ଜୀବେ ଦୟା

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ଭବ୍ୟା ରାତ୍ରି ଟିଉଶନରୁ ପାଠପଢ଼ି ଘରକୁ ଫେରିଲା । ପରିବାରର ଅନ୍ୟମାନଙ୍କୁ ଖାଦ୍ୟ ପରଶିବା ସହ ଭବ୍ୟାକୁ ମଧ୍ୟ ତା’ର ବୋଉ ଖାଦ୍ୟ ବାଢ଼ି ଦେଲେ । ଭବ୍ୟା ଖାଇସାରି ବିଛଣାରେ ଗଡ଼ପଡ଼ ହୋଇଥାଏ । ତାକୁ ନିଦ ଆସୁନଥାଏ ।ଶେଷରେ ଭବ୍ୟାର ବୋଉ ରାତ୍ରି ଭୋଜନ କରୁଥା’ନ୍ତି । ସେତେବେଳକୁ ଭବ୍ୟାର ଜେଜେବାପା ଓ ଜେଜୀମାଆ ଖାଇସାରି ଶୋଇବାକୁ ବାହାରୁଥା’ନ୍ତି । ସେମାନଙ୍କ ପାଟି ଶୁଣି ଭବ୍ୟା କହିଲା – “ବୋଉ, ମୁଁ ଟିକେ ଜେଜେ ଓ ମାଆଙ୍କ ପାଖକୁ ଯାଉଛି । ତୁମେ ଖାଇ ସାରିଲେ ମୋତେ ଶୋଇବାକୁ ଡାକିବ ।” ସେମାନଙ୍କ ସହ କିଛି ସମୟ ଖୁସି ଗପ କରୁ କରୁ ଭବ୍ୟାର ବାପା ମଙ୍ଗୁ ତାଙ୍କ ନିକଟରେ ପହଞ୍ଚି ଭବ୍ୟାକୁ ଶୋଇବାକୁ ଡାକିଲେ ।

ଭବ୍ୟାର ଜେଜୀମାଆ ପୁଅ ମଙ୍ଗୁକୁ ଦେଖି କହିଲେ-” ଜାଣିଲୁ ମଙ୍ଗୁ, ଆଜି ଅପରାହ୍ନ ୪ଟା ପରେ ମୁଁ ନିଦରୁ ଉଠି ସାରି ଘର ଆଗରେ ସବୁଦିନ ପରି ଘାସ ଓ ଅନାବନା ଜିନିଷ ସଫା କରୁ କରୁ ନଜରକୁ ଆସିଲା ତୋ ସାଇକେଲ୍‌ରୁ ବାହାରିଥିବା ଭଙ୍ଗା ସ୍ପୋକ ଓ ରିମ୍ ଉପରେ। ଯାହାକି ବହୁଦିନ ହେବ ପାଣି ଖାଇ ଘର ଆଗରେ ଥିବା ଆମ୍ବ ଗଛ ମୂଳେ ପଡିଛି । ଭାବିଲି କବାଡ଼ିଆ ବାଲାକୁ ବିକିଦେବି । ତାକୁ ଟାଣୁ ଟାଣୁ ପୁଣି ରହିଗଲି ।

” ପୁଅ ମଙ୍ଗୁ ପଚାରିଲା କାହିଁକି ବୋଉ ?

ବୋଉ କହିଲେ- ତା’ ମୂଳରେ ବଡ଼ କଇଁଛଟିଏ ଦେଖିଲି । ଭାବିଲି ଯଦି ତାକୁ ହଇରାଣ କରେ , ପାଖରେ କିଛି ଦୁଷ୍ଟ ପ୍ରକୃତିର ଲୋକେ ବୁଲୁଛନ୍ତି । ତାକୁ ଦେଖିଲେ ମାରିଦେବେ । ପାଖରେ ପାଣି ଖାଲ ଅଛି । ସେ ନିରୋଳାରେ ସେଠାକୁ ଚାଲିଯିବ । ତେଣୁ ତାକୁ ସ୍ୱଚ୍ଛନ୍ଦରେ ଛାଡ଼ିଦେଇ ଅନ୍ୟ ସ୍ଥାନ ପରିଷ୍କାରରେ ଲାଗିଲି ।

ଜେଜେବାପା ଏକଥା ଶୁଣୁ ଶୁଣୁ ତାଙ୍କର ମନେପଡ଼ିଲା ଏହିପରି ଅତୀତରେ ତାଙ୍କ ସହିତ ବିତିଥିବା ଏକ ଘଟଣା । ଭବ୍ୟା ଜେଜେଙ୍କୁ ସେ ଘଟଣା ବିଷୟରେ କହିବାକୁ କହିଲା ।

ଜେଜେ କହିଲେ -” ଦିନକର କଥା, ମୁଁ ରୋଷେଇ ପାଇଁ ଗାଁ ପାହାଡ଼ ତଳକୁ ଜାଳ ସଂଗ୍ରହ କରିବାପାଇଁ ଯାଇଥାଏ । ସମୟ ପ୍ରାୟ ଦିନ ୧୨ଟା ହୋଇଥାଏ । ସେତେବେଳକୁ ମୁଁ କିଛି ବେଣା କାଟି ସାରି କିଛି କଳମ କାଟୁଥାଏ । ଜାଳ ହାଣୁଥିବା ସ୍ଥାନର ଡାହାଣପଟେ ଥିବା କଳମ ଅରମା ଭିତରେ କିଛି ଖସ ଖସ ଶବ୍ଦ ହେଲା । ମୁଁ ସେଠିକୁ ଅନାଇଲା ବେଳକୁ ଦେଖିଲି ଗୋଟିଏ ଠେକୁଆ ଶାବକକୁ । ସେ ସେହି ଅରମା ଭିତରେ ଧାଇଁ ଆସି ପଶିଗଲା ।

