ହରିପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ

ଢେଙ୍କାନାଳ, ୬।୯ (ନି.ପ୍ର): ଢେଙ୍କାନାଳ ସହର ନିକଟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଏକ ଯାତ୍ରୀବାହୀ ବସ ହଠାତ୍‌ ରାସ୍ତା ତଳକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ତେଲକୋଇରୁ ରବିବାର ସକାଳ ପ୍ରାୟ ୫ଟାରେ ‘ପୂଜା’ ନାମକ ଯାତ୍ରୀବାହୀ ବସଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ବସଟି ସକାଳ ୧୧ଟା ୩୦ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚିବାର ନିର୍ଘଣ୍ଟ ରହିଥିଲା। ତେବେ ଢେଙ୍କାନାଳ ସହର ନିକଟସ୍ଥ ହରିପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ବସଟି ହଠାତ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା।

ଦୁର୍ଘଟଣାରେ ବସର କଣ୍ଡକ୍ଟରଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବସରେ ଯାତ୍ରା କରୁଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments (0)
Add Comment