ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟର ଭାରତୀୟ ମହିଳା ଗୋଷ୍ଠୀ “ଲଜନା ଇମାଇଲ୍ଲାଃ” ର ଏକଶତ ବର୍ଷ ପୂର୍ତ୍ତି

ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିୟା ମୁସଲିମ୍ ସଂପ୍ରଦାୟ ଏକ ନୈଷ୍ଠିକ ଆଧ୍ୟାତ୍ମିକ ସମ୍ପ୍ରଦାୟ (ଜମାଅତ୍) ଅଟେ । ଉକ୍ତ ଜମାଅତର ସ୍ଥାପନ ହଜରତ ମିର୍ଜା ଗୁଲାମ୍ ଅହମଦ୍ ସାହିବ କାଦିୟାନୀ ପ୍ରତିଶୃତ ମସିହ୍ ଓ ମେହଦୀ (ଅ.ସ) ୧୮୮୯ ମସିହାେର କରିଥିେଲ । ଏହି ଜମାଅତର ପ୍ରକୃତ ଅଭିପ୍ରାୟ ହେଲା, ମନୁଷ୍ୟକୁ ନିଜର ପ୍ରକୃତ ସୃଷ୍ଟିକର୍ତ୍ତାଙ୍କ ସହିତ ପରିଚିତ କରାଇବା, ପ୍ରଭୁଙ୍କ ସହିତ ଏକ ଜୀବିତ ଏବଂ ଦୃଢ ସଂପର୍କ ସ୍ଥାପନ କରାଇବା ସଙ୍ଗେ ସଙ୍ଗେ ପୃଥିବୀରେ ମାନବିକତା ସ୍ଥାପନ କରି ପାରସ୍ପରିକ ଭ୍ରାତୃଭାବ ଓ ସହାନୁଭୂତି ଆଦିକୁ
ସଂପ୍ରସାରଣ କରିବା । “ଅର୍ଥାତ୍ ପ୍ରେମ ସଭିଙ୍କ ପାଇଁ ଘୃଣା କାହା ପ୍ରତି ନାହିଁ” ଏହା ହେଉଛି ଜମାଅତ୍ ଅହମ୍ମଦିୟାର ଆଦର୍ଶ ଉକ୍ତି । ଏହି ଆଦର୍ଶ ଉକ୍ତି ଅନୁଯାୟୀ ଜମାଅତ୍ ଅହମ୍ମଦିୟା ପରିଚାଳିତ।

ନିଜର ଶାନ୍ତିପ୍ରିୟ ନୀତି ଏବଂ ମାନବଜାତି ପ୍ରତି ସେବା ମନୋବୃତ୍ତି ଯୋଗୁଁ ହିଁ ଆଜି ଜମାଅତ୍ ଅହମ୍ମଦିୟା ସମଗ୍ର ପୃଥିବୀରେ ୨୧୦ରୁ ଅଧିକ ଦେଶମାନଙ୍କରେ ପରିବ୍ୟାପ୍ତ ହୋଇଯାଇଛି।
ସେହି କ୍ରମରେ ଲଜନା ଇମାଇଲ୍ଲାଃ ହେଉଛି ଜମାଅତ୍ ଅହମ୍ମଦିୟାର ଏକ ନାରୀ ଗୋଷ୍ଠୀ । ଏହି ଗୋଷ୍ଠୀର ମୂଳଦୁଆ ଜମାଅତ୍ ଅହମ୍ମଦିୟାର ଦିତୀୟ ଖଲିଫା ହଜରତ ମିର୍ଜା ବଶୀରୁଦ୍ଦୀନ୍ ମହମୁଦ ଅହମ୍ମଦ(ର.ଅ) ୨୫ ଡିସେମ୍ବର ୧୯୨୨ ମସିହାରେ ରଖିଥିଲେ।
ଲଜନା ଇମାଇଲ୍ଲାଃ ସ୍ଥାପନା ହେବାର ମୂଳ ଅଭିପ୍ରାୟ ଏବଂ ଉଦ୍ଦେଶ୍ୟ ତାହା ହିଁ ଯାହା ଇସଲାମ୍ ଅହମ୍ମଦିୟତ୍ ଜଣେ ମହିଳା ଠାରୁ ଆଶା ବାନ୍ଧିଥାଏ ଯେ, ବିଶ୍ବ ବ୍ରହ୍ମାଣ୍ଡର ପ୍ରକୃତ ଈଶ୍ୱରଙ୍କୁ ଚିହ୍ନିବା ଓ ତାହାଙ୍କୁ ଜୀବନ୍ତ ବୋଲି ମନେକରି ତାହାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିବା,, ଅର୍ଥାତ୍ଉ ପାସ୍ୟ ପ୍ରଭୁ ଓ ଉପସନାକାରୀ ଭକ୍ତଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଇ ଏକ ଜୀବନ୍ତ ସଂପର୍କ ସ୍ଥାପନ କରିବା ।


