ସୁମିତା ରାଉତ ସିଟି ସେସନ୍ସ କେସ୍ର ବିଚାର କରି ମୁଦାଲା ସଦର ଥାନା ଅନ୍ତର୍ଗତ ଅଶନପାଟିଆ ଗାଁର ପ୍ରଦ୍ୟୁମ୍ନ ବେହେରାଙ୍କୁ ଭାରତୀୟ ପିଙ୍ଗଳକୋଡ୍ର ୪୧୯, ୧୭୭, ୪୨୦, ୧୨୦(ବି) ଏବଂ ୪୯୪ଦଫାରେ ପୃଥକ ପୃଥକ ବିଚାର କରି ଦଣ୍ଡ ବିଧାନ କରିଛନ୍ତି ।
ସରକାରୀ ଓକିଲ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଠାରୁ ପ୍ରକାଶ ଯେ, ଗତ ୨୦୦୬ ମଇମାସ ୯ତାରିଖରେ ଅନୁଗୁଳ ଜିଲ୍ଲାର ଦୀପ୍ତିମଞ୍ଜରୀ ବେହେରା ଅଶନପାଟିଆ ଗାଁର ପ୍ରଭାକର ବେହେରାଙ୍କ ବଡ଼ପୁଅ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ପ୍ରଦ୍ୟୁନ୍ନ, ତା’ର ସ୍ତ୍ରୀ ଦୀପ୍ତିମଞ୍ଜରୀଙ୍କୁ ସାଥିରେ ନେଇ ଆର୍ମିରେ ଚାକିରୀ କରୁଥିବା ଉତରପ୍ରଦେଶର ବାବିନକୁ ନେଇ ରହୁଥିଲେ । ସେଠାରେ ତାଙ୍କ ସ୍ୱାମୀ ଇଣ୍ଡିଆନ୍ ଆର୍ମିରେ ସିପେଇ ଭାବେ କାର୍ଯ୍ୟରତ ଥିଲେ । ତେବେ ଉତରପ୍ରଦେଶରେ କିଛିଦିନ ରହିବା ପରେ ସ୍ତ୍ରୀ ଦୀପ୍ତିମଞ୍ଜରୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ସମସ୍ତେ ପ୍ରସନ୍ନ ବେହେରା ଡାକୁଛନ୍ତି ।
ଦୀପ୍ତିରାଣୀ ପ୍ରକୃତ କଥା ଜାଣିବାକୁ ଚେଷ୍ଟା କରିଥିଲେ । ବାସ୍ତବରେ ତାଙ୍କ ସ୍ୱାମୀ ପ୍ରଦ୍ୟୁମ୍ନ ବେହେରା ନିଜ ସାନଭାଇ ପ୍ରସନ୍ନ ବେହେରାଙ୍କ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଜାଲିଆତି କରି ନିଜ ଫଟୋ ଲଗାଇ ଇଣ୍ଡିଆନ୍ ଆର୍ମିରେ ଯୋଗଦାନ କରିଛନ୍ତି । କାରଣ ସେତେବେଳକୁ ଚାକିରୀ ପାଇଁ ତାଙ୍କ ବୟସ ବଢ଼ି ଯାଇଥିବାରୁ ସେ ଏଭଳି ଜାଲିଆତି କରିଥିବା ଦୀପ୍ତମଞ୍ଜରୀ ଜାଣିବାକୁ ପାଇଥିଲେ । ଏକଥା ସ୍ତ୍ରୀ ଦୀପ୍ତିରାଣୀ ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ପଚାରିବାରୁ ସେ ତାର ଚୁଟିଧରି ଘୋଷାରି ଘୋଷାରି କିଛିଦିନ ମାଡମାରିଥିଲା । ଏପରିକି ପିନ୍ଧିଥିବା ବୁଟରେ ପନôୀଙ୍କୁ ଗୋଇଠା ମାରିବା ସହ ଛାତିରେ ମଡ଼ା ପକାଇ ଦେଇଥିଲା ଏବଂ ଧମକ ଦେଇଥିଲା ଯେ, ଏନେଇ ବାବିନରେ ଯଦି କାହାକୁ ଜଣାଇବ ନାହିଁ, ଯିଏ ପଚାରିବ ତାକୁ ପ୍ରଦ୍ୟୁମ୍ନ ନୁହେଁ ପ୍ରସନ୍ନ ବୋଲି କହିବ ବୋଲି ପ୍ରବତାଇଥିଲା ।
