ସିଦ୍ଧେଶ୍ୱର ମନ୍ଦିର ଜମି ମାପଜୁପ : ଚାଷୀଙ୍କ ଦାଣ୍ଡି ରାସ୍ତା ପାଇଁ କୃଷକ ସମାଜର ଦାବିପତ୍ର, ହଟିବ କି ଜବରଦଖଲ?

ଚାଷୀଙ୍କ ଦାଣ୍ଡି ରାସ୍ତାକୁ ନେଇ ନୂଆ ଦାବି, *କୃଷକ ସମାଜର ଅଣ୍ଟା ଭିଡ଼ିଲା

ଭୁବନ(ପୂର୍ଣ୍ଣଚନ୍ଦ୍ର ସାହୁ) : ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର–୨, ନୂଆ ଭୁବନ ଛକ ନିକଟସ୍ଥ ସିଦ୍ଧେଶ୍ୱର ଶିବମନ୍ଦିର ଜମିକୁ ନେଇ ଗତ ରବିବାର ଦିନ ଦେଖାଦେଇଥିବା ଉତ୍ତେଜନା ପରେ ଏବେ ପ୍ରଶାସନ ତତ୍ପର ହୋଇଛି। ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ ଅଭିଯୋଗ ଏବଂ ଚାଷୀଙ୍କ ଦାଣ୍ଡି ରାସ୍ତାକୁ ନେଇ ଉଠିଥିବା ବିବାଦ ଏବେ ପ୍ରଶାସନର ଦୃଷ୍ଟିକୁ ଆସିଛି।

    ସୂଚନା ଅନୁସାରେ, ମନ୍ଦିର ଅଧୀନରେ ଥିବା ଜମିରେ ଦୀର୍ଘଦିନ ଧରି ଜବରଦଖଲ ହୋଇଥିବା ଅଭିଯୋଗ ରହିଥିଲା। ଏନେଇ ପ୍ରଶାସନକୁ ପ୍ରାୟ ୧୫ ଦିନ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ତୁରନ୍ତ କୌଣସି ପଦକ୍ଷେପ ନ ହେବାରୁ ରବିବାର ଦିନ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଜବରଦଖଲ ହଟାଇବା ଉଦ୍ଦେଶ୍ୟରେ ଜେସିବି ମେସିନ ନେଇ କାର୍ଯ୍ୟ ଆରମ୍ଭ କରାଯିବା ସମୟରେ ମନ୍ଦିର କମିଟି ଓ ଜବରଦଖଲକାରୀ ସ୍ୱର୍ଗତ ପ୍ରଦୀପ୍ତ କୁମାର ମିଶ୍ରଙ୍କ ପରିବାର ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା।

ଘଟଣାର ଗୁରୁତ୍ୱକୁ ଅନୁଭବ କରି କାମାକ୍ଷାନଗର ଉପଜିଲ୍ଲାପାଳ, ଭୁବନ ତହସିଲଦାର ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଭୟ ପକ୍ଷଙ୍କ ମତାମତ ନେବା ସହ ଜମିର କାଗଜପତ୍ର ଓ ସ୍ଥିତି ସମ୍ପର୍କରେ ତଦନ୍ତ କରାଯାଇଥିଲା।
ଏହାପରେ ସୋମବାର ଭୁବନ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା। ନୋଟିସ ନମ୍ବର ୨୭୫/୯.୮.୨୬ ଅନୁଯାୟୀ ଜମିର ସ୍ଥିତି ଓ ସୀମା ନିର୍ଦ୍ଧାରଣ ପାଇଁ ମାପଜୁପ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ବାରୁଆଁ ରାଜସ୍ୱ ନିରୀକ୍ଷକ ଦୀପ୍ତି ରଞ୍ଜନ ସାହୁଙ୍କ ସମେତ ଅମିନ ଓ ସୁପରଭାଇଜରଙ୍କ ଉପସ୍ଥିତିରେ ଜମିର ମାପଜୁପ କରାଯାଇଥିଲା। ମନ୍ଦିର କମିଟି ସମ୍ପାଦକ ନରେନ୍ଦ୍ର କୁମାର ସାହୁ ପ୍ରଶାସନର ସହଯୋଗ ଲୋଡ଼ିଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ଜମିର ସ୍ଥିତି ଯାଞ୍ଚ କରାଯାଇଥିଲା।

ଭଦଳିଆପଶି ମୌଜାର ଖାତା ନମ୍ବର–୪୩୬, ପ୍ଲଟ ନମ୍ବର–୨୬୧୪ର ମାପଜୁପ ପାଇଁ ନୋଟିସ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ଲଟ ନମ୍ବର ୨୬୧୧, ୨୬୧୨ ଓ ୨୬୧୫ର ମଧ୍ୟ ମାପଜୁପ କରାଯାଇଥିଲା। ତେବେ ପ୍ଲଟ ନମ୍ବର ୨୬୧୦ ଅଞ୍ଚଳରେ ଜଳାଶୟ ଥିବାରୁ ସେଠାରେ ମାପଜୁପ କରିବା ସମ୍ଭବ ହୋଇନଥିବା ଜଣାପଡ଼ିଛି।