ଉକ୍ତ ଅଭିପ୍ରାୟର ପ୍ରାପ୍ତି ସକାଶେ ଏହି ଗୋଷ୍ଠୀର କାର୍ଯ୍ୟକ୍ରମରେ ଏହି ସବୁ କାର୍ଯ୍ୟାବଳୀଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି ଯେ, ସର୍ବୋଚ୍ଚ ଶିକ୍ଷା ପ୍ରାପ୍ତ କରିବା, ଆହରଣ କିରଥିବା ଜ୍ଞାନକୁ ଅନ୍ୟମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, ଇସଲାମ୍ ଧର୍ମର ପ୍ରକୃତ ଶିକ୍ଷା ସମ୍ବନ୍ଧରେ ଅବଗତ ହେବା,ତାହା
କାର୍ଯ୍ୟାନୁସରଣ କରିବା, ଏକତା ଏବଂ ସଂହତିମୂଳକ ମନୋଭାବ ସ୍ଥାପନ କରିବା ପାଇଁ ପ୍ରୟାସ ଜାରି ରଖିବା, ଚାରିତ୍ରିକତା ଏବଂ ଆଧ୍ୟାତ୍ମିକତାର ସଂଶୋଧନ ନିମନ୍ତେ ସର୍ବଦା ଉଦ୍ୟମ କରିବା, ସନ୍ତାନମାନଙ୍କୁ ଉତ୍ତମ ରୂପେ ସଂସ୍କାରୀ କରାଇବା, ସେମାନଙ୍କୁ ପୁଣ୍ୟବାନ, ସଦାଚାରୀ, ଦେଶ ଓ ଜାତି ନିମନ୍ତେ ଉପାଦେୟ ଅସ୍ତିତ୍ବରେ ଗଢି ତୋଳିବାରେ ନିଜର ଭୂମିକାକୁ ନିର୍ବାହ କରିବା ।

ସେହିପରି ମହିଳାମାନଙ୍କୁ ଉତ୍ତମ ସମାଜ ଗଠନ କରିବା ନିମନ୍ତେ ସେମାନଙ୍କର ଦାୟିତ୍ଵ ନିର୍ବାହ କରିବା ପ୍ରତି ସଚେତନ କରାଇବା, ସତୀତ୍ୱ ଏବଂ ପବିତ୍ରତା ବଜାୟ ରଖିବା ଆଦି ପ୍ରତି ସେମାନଙ୍କୁ ଅନୁପ୍ରାଣିତ କରିବା ମଧ୍ୟ ଏହି ଗୋଷ୍ଠୀର ପ୍ରମୁଖ ଉଦ୍ଦେଶ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ।
ଜମାଅତ୍ ଅହମ୍ମଦିୟା ନାରୀମାନଙ୍କ ଅଧିକାର ସମ୍ପାଦନ କରିବା ପ୍ରତି ପ୍ରକୃତ ଧ୍ୱଜାବାହକ ରୂପେ ସର୍ବଦା ତତ୍ପର । କାରଣ ଇସଲାମ ଧର୍ମ ମହିଳାମାନଙ୍କୁ ଅଶିକ୍ଷିତ ଯୁଗର ଅତିଶୟ ତିରସ୍କାର ଏବଂ ନିର୍ଯାତନାରୁ ଉଦ୍ଧାର ସଂସ୍କାର ଓ ଶିକ୍ଷାର ଆଲୋକ ମାଧ୍ୟମରେ ସେମାନଙ୍କୁ ସର୍ବାଙ୍ଗ ସୁନ୍ଦର ରୂପେ ଗଢି ତୋଳି ସେମାନଙ୍କୁ ସମାଜର ଏକ ଆଦର୍ଶ ସ୍ତରରେ ଉପନୀତ କରାଇଥିଲା । ଆଜି ଜମାଅତ୍ ଅହମ୍ମଦିୟା ଇସଲାମ୍ ଧର୍ମର ସେହି ପ୍ରକୃତ ଶିକ୍ଷାକୁ ଉଜ୍ଜୀବିତ ରଖି ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ଅଧିକାର ପ୍ରଦାନ କରି ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା ପ୍ରତି ସଚେତନ କରାଉଅଛି।

