ପଞ୍ଚାୟତ ନିର୍ବାଚନ ପାଇଁ ମତଦାତା ନିଜର ପ୍ରାର୍ଥୀ ବାଛନ୍ତୁ

ଗାନ୍ଧୀବାଦୀ ସଂଗଠନ ସମୁହଙ୍କ ପରାମର୍ଶ

ଭୁବନେଶ୍ଵର : ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ତଥା ବ୍ଲକ ଚେୟାରମ୍ୟାନ ପର୍ଯ୍ୟନ୍ତ ପ୍ରାର୍ଥୀ ନିର୍ଦ୍ଦଳୀୟ ଭାବରେ କୌଣସି ଦଳୀୟ ସମର୍ଥନ ବିନା ଲଢିବେ ତଥା ଦଳୀୟ ଚିହ୍ନ ସୁଦ୍ଧା ବ୍ୟବହାର କରିପାରିବେ ନାହିଁ । ତଳ ସ୍ତରରେ ହେଉଥିବା ନିର୍ବାଚନରେ ଦଳୀୟ ଅନୁପ୍ରବେଶ ନହୋଇ ଗାଁ ଗହଳରେ ଲୋକେ ନିଜ ନିଜ ଭିତରେ ଭାଇଚାରା ବଜାୟ ରଖିବେ, ଏହା ହିଁ ସମ୍ବିଧାନ ପ୍ରଣେତାମାନଙ୍କର ଉଦ୍ଦେଶ୍ୟ ।

          ହେଲେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଘୋଷଣାର ଦୀର୍ଘ ମାସ ପୂର୍ବରୁ ବିଭିନ୍ନ ଦଳୀୟ ନେତାମାନଙ୍କର ଫଟୋଚିତ୍ର ଓ ଦଳୀୟ ଚିହ୍ନ ଥାଇ ଅନେକ ବ୍ୟାନର ଗଳିକନ୍ଦିରେ ଶୋଭା ପାଉଥିବା ଆମେ ଦେଖୁଛନ୍ତି । ସେମାନେ ହିଁ  ଏବେ ପ୍ରାର୍ଥୀ ହେବେ । ଏପରିକି ଅନେକ ପ୍ରାର୍ଥୀ ବିଭିନ୍ନ ଦଳୀୟ ସମର୍ଥନ ଥାଇ ପ୍ରାର୍ଥୀ ହୋଇଥିବା ମଧ୍ୟ ବ୍ୟାନର, ପୋଷ୍ଟର  ଓ ଅନ୍ୟାନ୍ୟ ପ୍ରଚାରପତ୍ରରୁ ଦେଖିବାକୁ ମିଳିଥାଏ ।

          ସ୍ଵାଧୀନତା ହାସଲର ଦୀର୍ଘ ପଚସ୍ତରୀ ବର୍ଷ ପରେ ଦେଶ ଆଜି ବି ମୌଳିକ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲଢୁଛି । ନିର୍ବାଚନ ବ୍ୟବସ୍ଥାରେ ଆମେ ସମସ୍ତ ଦଳଙ୍କୁ ବିଭିନ୍ନ ସ୍ତରରେ କ୍ଷମତା ହସ୍ତାନ୍ତର କରିବା ସତ୍ତ୍ୱେ ଏହି ମୂଳ ସମସ୍ୟା ଏଯାବତ ସମାଧାନ ନହୋଇପାରିବା ଦଳୀୟ ରାଜନୀତିର ମୁଖା ଖୋଲିଦେଇଛି । ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କୌଣସି ବି ଦଳ ସହ ସମ୍ପୃକ୍ତ ସମସ୍ତ ପ୍ରାର୍ଥୀଙ୍କୁ ଲୋକେ ବହିସ୍କାର କରନ୍ତୁ ବୋଲି ଗାନ୍ଧୀବାଦୀ ସଂଗଠନ ସମୂହଙ୍କ ପକ୍ଷରୁ ନିବେଦନ କରାହୋଇଛି ।

          ଭୋଟର ନିଜ ନିଜ ୱାର୍ଡର ସମସ୍ତ ଭୋଟରଙ୍କୁ ନେଇ ମତଦାତା ପରିଷଦ ଗଢନ୍ତୁ । ମତଦାତା ପରିଷଦ ପ୍ରତି ୱାର୍ଡରୁ ପ୍ରତିନିଧି ବାଛି ପଞ୍ଚାୟତ ସ୍ତରର ସମିତିକୁ ପଠାନ୍ତୁ । ଏହି ପ୍ରତିନିଧୀମାନେ ନିଜେ ନିର୍ବାଚନ ନ ଲଢି ନିଜ ପଞ୍ଚାୟତରୁ ଯୋଗ୍ୟ ପ୍ରାର୍ଥୀମାନଙ୍କର ନାମ ସମିତିକୁ ଦିଅନ୍ତୁ ଓ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଯୋଗ୍ୟତା, ସାଧୁତା ଓ ଚରିତ୍ର ଆଧାରରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ କରନ୍ତୁ ।

ସମାନ ବିଧିରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସଦସ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ବଛା ଯାଇପାରିବ । ଏପରିକି ଦଳୀୟ ଆଧାରରେ ହେଉଥିବା ଜିଲ୍ଲା ପରିଷଦ ନିର୍ବାଚନରେ ସୁଦ୍ଧା ଲୋକେ ଏହି ବ୍ୟବସ୍ଥାରେ ନିଜର ପ୍ରାର୍ଥୀ ବାଛିପାରିବେ ଓ ଏହି ଲୋକପ୍ରାର୍ଥୀ ଦଳୀୟ ପ୍ରାର୍ଥୀ ମାନଙ୍କୁ ଖୁସିରେ ବାଜିମାତ କରିପାରିବେ ।

ମତଦାତା ପରିଷଦ ବିଜେତାଙ୍କୁ ନୀତି ବହିର୍ଭୂତ କାର୍ଯ୍ୟ କଲେ ବହିସ୍କୃତ କରିବାର ସର୍ତ୍ତ ପ୍ରାର୍ଥୀମାନଙ୍କୁ ପ୍ରଥମରୁ ଜଣାଇ ଦିଅନ୍ତୁ । ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ଆଦି ଗ୍ରାମ ସ୍ଵରାଜ୍ୟ ସ୍ଥାପନ ପାଇଁ ଏହିପରି ନିର୍ବାଚନୀ ବ୍ୟବସ୍ଥା ଚାହୁଁଥିଲେ ।

ଅନେକ ଡେରୀ ହୋଇଥିଲେ ବି ଦେଶର ଦୁର୍ଦ୍ଦଶାକୁ ଦେଖି ଚଳିତ ନିର୍ବାଚନରୁ ଏହି ଲୋକପ୍ରାର୍ଥୀ ବ୍ୟବସ୍ଥା ଲୋକେ ଆପଣାନ୍ତୁ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ସର୍ବ ସେବା ସଂଘ ପକ୍ଷରୁ କୃଷ୍ଣା ମହାନ୍ତି, ଶୈଳଜ ରବି, ମନୋରଞ୍ଜନ ମହାନ୍ତି, ଜୟନ୍ତ କୁମାର ଦାସ, ବିରୁପାକ୍ଷ ତ୍ରିପାଠୀ, ଡା ବିଶ୍ଵଜିତ, ତୁଷାର କାନ୍ତି ମହାନ୍ତି, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ, ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି ।

Comments (0)
Add Comment