ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଆଜି ବିକାଶପଥରେ ମାଡିଚାଲିଛି | ଏଥିପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ ରହିଛି | କୋଭିଡ ମହାମାରୀ ସମୟରେ ଜିଲ୍ଲା ଅନେକ ସମସ୍ୟା ମଧ୍ୟରେ ଗତି କରିଛି | ତେବେ ଅନ୍ୟ ଜିଲ୍ଲା ତୁଳନାରେ ଢେଙ୍କାନାଳ କୋଭିଡ ପରିଚାଳନାରେ ଉତ୍ତମ ପ୍ରଦର୍ଶନ କରିଛି ବୋଲି ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ଏହି କଥା କହିଛନ୍ତି |

ଚଳିତବର୍ଷ କୋଭିଡ କଟକଣା ଯୋଗୁ ସହରର ମିନିଷ୍ଟାଡିଅମରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି | ସରକାରୀ ନିୟମ ଅନୁସାରେ ପୂର୍ବାହ୍ନ ୮.୪୫ରେ ଜିଲ୍ଲାପାଳ ଶ୍ରୀ ସେଠୀ ପତାକା ଉତ୍ତୋଳନ କରିଥିଲେ |

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଓ ଜିଲ୍ଲାପ୍ରଶାସନର ଅନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ | ମିନି ଷ୍ଟାଡିଅମରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ମଧ୍ୟ ଦିଆଯାଇଥିଲା |

ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ କରୋନା ସମୟରେ ସ୍ୱାସ୍ଥ୍ୟକର୍ମୀ, ପୌରପାଳିକାର ସଫେଇ କର୍ମଚାରୀ ଓ ପ୍ରକୃତିପ୍ରେମୀମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯାଇ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ଦେଇ ଜିଲ୍ଲାପାଳ ଶ୍ରୀ ସେଠୀ ସମ୍ମାନିତ କରିଥିଲେ |

ସେହିପରି ଚଳିତବର୍ଷ ମୁମ୍ବାଇରେ ଆୟୋଜିତ ମିଶନ ଡ୍ରିମସ ମିସ ଇଣ୍ଡିଆ ପ୍ରତିଯୋଗୀ ଜଗତଜିତା ଦାସଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ପରେଡ ସ୍ତଗିତ ରହିଥିଲା |  ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରାରମ୍ଭରେ ବରପୁତ୍ରମାନଙ୍କ ପ୍ରରିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

Comments (0)
Add Comment