ତତ୍ କ୍ଷଣାତ୍ ୪ଜଣ ଯୁବକ ମୋ ପାଖରେ ପହଞ୍ଚି ପଚାରିଲେ- ମଉସା ,ସଙ୍ଗେ ସଙ୍ଗେ ଧାଇଁ ଆସିଥିବା ଗୋଟେ ଠେକୁଆକୁ ଦେଖିଛି କି ? ମୁଁ ହୃଦୟଙ୍ଗମ କଲି ଯେ ଠେକୁଆ ଛୁଆର ମାଂସ ଖାଇବାକୁ ସେହି ଯୁବକମାନେ ଲାଳାୟିତ । ତେଣୁ ତାକୁ ଧରିବା ପାଇଁ ସେମାନେ ତାକୁ ବହୁ ଦୂରରୁ ଗୋଡ଼େଇଛନ୍ତି । ଠେକୁଆ ଶାବକଟି ନିଜ ପରିବାରଠାରୁ ପୃଥକ୍ ହୋଇ ନିରୂପାୟ । ସତେଯେପରି ସେ ବର୍ତ୍ତମାନ ମୋ ଆଶ୍ରିତ ।

ତେଣୁ ଠେକୁଆ ଛୁଆଟିକୁ ବଞ୍ଚାଇବାକୁ ଯାଇ ମୁଁ ମିଛ କହିବାକୁ ବାଧ୍ୟ ହେଲି । ସେମାନଙ୍କୁ କହିଲି-ମୋର ଜାଳ କାଟିବାରେ ଲକ୍ଷ୍ୟ ଥିବାରୁ ମୁଁ ତାକୁ ଦେଖିନାହିଁ ।ପରେ କିଛି ସମୟ ସେ ସ୍ଥାନ ଓ ପାଖ ସ୍ଥାନ ଖୋଜାଖୋଜି କରି ସାରିବାପରେ ସେମାନେ ନିରୁପାୟ ହୋଇ ଫେରିଗଲେ ଓ ମୁଁ ଜାଳ ଆଣି ଘରକୁ ଫେରିଲି । ଶାବକଟି ବଞ୍ଚିଗଲା ।”

ଜେଜୀମାଆ ଓ ଜେଜେବାପାଙ୍କ ଠାରୁ ତାଙ୍କ ଅନୁଭୂତି ଶୁଣି ସାରିବା ପରେ ଭବ୍ୟା, ଜେଜେ ଓ ମାଆଙ୍କୁ ପ୍ରଶ୍ନ କଲା- ଏପରି କରିବାର କାରଣ ?ସେ ଦୁହେଁ କହିଲେ- ନାତୁଣୀ, ଜୀବମାନଙ୍କ ପ୍ରତି ସମସ୍ତେ ଦୟା ପ୍ରଦର୍ଶନ କରିବା ଉଚିତ୍ । ଏପରିକି ଖରାଦିନରେ ଘର ଅଗଣାରେ ତଥା ଛାତ ଉପରେ ପଶୁପକ୍ଷୀଙ୍କ ପାଇଁ କୁଣ୍ତ ବା ପାତ୍ରରେ ପ୍ରତିଦିନ ସକାଳ ଓ ଉପର ବେଳା ସେମାନଙ୍କ ଶୋଷ ମେଣ୍ଟିବା ପାଇଁ ସମସ୍ତେ ଜଳ ରଖିବା ଉଚିତ୍ ।

କିଛି ବ୍ୟକ୍ତି ମଧ୍ୟ ଦାଣ୍ଡରେ ବସିଥିବା ଚଢ଼େଇ ଓ ବୁଲାପଶୁଙ୍କୁ ଚାଉଳ ,ଖୁଦଭଜା, ବଳକା ଭାତ ଓ ବିସ୍କୁଟ୍ ମଧ୍ୟ ପ୍ରତ୍ୟେହ ଦିଅନ୍ତି । ଏହା ” ଜୀବେ ଦୟା” ।

ଆଚାର୍ଯ୍ୟ କ୍ଷିତୀଶ ଜେନା

କଣ୍ଟିଗଡ଼ିଆ,ଧର୍ମଶାଳା,ଯାଜପୁର

ମୋ-୭୦୦୮୬୩୪୮୦୦

 ଆଚାର୍ଯ୍ୟ କ୍ଷିତୀଶ ଜେନା , ଏକା ଧାରରେ ଜଣେ ସ୍ତମ୍ଭକାର , କବି,ଗାଳ୍ପିକ ଏବଂ ଶିକ୍ଷକ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଣ୍ଟିଗଡ଼ିଆ ଗ୍ରାମରେ ତାଙ୍କର ଜନ୍ମ । ବର୍ତ୍ତମାନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବ୍ଲକ୍ ଅନ୍ତର୍ଗତ ଶଙ୍ଖ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ।

Comments (0)
Add Comment