ଢେଙ୍କା ବଚନ

ସୁଶିଳ କୁମାର ନନ୍ଦ

ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ
ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ
ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ
ଢେଙ୍କା ଶବର ମୁଁ
ମୋତେ ଚିହ୍ନିବାକୁ ଚେଷ୍ଟା କର
ମୋତେ ଜାଣିବାକୁ ଚେଷ୍ଟା କର
ଏ ମାଟିରେ ରହୁଛ
ଏ ମାଟିର ଇତିହାସ ଭିତରକୁ
ଟିକେ ପ୍ରବେଶିବାକୁ ଚେଷ୍ଟା କର
ମୋତେ ସହଜରେ ଖୋଜି ପାଇଯିବ।

ଯେଉଁ ପାଣିଓହଳା ପର୍ବତ ଦେଖୁଚ
ସେଇଠି ଥିଲା ମୋର ବାସ, ରାଜଧାନୀ ମୋର
ମୋର ଜାତି ଭାଇମାନଙ୍କ ସହ ରହୁଥିଲି ମୁହିଁ
ଏ ବଣମୁଲକ ସହ ହୋଇ ଏକାକାର ।

ଇତିହାସ ପୃଷ୍ଠାରେ ତୁମେ ନିର୍ଲଜ ଭଞ୍ଜ ରାଜା
ଶ୍ରୀଧରକୁ ଅବଶ୍ୟ ଭେଟିବ
ଯିଏ ମୋ ରାଜ୍ୟକୁ ଲୋଭ କରି ଆକ୍ରମଣ କଲା
ମୋ ଶବର ବାହିନୀ ତୀରାଘାତର
ସାମ୍ନା କରିପାରିଲାନି ସେ କାପୁରୁଷଟା
ପିଠି ଦେଖାଇ ପଳାୟନ କଲା
ଚାହିଁଥିଲେ ତାକୁ ହତ୍ୟା କରି ପାରିଥାନ୍ତି ମୁଁ
କିନ୍ତୁ ଆମ ଶବର ନୀତିରେ
ପଳାୟନରତ ଶତୃକୁ ଆକ୍ରମଣ କରିବା ମନା ଥିଲା।

ଛଳନାର ଆଶ୍ରୟ ନେଲା ସେ କାପୁରୁଷଟା
ନିରସ୍ତ୍ର ଥିଲି ମୁଁ, ମୋତେ ବନ୍ଦି କରି ହତ୍ୟା କଲା
କହିଥିଲି ତାକୁ, ମସ୍ତବଡ ପାପ କରୁଛୁ ଭଞ୍ଜ ପୁଅ
ମରିବାକୁ ମୋର ଡର ନାହିଁ,
କିନ୍ତୁ ଏ ରାଜ୍ୟ ମୋର, ମନେ ରଖିଥିବୁ,
ଯଦି ଦୀର୍ଘ ଦିନ ଏହାକୁ ଭୋଗ କରିବାକୁ ଚାହୁଁ
ମୋର ମୁଣ୍ଡକୁ ପିଢରେ ଥାପି
ପୂଜାର୍ଚ୍ଚନା ଅବଶ୍ୟ କରିବୁ।

ମୋ କଥାକୁ ବେଖାତିର କଲା ଭଞ୍ଜ ରାଜା
ହରି ସିଂହ ହାତରେ ହଣା ଖାଇଲା
ମଲା ବେଳେ ମୋ କଥା ତାକୁ କହିଥିଲା
ସିଂହ ପୁଅ ମୋତେ ସମ୍ମାନ ଦେଲା
ମୋ ମୁଣ୍ଡର ପ୍ରସ୍ତର ରୂପକୁ ମୋ ପୂଜିତ
ଜେନାଦେଈ ଠାକୁରାଣୀ ପିଢରେ ଥାପିଲା
ମୋ ଆଶୀର୍ବାଦରୁ କେତେ କେତେ ରାଜ୍ୟ ଜୟ କଲା
ମୋ ନାମରେ ରାଜ୍ୟ ନାମ ଢେଙ୍କାନାଳ ରଖିଲା।

ଏବେ ସିନା ନାହିଁ ସିଂହାସନ, ରାଜପଦ କାର
ଏ ରାଜ୍ୟରେ ତ ଏବେ କିନ୍ତୁ
ମୁକୁଟ ବିହୀନ ରାଜା ହଜାର ହଜାର
ଧନ ଧାନ୍ୟେ ପୁରିଛି ତ ରାଜ୍ୟ
କାହିଁକି କାର୍ପଣ୍ୟ ପୁଣି
ପୂଜା କରିବାକୁ ଯେତେ ପୂଜ୍ୟ।

ମୋର ଜାତି ଭାଇ
ମୋର ରାଜ୍ୟେ କେଡେ ହୀନିମାନ
ଉଠାଇବାକୁ ତାହାଙ୍କୁ ଦିଅ ସବୁ ଏବେ ମନ ଧ୍ୟାନ
ହେଳା କଲେ ପାରିବିନି ସହି,
ମୋ ତୁଣ୍ଡରୁ ଆଶୀର୍ବାଦ ଲିଭିବା ଆଗରୁ
ଦାୟିତ୍ଵ ନିର୍ବାହ କର ମହାଜନମାନେ
ମୁଁ ଢେଙ୍କା କହେ, ଅଦୃଶ୍ୟରେ ଥାଇ।

Comments (0)
Add Comment