ମାପଜୁପ ପରେ ମନ୍ଦିର କମିଟି ପକ୍ଷରୁ ଜମିର ସୀମା ଚିହ୍ନଟ କରିବା ନିମନ୍ତେ ସିମେଣ୍ଟ ଖୁଣ୍ଟ ପୋତାଯାଇଥିଲା। ଏହାଦ୍ୱାରା ମନ୍ଦିର ଜମିର ପ୍ରକୃତ ସୀମା ସ୍ପଷ୍ଟ ହେବା ସହ ଆଗାମୀ ଦିନରେ ଜମିକୁ ନେଇ ବିବାଦ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ତେବେ କେବଳ ମନ୍ଦିର ଜମି ନୁହେଁ, ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଥିବା ଦାଣ୍ଡି ରାସ୍ତାକୁ ନେଇ ମଧ୍ୟ ଏବେ ନୂଆ ପ୍ରଶ୍ନ ଉଠିଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାକୁ ସ୍ୱର୍ଗତ ପ୍ରଦୀପ୍ତ କୁମାର ମିଶ୍ରଙ୍କ ପରିବାର ଦୀର୍ଘବର୍ଷ ଧରି ଦଖଲ କରି ରଖିଥିବାରୁ ଚାଷୀମାନେ ନିଜ ଚାଷଜମିକୁ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି।

ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, ଏହି ଦାଣ୍ଡି ରାସ୍ତା ଖୋଲାଗଲେ ପ୍ରାୟ ୨୦୦ ଏକର ଚାଷଜମିକୁ ଯାତାୟାତ ସୁବିଧା ମିଳିପାରିବ। ଚାଷୀମାନେ ବର୍ଷ ବର୍ଷ ଧରି ଏହି ରାସ୍ତା ପାଇଁ ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି।

ଗତ ଦିନଗୁଡ଼ିକରେ ରାସ୍ତା ଖୋଲିବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏବେ ମନ୍ଦିର ଜମି ବିବାଦ ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଚାଷୀଙ୍କ ଦାଣ୍ଡି ରାସ୍ତା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି।

ଚାଷୀଙ୍କ ଏହି ସମସ୍ୟାକୁ ନେଇ ଭୁବନ କୃଷକ ସମାଜ ମଧ୍ୟ ଅଣ୍ଟା ଭିଡ଼ିଛି। ସରକାରୀ ଜାଗାରୁ ଜବରଦଖଲ ହଟାଇବା ସହ ଚାଷୀଙ୍କ ପାଇଁ ଦାଣ୍ଡି ରାସ୍ତା ଖୋଲିବା ଦାବିରେ କୃଷକ ସମାଜ ପକ୍ଷରୁ ଭୁବନ ତହସିଲଦାରଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି।
ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ, ମା’ ସିଦ୍ଧରାମଚଣ୍ଡୀ ପାଣି ପଞ୍ଚାୟତ, ଭଦଳିଆପଶିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ବୈକୁଣ୍ଠ ନାଥ ବେହେରା, ପ୍ରଭାକର ସାହୁ, ନିରଞ୍ଜନ ମିଶ୍ର, ରଞ୍ଜନ ସାହୁ, ଉଦୟନାଥ ମିଶ୍ର ଓ ଆନନ୍ଦାନନ୍ଦ ମିଶ୍ର ପ୍ରମୁଖ ଭୁବନ ତହସିଲଦାର ଜ୍ୟୋତିରୂପା ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ ଖାତା ନମ୍ବର–୪୩୬ର ପ୍ଲଟ ନମ୍ବର–୨୬୧୫ ଓ ୨୬୧୬ରେ ଥିବା ସରକାରୀ ରାସ୍ତାକୁ ଚାଷୀମାନଙ୍କ ଯାତାୟାତ ପାଇଁ ବାହାର କରିବାକୁ ଦାବି କରାଯାଇଛି। ଚାଷୀଙ୍କ ଚାଷଜମିକୁ ଯିବା ପାଇଁ ପୁରୁଣା ଦାଣ୍ଡି ରାସ୍ତା ଖୋଲାଯାଇଲେ ଶତାଧିକ ଚାଷୀ ଉପକୃତ ହେବେ ବୋଲି କୃଷକ ସମାଜ ପକ୍ଷରୁ କୁହାଯାଇଛି।

 

ମନ୍ଦିର ଜମିର ମାପଜୁପ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। ମାପଜୁପ ରିପୋର୍ଟ ଆଧାରରେ ଜମିର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବା ସହ ଯଦି କୌଣସି ସରକାରୀ କିମ୍ବା ମନ୍ଦିର ଜମି ଜବରଦଖଲ ହୋଇଥାଏ, ତେବେ ତାହା ଉଚ୍ଛେଦ କରାଯିବ କି ନାହିଁ, ତାହା ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ ଚାଷୀଙ୍କ ପାଇଁ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ଦାଣ୍ଡି ରାସ୍ତା ଖୋଲାଯାଇପାରିବ କି ନାହିଁ, ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରଶାସନ ନିରପେକ୍ଷ ଭାବେ ରାଜସ୍ୱ ରେକର୍ଡ ଓ ସ୍ଥଳସ୍ଥିତି ଯାଞ୍ଚ କରି ଚାଷୀଙ୍କ ଯାତାୟାତ ସମସ୍ୟାର ସମାଧାନ କରିବା ସହ ମନ୍ଦିର ଜମିକୁ ଜବରଦଖଲମୁକ୍ତ କରିବାକୁ ସ୍ଥାନୀୟ ଲୋକ ଓ କୃଷକ ସମାଜ ପକ୍ଷରୁ ଦାବି ହୋଇଛି।

Comments (0)
Add Comment