ଦୀପ୍ତିମଞ୍ଜରୀ ଏନେଇ ତାଙ୍କ ପିତାଙ୍କୁ ଅବଗତ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ବାପା ବାବିନ ଯାଇ ସେଠାରୁ ଝିଅକୁ ଘରକୁ ଆଣିଥିଲେ । ଦୀପ୍ତିମଞ୍ଜରୀ ଆଉ ମଧ୍ୟ ଜାଣିବାକୁ ପାଇଥିଲେ ଯେ, ପ୍ରଦ୍ୟୁମ୍ନଙ୍କ ସାନଭାଇ ପ୍ରସନ୍ନ, ବଡ଼ଭାଇ ପ୍ରଦ୍ୟୁମ୍ନର ଶିକ୍ଷାଗତ ପ୍ରମାଣପତ୍ର ଦେଇ ୧୨୦ ବାଟାଲିଅନ୍ (ଟେରିଟୋରିଆଲ୍ ଆର୍ମି, ବିହାର) ଭୁବନେଶ୍ୱରରେ ଚାକିରୀ କରିଛନ୍ତି । କିଛିଦିନ ପରେ ପ୍ରଦ୍ୟୁମ୍ନ ଓ ଅନ୍ୟମାନେ ଆସି ଦୀପ୍ତିମଞ୍ଜରୀଙ୍କୁ ଅଶନପାଟିଆସ୍ଥ ଶାଶୁ ଘରକୁ ନେଇ ଯାଇଥିଲେ ।
ସେଠାରେ ଦୀପ୍ତମଞ୍ଜରୀ କିଛିଦିନ ରହିବା ପରେ ତା’ର ସ୍ୱାମୀ ପ୍ରଦ୍ୟୁମ୍ନ ଓ ଦିଅର, ନଣନ୍ଦ ମିଶ୍ର ୧୩ା୭ା୨୦୧୩ରେ ତାଙ୍କୁ ମାରିଦେବା ଉଦେ୍ଦଶ୍ୟରେ ମାର୍ପିଟ୍ କରି ଫ୍ୟାନରେ ଝୁଲାଇ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଖରେ ଥିବା ଜଣେ ପଡୋଶୀ ଦୀପ୍ତମଞ୍ଜରୀଙ୍କୁ ରକ୍ଷାକରି ତା’ ପରଦିନ ବାପଘରକୁ ଛାଡିବାରେ ସହାୟକ ହୋଇଥିଲେ ।
ଦୀପ୍ତିମଞ୍ଜରୀ ବାପଘରେ କିଛିଦିନ ରହିବା ପରେ ସ୍ୱାମୀ ପ୍ରଦ୍ୟୁମ୍ନ ରାଧାରମଣପଡ଼ା ଅନୁଗୁଳ ଅଂଚଳର ମାମିନା ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ତା’ର ଗୋଟିଏ ପୁତ୍ର ସନ୍ତାନ ରହିଛି । ଦୀପ୍ତିମଞ୍ଜରୀ ସ୍ୱାମୀ ପ୍ରଦ୍ୟୁମ୍ନ ଓ ଦିଅର କରିଥିବା ଜାଲିଆତି ବିଷୟରେ ତାଙ୍କ ଚାକିରୀ କରିଥିବା ଅଫିସକୁ ଅବଗତ କରିଥିଲେ ।
ପରେ ୨୦୧୪ ଅକ୍ଟୋବର ୩୦ରେ ଦୀପ୍ତିମଞ୍ଜରୀ ଏନେଇ ସଦର ଥାନାରେ ଏତେଲା ଦେଇଥିଲେ । ସଦରତାନା ସବ୍ଇନିସ୍ପେକ୍ଟର ରେଣୁବାଳା ସାହୁ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲେ । ପ୍ରସନ୍ନ ବେହେରା ଅନୁପସ୍ଥିତ ଥିବାରୁ ମୁଦାଲା ପ୍ରଦ୍ୟୁମ୍ନ ବେହେରାର ଅଦାଲତରେ ଏକାକି ଟ୍ରାଏଲ ହୋଇଥିଲା । ଯିଏକି ସଂପ୍ରତି ଜେଲ୍ରେ ରହିଛନ୍ତି ।
ଶୁକ୍ରବାର ଏହି ମାମଲାକୁ ସହକାରୀ ସେସନ୍ସ ଜେଜ୍ (ମହିଳାଙ୍କ ଅଦାଲତ) ସୁନିତା ରାଉତ ୨୮ଜଣ ସାକ୍ଷୀ, ୮୦ଟି ଦସ୍ତାବିଜକୁ ବିଚାର କରି ମୁଦାଲା ପ୍ରଦ୍ୟୁମ୍ନ ବେହରାକୁ ଭିନ୍ନ ଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ମୋଟ୍ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ୫ଟି ଦଫାରେ ୧୦ହଜାର ଟଙ୍କା ଲେଖାଏଁ ମୋଟ୍ ୫୦ହଜାର ଟଙ୍କାର ଅର୍ଥଦଣ୍ଡ, ଅର୍ଥ ଅନାଦେୟ ଅଧିକ ୯ମାସ୍ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ଆଡିସ୍ନାଲ୍ ପିପି ସୂର୍ଯ୍ୟନାରାୟଣ ତ୍ରିପାଠୀ ପରିଚାଳନା କରିଥିଲେ ।