ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମହାସଂଘର ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଆଠମଲ୍ଲିକ : ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଠମଲ୍ଲିକ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ତହସିଲଦାର ସୋଫି ସାଇନିକାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୃଷକ ସଂଘ ଆଠମଲ୍ଲିକ ଶାଖା ସଭାପତି ଦେବେନ୍ଦ୍ର ପ୍ରଧାନ ଓ ଆବାହକ ଅଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଖେଳପଡିଆରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ଆଠମଲ୍ଲିକ ଉପଖଣ୍ଡର ସମସ୍ତ ଚାଷଜମିକୁ ଜଳସେଚନ, ମାନଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବା, ମାନଯୋର ପ୍ରକଳ୍ପର କେନାଲ ସଂପ୍ରସାରଣ ପାଇଁ ନିକଟରେ ବିଭାଗ ପକ୍ଷରୁ ଡକାଯାଇଥିବା ଟେଣ୍ଡର ପ୍ରକ୍ରିୟା ତୁରନ୍ତ ସାରି କାର୍ଯ୍ୟ ଆରମ୍ଭ କରିବା, ସୁରେଶ୍ୱରୀ ପ୍ରକଳ୍ପ ଓ ଧଉରାଗୋଠ ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକ୍ଷମ କରିବା, ପାତ୍ରପଡ଼ାରୁ ବାଙ୍କପାଳ କେନାଲ କାର୍ଯ୍ୟ ତ୍ୱରାନ୍ୱିତ କରିବା, ମାଧପୁରରେ ଏକ ଶୀତଳଭଣ୍ଡାର ସ୍ଥାପନ, ଆଠମଲ୍ଲିକ ଉପଖଣ୍ଡକୁ ମରୁଡି ଘୋଷଣା କରି ଚାଷୀଙ୍କ ଋଣ ଛାଡ, ଚାଷୀମାନଙ୍କର ଶସ୍ୟବୀମା ବାଧ୍ୟତାମୂଳକ କରିବା, ଆଠମଲ୍ଲିକ-ଧଳପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷକରି ଦକ୍ଷିଣ ଓଡ଼ିଶା ସହ ଗମନାଗମନ ଓ ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଆଦି ଦାବି ଅନ୍ତର୍ଭୁକ୍ତ । ସେହିପରି ଉପଖଣ୍ଡରେ ଧାନକ୍ରୟ ବେଳେ ମିଲରମାନେ ଚାଷୀଙ୍କ ଠାରୁ ବସ୍ତାପ୍ରତି ୩/୪କିଲୋ ଓଜନ କାଟିବା ବନ୍ଦ କରିବା, ଉତ୍ପାଦିତ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କା ଧାର୍ଯ୍ୟ ସହ ରବି ଫସଲର ଉଚିତ୍ ମୂଲ୍ୟ ପ୍ରଦାନ ଏବଂ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଭାରପ୍ରାପ୍ତ ଡାକ୍ତରଙ୍କୁ ଦାୟିତ୍ୱରୁ ହଟାଇ ନୂତନ ଡାକ୍ତର ନିଯୁକ୍ତି ସହ ଠାକୁରଗଡ଼, ବଇଣ୍ଡା, ହଣ୍ଡପା ଓ କିଶୋରନଗର ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି କରିବା ଦାବି ରହିଛି ।

ଓମଫେଡ ଦ୍ୱାରା ଦୁଗ୍ଧ କ୍ରୟ ମୂଲ୍ୟ ଓ ବୋନସ ଅର୍ଥକୁ ଅନ୍ଲାଇନ ଯୋଗେ ଦୁଗ୍ଧଚାଷୀଙ୍କୁ ପଇଠ କରିବା, ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ପ୍ରତି ସୁରକ୍ଷା ପ୍ରଦାନ ସହ ହାତୀ ଆକ୍ରମଣରେ ମୃତ ଲୋକର ପରିବାରକୁ କ୍ଷତିପୂରଣ ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମାନ୍ଯୋର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବିଶ୍ୱନାଥପୁର ଗ୍ରାମବାସୀ ପାତ୍ରପଡ଼ା ଠାରେ ପାଇଥିବା ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଏବଂ ଅଦିନିଆ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ରାଜସ୍ୱ ବିଭାଗ ଦ୍ୱାରା ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବି ଅନ୍ତର୍ଭୁକ୍ତ ।

Comments (0)
Add Comment