ରୁଙ୍ଗଟା ମାଇନ୍ସରୁ ୪୦ ଲକ୍ଷର ପିଗ୍‌ ଆଇରନ୍‌ ଚୋରି

ମୁଖ୍ୟ ଅଭିଯୁକ୍ତ ଆନ୍ତଃରାଜ୍ୟ ଆଇରନ୍‌ ମାଫିଆ ଗିରଫ, ୨ ଟ୍ରଲର ଜବତ

ହିନ୍ଦୋଳ, ୧୫।୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଝାଡ଼ବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପିଗ୍‌ ଆଇରନ୍‌ ଚୋରି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନୟାପଲ୍ଲୀ ଅଞ୍ଚଳର ରଶ୍ମିରଞ୍ଜନ ଭୂୟାଁ ବୋଲି ଜଣାପଡ଼ିଛି। ପୁଲିସ ଚୋରି ହୋଇଥିବା ଲୁହା ପରିବହନରେ ବ୍ୟବହୃତ ୨ଟି ଟ୍ରଲର ମଧ୍ୟ ଜବତ କରିଛି।

ସୂଚନା ଅନୁଯାୟୀ, ରୁଙ୍ଗଟା ମାଇନ୍ସ ଲିମିଟେଡ୍‌ର ଆଡିସନାଲ ଜିଏମ୍‌ (ସିକ୍ୟୁରିଟି) ତରୁଣ ଦୁବେ ମାଇନ୍ସରୁ ପିଗ୍‌ ଆଇରନ୍‌ ଚୋରି ହୋଇଥିବା ନେଇ ଗତ ୯ ତାରିଖରେ ବାଲିମି ଥାନାରେ ଏତଲା ଦେଇଥିଲେ। ଏତଲା ଆଧା ରରେ ବାଲିମି ଥାନାରେ କେସ୍‌ ନଂ. ୨୩୪, ତାରିଖ ୯।୯।୨୦୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।

ମାମଲାର ତଦନ୍ତ କରି ପୁଲିସ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ସମ୍ପୃକ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ ପୁରୀରୁ ଗିରଫ କରି ବାଲିମି ଥାନାକୁ ଅଣାଯାଇଛି। ଚୋରି ହୋଇଥିବା ପିଗ୍‌ ଆଇରନ୍‌ ପରିବହନରେ ବ୍ୟବହୃତ ଓଡି-୦୯-ଏବି-୪୩୩୩ ଓ ଓଡି-୦୯-ଜେଡ୍‌-୨୫୭୭ ନମ୍ବର ବିଶିଷ୍ଟ ୨ଟି ଟ୍ରଲରକୁ ପୁଲିସ ଜବତ କରିଛି।

ତେବେ ଏହି ଘଟଣାରେ ଆହୁରି କେତେଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଡ୍ରାଇଭର ଧନୁ ନାଏକ, ଗୁଡ଼ୁ ପ୍ରତାପ ସିଂ, ବରପାଲିର ବାବୁଲ ବେହେରା, ଖୁଣ୍ଟୁଣୀର ବିଶାଳ ରାଉତ ଓ ଜରପଡ଼ାର ସୁଶାନ୍ତ ସାହୁ ଓରଫ ଛୁଟିଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି। ସେହିପରି ଚୋରି ହୋଇଥିବା ପିଗ୍‌ ଆଇରନ୍‌ ଉଦ୍ଧାର ପାଇଁ ମଧ୍ୟ ପୁଲିସ ଉଦ୍ୟମ ଚଳାଇଛି।

ଘଟଣାରେ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଲୁହା ଚୋରି ରାକେଟ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ପୁଲିସ ତଦନ୍ତକୁ ଗୁରୁତ୍ୱ ଦେଇଛି। ରୁଙ୍ଗଟା ମାଇନ୍ସ ଭଳି ଏକ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାରୁ ଏତେ ବଡ଼ ପରିମାଣର ପିଗ୍‌ ଆଇରନ୍‌ ଚୋରି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତଦନ୍ତ ଆଗକୁ ବଢ଼ିଲେ ଚୋରି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ଏବଂ ଚୋରି ଲୁହା କେଉଁଠାକୁ ଯାଇଛି, ସେନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଆଶା ରଖିଛି।

Comments (0)
Add Comment