ଜମାଅତ୍ ଅହମ୍ମଦିୟାର ମହିଳାମାନଙ୍କର ଗୋଷ୍ଠୀ ଲଜନା ଇମାଇଲ୍ଲାଃ ନିଜର ପରିଧି ମଧ୍ୟରେ ସଂପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇ ନିଜ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଛନ୍ତି। ଅହମ୍ମଦି ମହିଳାମାନଙ୍କର ଶିକ୍ଷା ଓ ସଂସ୍କାର ତଥା ସେମାନଙ୍କର ଚାରିତ୍ରିକ ଉନ୍ନତି ନିମନ୍ତେ ସ୍ୱୟଂ ଯୋଜନା ପ୍ରସ୍ତୁତ କରି
ତାହାକୁ କାର୍ଯ୍ୟକାରୀ କରାଇ ଥାଆନ୍ତି।
ଅଲ୍ଲାଃତାଲାଙ୍କ କୃପାରୁ ଅହମଦି ମହିଳାମାନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗରେ ଅଛନ୍ତି। ଅହମଦି ମହିଳା ଜଣେ ଡାକ୍ତରାଣୀ, ଗବେଷିକା, ବିଦ୍ୟାର୍ଥିନୀ, ଶିକ୍ଷୟତ୍ରୀ ଆଦି ପ୍ରତ୍ୟେକ କ୍ଷେତ୍ରରେ କର୍ମ ତତ୍ପର ହୋଇ ନିଜର କର୍ତ୍ତବ୍ୟ ନିର୍ବାହ କରୁଛନ୍ତି ଏବଂ ସମାଜର ଉନ୍ନତିରେ ମଧ୍ୟ ନିଜର ସକାରାତ୍ମକ ଓ ସର୍ବାଙ୍ଗୀନ ଉନ୍ନତିମୂଳକ ଭୂମିକା ନିର୍ବାହ କରୁଛନ୍ତି।
ବିଶ୍ୱ ବ୍ୟାପୀ ଜମାଅତ୍ ଅହମଦିୟାର ଇମାମ୍ (ଧର୍ମାଧ୍ୟକ୍ଷ) ହଜରତ ମିର୍ଜା ମସରୁର୍ ଅହମଦ ସାହିବ ମହିଳାମାନଙ୍କର ଏହି ଗୋଷ୍ଠୀର ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଏବଂ ମାର୍ଗ ଦର୍ଶନ କରିଥାଆନ୍ତି।
ଚଳିତ ବର୍ଷ ଲଜନା ଇମାଇଲ୍ଲାଃ ଗୋଷ୍ଠୀ ସ୍ଥାପନ ହେବାକୁ ଏକଶତ ବର୍ଷ ପୂରି ଯାଇଛି। ତେଣୁ ଲଜନା ଇମାଇଲ୍ଲାଃ ପକ୍ଷରୁ ପ୍ରଭୁଙ୍କର କୃତଜ୍ଞତା ଭାରତବ୍ୟାପୀ ଜମାଅତ ମାନଙ୍କରେ ବିଭିନ୍ନ ପ୍ରକାରର ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉ।

Comments (0)
Add Comment